କେନ୍ଦ୍ରାପଡ଼ା, ୦୮/୦୮/୨୦୨୧(ଓଡ଼ିଶା ସମାଚାର)- ଏକ ନିପଟ ମଫସଲରେ ୩ଡି ଇ- ପାଠାଗାର ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ । ଚାନ୍ଦବାଲିକୁ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ରବିବାର ବିଧାୟକ ଶ୍ରୀ ବଳବନ୍ତରାୟ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କେଶପୁର ପଂଚାୟତର ଅରୁଆ କଦଳୀବଣ ଉଚ୍ଚ ଶିକ୍ଷାଶ୍ରମ ପରିସରରେ ନୂତନ ଭାବେ ନିର୍ମିତ ହୋଇଥିବା ଏହି ୩ଡି ଇ- ପାଠାଗାରକୁ ବୁଲି ଦେଖିଥିଲେ । ସେଠାରେ ଉପସ୍ଥିତ କେଶପୁର ପଂଚାୟତର ସରପଂଚ ପୂର୍ଣ୍ଣେନ୍ଦୁ ପ୍ରେମାନନ୍ଦ ଘଡାଇ ଏହି ନବ ନିର୍ମିତ ୩ଡି ଇ- ପାଠାଗାର ସମ୍ପର୍କରେ ବିଧାୟକଙ୍କୁ ବୁଝାଇବାକୁ ଯାଇ କହିଥିଲେ ଯେ ବଡବଡ ସହରରେ ଏହି ସୁଯୋଗ ଛାତ୍ରଛାତ୍ରୀମାନଙ୍କୁ ମିଳିଥାଏ । କିନ୍ତୁ କେଶପୁର ଭଳି ଏକ ନିପଟ ମଫସଲ ଅଂଚଳରେ ସେଭଳି ସୁଯୋଗ ଗ୍ରାମାଂଚଳର ଛାତ୍ରାଛାତ୍ରୀମାନଙ୍କୁ ଯୋଗାଇଦେବା ଉଦେଶ୍ୟରେ ଏଭଳି ଅତ୍ୟାଧୁନିକ ପାଠାଗାରର ନିର୍ମାଣ କରାଯାଇଛି । ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ନିମନ୍ତେ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଏଠାରେ ସେଭଳି ସୁଯୋଗ ଛାତ୍ରଛାତ୍ରୀମାନେ ପାଇପାରିବେ ବୋଲି କହିଛନ୍ତି କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ । କାରଣ ଗ୍ରାମାଂଚଳରେ ପ୍ରତିଯୋଗିତା ମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ନିର୍ମିତ ହୋଇଛି ଏହି ଥ୍ରୀ-ଡି ପାଠାଗାର । ଏହି ପାଠାଗାରରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବା ସହ ପାଠାଗାରକୁ ସମ୍ପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ କରାଯାଇଛି । ଏଥିସହ ଅତ୍ୟାଧୁନିକ ବେଂଚ ଓ ଟେବୁଲ ଓ ଛାତ୍ରଛାତ୍ରୀଙ୍କ ପାଇଁ କମ୍ପୁ୍ୟଟରର ବ୍ୟବସ୍ଥା କରାଯାଇଛି ଓ ଇଂଟରନେଟ୍ ସେବା ପାଇବା ପାଇଁ ୱାଇ ଫାଇର ବ୍ୟବସ୍ଥା ମଧ୍ୟ କରାଯାଇଛି । ବିଧାୟକ ଶ୍ରୀ ବଳବନ୍ତରାୟ ଏହି ପାଠାଗାରକୁ ଦେଖି କେଶପୁର ସରପଂଚ ଶ୍ରୀ ଘଡାଇଙ୍କୁ ପ୍ରସଂଶା କରିବା ସହ ତାଙ୍କ ନିର୍ବାଚନ ମଣ୍ଡଳୀରେ ଏଭଳି ଏକ ପାଠାଗାର ନିର୍ମାଣ କରିବେ ବୋଲି କହିଛନ୍ତି । ଓଡ଼ିଶା ସମାଚାର