Saturday , April 1 2023
Breaking News
Home / ବିଶେଷ / ଖଣି ଅଂଚଳର ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ

ଖଣି ଅଂଚଳର ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ

ସମ୍ବଲପୁର ୦୫/୦୮/୨୦୨୧(ଓଡ଼ିଶା ସମାଚାର)- ସମ୍ବଲପୁର ଜିଲ୍ଲାରେ ରହିଥିବା ବିଭିନ୍ନ ଖଣିଅଂଚଳର ସମସ୍ୟା ଓ ସେଗୁଡିକର ସମାଧାନ ନିମନ୍ତେ ବିଭିନ୍ନ ପ୍ରସ୍ତାବ ନେଇ କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ସାକ୍ଷାତକାର କରିଛନ୍ତି ରେଙ୍ଗାଲି ବିଧାୟକ ନାଉରୀ ନାୟକ । ଏ ସମ୍ପର୍କରେ ବିଧାୟକ ନାୟକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତକାର କରି ଏକ ଚିଠି ପ୍ରଦାନ କରି ବିସ୍ତୃତ ଆଲୋଚନା କରିଛନ୍ତି । ବିଧାୟକ ନାୟକଙ୍କ ପ୍ରଦତ ପତ୍ର ଅନୁଯାୟୀ, ତଲାବିରା ୨ କୋଇଲା ଖଣିର ବିସ୍ଥାପିତ ପରିବାର ମାନଙ୍କୁ ରାଷ୍ଟ୍ରାୟତ କମ୍ପାନୀ ଏନଏଲସି ସିଧାସଳଖ ସ୍ଥାୟୀ ନିଯୁକ୍ତି, ଗୃହ ଆଦିର କ୍ଷତିପୂରଣ, ପାନୀୟ ଜଳ ଯୋଗାଣ ଏବଂ ଏକ ସୁପର ସ୍ପେଶାଲିଟି ଡାକ୍ତରଖାନା ନିର୍ମାଣ ନିମନ୍ତେ ଦାବି କରିଛନ୍ତି । ୨୦୧୬ମସିହାରେ କମ୍ପାନୀକୁ କେନ୍ଦ୍ର ସରକାର ଦ୍ୱାରା ଅନୁମତି ପ୍ରଦାନ ପରେ ବସିଥିବା ଆରପିଡିଏସି ବୈଠକ ଗୁଡିକ ପରେ କମ୍ପାନୀରେ ସିଧାସଳକ ନିଯୁକ୍ତି ପ୍ରଦାନ ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କମ୍ପାନୀ ପ୍ରତିଶ୍ରୁତିକୁ ଅବହେଳା କରି ଜମିହରା, କ୍ଷତିଗ୍ରସ୍ତ ପରିବାର ଙ୍କୁ ଛୋଟ ଛୋଟ ଠିକାଦାରଙ୍କ ମାଧ୍ୟମରେ ନିଯୁକ୍ତି ପ୍ରଦାନ କରିବା ସହିତ ଇଚ୍ଛାନୁଯାୟୀ ସେମାନଙ୍କୁ ବାହାର ମଧ୍ୟ କରି ଦେଉଛି । ଆରପିଡିଏସି ବୈଠକରେ ୧ ସେପ୍ଟେମ୍ବର ୨୦୧୫ଅନୁଯାୟୀ କ୍ଷତିପୂରଣ ଦେବାର କମ୍ପାନୀ ପ୍ରତିଶ୍ରୁତି ଦେଇଥିବା ବେଳେ ୨୦୦୯ ମସିହା ଅନୁଯାୟୀ କ୍ଷତିପୂରଣ ପାଇଁ ବାଧ୍ୟ କରାଯାଉଛି । ଏହା ସହିତ ଅଂଚଳର ସ୍ଥାୟୀ ପାନୀୟ ଜଳ ଯୋଗାଣ ଓ ସୁପର ସ୍ପେଶାଲିଟି ଡାକ୍ତରଖାନା ସମ୍ପର୍କରେ ମଧ୍ୟ କମ୍ପାନୀ ପକ୍ଷରୁ କୌଣସି ଆଗ୍ରହ କରାଯାଉ ନାହିଁ । ଏଣୁ ଶୀଘ୍ର ତଲାବିରା ଖଣି ଅଂଚଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ପରିବାର ମାନଙ୍କର ସମସ୍ୟାର ସମାଧାନ ପାଇଁ ବିଧାୟକ ନାୟକ କେନ୍ଦ୍ରମନ୍ତ୍ରୀ ଯୋଶୀଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.