ବାରିପଦା, ୦୫/୦୮/୨୦୨୧(ଓଡ଼ିଶା ସମାଚାର)- ଛାତ୍ରଛାତ୍ରୀମାନଙ୍କୁ ଚାରି ବର୍ଷ ଧରି ବୃତି ଟଙ୍କା ମିଳିନଥିବାର ସାଂଘାତିକ ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ।୨୦୧୭ ମସିହାରେ ବୃତି ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ସ୍କୁଲ କର୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହେବା ପରେବି ସେମାନଙ୍କୁ ମିଳୁନି ବୃତି ଟଙ୍କା । ଏଭଳି ସାଂଘାତିକ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାର ଏମକେସି ଉଚ୍ଚବିଦ୍ୟାଳୟରୁ ।ଗତ ୨୦୧୭ ମସିହା ନେସନାଲ ମେରିଟ୍ ସ୍କଲାରସିପ୍ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ୭ଜଣ ଛାତ୍ରଛାତ୍ରୀ ୪ବର୍ଷ ପରେବି ଅଦ୍ୟାବଧି ପାଇନାହାନ୍ତି ସେମାନଙ୍କର ବୃତିି ପରୀକ୍ଷା ସହାୟତା ରାଶି । ପିଲା ଓ ଅଭିଭାବକମାନେ ବାରମ୍ବାର ସ୍କୁଲ କର୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଆସୁଥିଲେ ମଧ୍ୟ ତାଙ୍କ ସମସ୍ୟାର ସମାଧାନ ହେଉନି ବୋଲିଅଭିଯୋଗ ଆଣିଛନ୍ତି ଛାତ୍ରୀ ଲିପସା ଶତପଥୀ, ଖୁସବୁ ସାମଲ, ଅଭିବାବକ ରିତା ସତପଥୀ ପ୍ରମୁଖ । ସବୁଠାରୁ ଦୁଃଖର କଥାଯେ ସାରା ଜିଲ୍ଲାରୁ ଶତାଧିକ ଛାତ୍ରଛାତ୍ରୀ ଏହି ବୃତି ପରୀକ୍ଷାରେ ସଫଳ ହୋଇଥିଲେ ମଧ୍ୟ କିଏ ବୃତିି ପାଇଛି ଆଉ କିଏ ପାଇନାହିଁ ତା’ର କୌଣସି ତଥ୍ୟ ଜିଲା ଶିକ୍ଷାଧିକାରୀଙ୍କ ପାଖରେ ମଧ୍ୟ ନାହିଁ । ମୟୁରଭଂଜର ସବୁଠାରୁ ବଡ ସ୍କୁଲ ଭାବରେ ଜଣାଶୁଣା ଶତାୟୁଏମ.କେ.ସି.ହାଇସ୍କୁଲ ରେ ଏଭଳି ଘଟଣା ଘଟିବା ସମସ୍ତଙ୍କୁ ଚକିତ କରିଛି । ସ୍କୁଲର ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ରାଉତ ଙ୍କୁ ଏବିଷୟରେ ପଚାରିବାରୁ ସେ କିଛି ଜାଣନ୍ତି ନାହିଁ ବୋଲି କହିବା ସହିତ ଯେଉଁ ଶିକ୍ଷକ ଏହି ଦାୟିତ୍ୱରେ ଅଛନ୍ତି ସେ ଜାଣିଥିବେ ବୋଲି ପ୍ରକାଶ କରିଛନ୍ତି । ଦାୟିତ୍ୱରେ ଥିବା ଶିକ୍ଷକ ସତ୍ୟ ରଂଜନ ମହାନ୍ତଙ୍କୁ ପଚାରିବାରୁ ସେ ସେହି ପୋର୍ଟାଲର କୌଣସି ଲଗଇନ୍ ଆଇ.ଡି ଓ ପାସୱାର୍ଡ ପ୍ରଧାନଶିକ୍ଷକଙ୍କ ଠାରୁ ପାଇନଥିବାରୁ କିଛି କରି ପାରୁନାହାନ୍ତି ବୋଲି ଓଲଟା ଦୋଷ ଦେଇଛନ୍ତି । ତେବେ ସ୍କୁଲ କର୍ତୃପକ୍ଷଙ୍କ ଏଭଳି ଅବହେଳା ଲାଗି କୃତୀଛାତ୍ରଛାତ୍ରୀ ମାନେ ନିଜର ନ୍ୟାଯ୍ୟ ପ୍ରାପ୍ୟ ପାଇଁ ବାରଦୁଆର ଦୌଡିଦୌଡି ନୟାନ୍ତ ହେଉଛନ୍ତି ।ନିୟମାନୁସାରେ ଧାର୍ଯ୍ୟ ସରକାରୀ ସମୟସୀମା ଆସନ୍ତା ଡିସେମ୍ବର ୩୧ତରିଖ ସୁଦ୍ଧା ଯଦି ଏହି ବୃତି ନପାଆନ୍ତି ତେବେ ଆଉ କେବେବି ପାଇପାରିବେ ନାହିଁ । ତେଣୁ ଆଶାଆଶଙ୍କା ମଧ୍ୟରେ ରହିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଏଦିଗରେ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ପିଲାଙ୍କୁ ବୃତିଟଙ୍କା ଯୋଗାଇ ଦେବାକୁ ଦାବି ହେଉଛି । ଓଡ଼ିଶା ସମାଚାର