ଭବାନୀପାଟଣା୦୫/୦୮/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭିକେ ପାଣ୍ଡିଆନ୍ କଳାହାଣ୍ଡିକୁ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହା ସହ କୋଭିଡ୍ ସ୍ଥିତି, ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପ୍ରସ୍ତୁତି ଉପରେ ଅନୁଧ୍ୟାନ କରିଥିଲେ । ଉଭୟ ଅଧିକାରୀ ସ୍ୱତନ୍ତ୍ର ବିମାନ ଯୋଗେ ଉତକେଲା ଏୟାରଷ୍ଟ୍ରିପ୍ ରେ ପହଂଚିଲା ପରେ ସେଠାରେ ଏୟାରଷ୍ଟ୍ରିପ୍ ର ସ୍ଥିତି, ଜମି ଅଧିଗ୍ରହଣ ଉପରେ ସମୀକ୍ଷା କରିଥିଲେ । ଆରସିଏସ୍ ଉଡ଼ାନ୍ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଉତକେଲାରୁ ଭୁବନେଶ୍ୱର ଏବଂ ରାୟପୁରକୁ ସାପ୍ତାହିକ ବିମାନ ସେବା ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଥିଲେ । ଉଭୟ ଅଧିକାରୀ ଭଙ୍ଗାବାରିସ୍ଥିତ ନିର୍ମାଣାଧିନ ୧୦୦ ଶଯ୍ୟା ବିଶିଷ୍ଟ ସରକାରୀ ମେଡିକାଲ୍ କଲେଜ ପରିଦର୍ଶନ କରିଥିଲେ । ଅଧ୍ୟାପନା ବ୍ଲକ୍, ଅଡିଟୋରିୟମ୍, ପୁରୁଷ ଓ ମହିଳା ହଷ୍ଟେଲ୍ ସହ ଆସନ୍ତା ୩୧ ଡିସେମ୍ବର ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ସେହିଭଳି ୬୫୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜର ପୂର୍ଣ୍ଣାଙ୍ଗ ଅଟକଳ ନେଇ ଟିକିନିଖି ସମୀକ୍ଷା କରି ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିବାକୁ ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏହି ଅବସରରେ ଆୟୋଜିତ ସମୀକ୍ଷା ବୈଠକରେ କେସିଙ୍ଗା-ବଲାଙ୍ଗୀର ୨୨୦ ଲାଇନ୍ ର ଶୀଘ୍ର କାମ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଧେଶ ଦେଇଥିଲେ । ୫-ଟି ସଚିବ ଶ୍ରୀପାଣ୍ଡିଆନ୍ ନୂତନ ଭାବେ ଉଦଘାଟିତ ହୋଇଥିବା ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ । ଯେପରି ସବୁ ହିତାଧିକାରୀ ଏହି ପ୍ରକଳ୍ପର ସୁବିଧା ପାଇବେ, ତାହା ନିଶ୍ଚିତ କରାଇବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏହା ବାଦ୍ ନୂଆ ବସ୍ଷ୍ଟାଣ୍ଡ, ସାନ୍ଦୁଲ ଜଳସେଚନ ପ୍ରକଳ୍ପ, ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପ, ବିଜୁ ଏକ୍ସପ୍ରେସ ୱେ, ନିର୍ମାଣାଧିନ ଭବାନୀପାଟଣା ଟାଉନ୍ ହଲ ଓ ଧର୍ମଗଡ଼ ଆଇଟିଆଇ ସମ୍ପର୍କରେ ସମୀକ୍ଷା କରାଯାଇଥିଲା ।ରାଜ୍ୟ ସରକାରଙ୍କ ୫-ଟି ଅଧିନରେ ହାଇସ୍କୁଲ୍ ରୂପାନ୍ତରିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ୨୬ଟି ହାଇସ୍କୁଲକୁ ନିଆଯାଇଛି । ଏହି ଅବସରରେ ମୁଖ୍ୟ ଶାସନ ସଚିବ ଓ ୫- ଟି ସଚିବ ଭବାନୀପାଟଣାସ୍ଥିତ ଟାଉନ୍ ହାଇସ୍କୁଲ୍ ଏବଂ ବ୍ରଜମୋହନ ହାଇସ୍କୁଲ୍ ପରିଦର୍ଶନ କରି ରୂପାନ୍ତରିତ ହୋଇଥିବା ସ୍ମାର୍ଟ କ୍ଲାସ୍, କୋଠରୀ, ବିଜ୍ଞାନ ପରୀକ୍ଷାଗାର, ଶୌଚାଳୟ, ଇ-ପାଠାଗାର ବୁଲି ଦେଖିଥିଲେ ଏବଂ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର