Saturday , November 26 2022
Breaking News
Home / ବିଶେଷ / କେନ୍ଦ୍ରାପଡାର ଆୟବା ଓ ଡିହାପଡାରେ ଗୋବରୀ ନଦୀକୁ ଭୟ କୁମ୍ଭୀର ଖାଉଛି ମଣିଷ ଓ ଗୋରୁ, ସରକାରଙ୍କ ନିଦ ଭାଙ୍ଗୁନି

କେନ୍ଦ୍ରାପଡାର ଆୟବା ଓ ଡିହାପଡାରେ ଗୋବରୀ ନଦୀକୁ ଭୟ କୁମ୍ଭୀର ଖାଉଛି ମଣିଷ ଓ ଗୋରୁ, ସରକାରଙ୍କ ନିଦ ଭାଙ୍ଗୁନି

କେନ୍ଦ୍ରାପଡ଼ା, ୦୫/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ୨ବର୍ଷ ହେଲାଣି କେନ୍ଦ୍ରାପଡାର ଗୋବରୀ ନଦୀରେ ବଉଳା ଓ କଳା କୁମ୍ଭୀରମାନେ ବହୁଳ ସଂଖ୍ୟରେ ବୁଲାବୁଲି କରୁଥିବା ଲୋକେ ଦେଖି ଭୟଭୀତ ହୋଇପଡିଛନ୍ତି । ଫଳରେ ନଦୀକୁ ଲାଗି ରହିଥିବା ଗ୍ରାମ ଗୁଡିକର ଗ୍ରାମବାସୀମାନେ ନଦୀତୁଠର ବ୍ୟବହାର ସମୟରେ କୁମ୍ଭୀରର ଶିକାର ହେଉଛନ୍ତି । ଗତ ସେପ୍ଟେମ୍ବର ମାସରେ ପଟ୍ଟାମୁଣ୍ଡାଇ ବ୍ଲକର ଡିହାପଡା ପଂଚାୟତ ଅନ୍ତର୍ଗତ କୁପୁନି ଗ୍ରାମର ଶ୍ରମିକ ନିତ୍ୟାନନ୍ଦ ସେନାପତିଙ୍କ ପୁଅ ଶିବାନନ୍ଦ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଏକ ବଉଳା କୁମ୍ଭୀର ତାଙ୍କୁ ଝାମ୍ପି ନେଇଥିଲା । ଗ୍ରାମବାସୀମାନେ ପ୍ରଶାସନକୁ ଅବଗତ କଲାପରେ ଦମକଳ ଗାଡି ଯାଇ ଖୋଜାଖୋଜି କରିଥିଲେ ମଧ୍ୟ ଶିବାନନ୍ଦର ଶବ ପାଇ ନଥିଲେ । ପଟ୍ଟାମୁଣ୍ଡାଇ ଥାନା ଏକ ଅପମୃତୁ୍ୟ ମାମଲା ରୁଜୁ କରି ଚୁପ୍ ହୋଇ ବସିଯାଇ ଥିଲା ଏବଂ ଶବ ନ ମିଳିବାରୁ ପ୍ରଶାସନ ଆଜି ଯାଏଁ ଶିବାନନ୍ଦଙ୍କ ପରିବାରକୁ କୈାଣସି ସହାୟତା ଦେଇନାହିଁ । ସେହିପରି ରାଜନଗର ଅଂଚଳର ଡାଙ୍ଗମାଳ ଠାରେ କୁମ୍ଭୀର ଆତଙ୍କ ପାଇଁ ଲୋକେ ଭୟଭୀତ । ଅନେକ ସମୟରେ ଲୋକେ କୁମ୍ଭୀର ହାବୁଡରେ ପଡି ମୃତୁ୍ୟବରଣ କରୁଛନ୍ତି । ଆୟବା ଗ୍ରାମର ଅନେକାଂଶ ଗୋବରୀ ନଦୀପଠାରେ ଅବସ୍ଥିତ । ଲୋକଙ୍କ ଗାଇଗୋରୁ ନଦୀରୁ ପାଣି ପିଉଥିବା ବେଳେ କୁମ୍ଭୀର ଖାଇଯାଉଛି ଓ ଅନେକ ସମୟରେ ଲୋକମାନଙ୍କୁ କୁମ୍ଭୀର ପାଇଁ ଆତଙ୍କିତ ହୋଇ ରହିବାକୁ ପଡିଛି । ବ୍ୟବହାର ଉପଯୋଗୀ ତୁଠମାନଙ୍କରେ ତାରବାଡ ଲଗାଯାଇ ଲୋକମାନଙ୍କୁ ସୁରକ୍ଷା ଦେବାପାଇଁ ପ୍ରଶାସନଙ୍କୁ ଅଭିଯୋଗ କଲେ ମଧ୍ୟ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ନିଦ୍ରାବ୍ରହ୍ମ ସାଜିଛନ୍ତି । ସାଧାରଣ ଲୋକଙ୍କ ଜୀବନ ବାଇବା ପାଇଁ ଯେମିତି କାହାରି ଦାୟିତ୍ୱ ନଥିବା ପରି ମନେ ହେଉଛି । କୁମ୍ଭୀର ଆତଙ୍କ ଖବର ପାଇ ଗତକାଲି ଅଖିଳ ଭାରତ କଂଗ୍ରେସ କମିଟି ସଭ୍ୟ ହଳଧର ସେଠୀ ଆୟବା ଓ ଡିହାପଡା ଅଂଚଳର ଗୋବରୀ ନଦୀ ତୁଠ ଗୁଡିକୁ ବୁଲି ଦେଖିବା ସହ ଗ୍ରାମବାସୀମାନଙ୍କ ସହ ସେମାନଙ୍କ ସୁରକ୍ଷା ବିଷୟରେ ଆଲୋଚନା କରିଛନ୍ତି । ସାଧାରଣ ଲୋକଙ୍କ ଜୀବନର ସୁରକ୍ଷା ପ୍ରତି ଜିଲ୍ଲା ପ୍ରଶାସନ ବିଶେଷ କରି ଡି.ଏଫ୍.ଓ. ଯତ୍ନବାନ ନହେବା ଦ୍ୱାରା ମଣିଷ ଓ ଗାଇଗୋରୁ କୁମ୍ଭୀର ହାବୁଡରେ ପଡୁଛନ୍ତି ଏବଂ ବେଳେବେଳେ କୁମ୍ଭୀର ମଣିଷ ଖାଇଯିବାର ସୁଯୋଗ ପାଉଛି । ଲୋକଙ୍କ ଦାବି ଅନୁଯାଇ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତ୍ୟେକ ନଦୀତୁଠରେ ତାର ଡାଫେରୀ ବାଡ କରାଯାଇ ନଦୀଜଳର ବ୍ୟବହାର ପାଇଁ ସୁଯୋଗ ଦିଆଯିବା ସହ କୁମ୍ଭୀର ଘଉଡାଇବା ପାଇଁ ଗାର୍ଡ ବା ଜଙ୍ଗଲ କର୍ମଚାରୀ ନିଯୁକ୍ତି ଦେବାପାଇଁ କଂଗ୍ରେସ ନେତା ଶ୍ରୀ ସେଠୀ ଡି.ଏଫ୍.ଓ, ଜିଲ୍ଲାପାଳ, ପ୍ରମୁଖ ବନ ସଂରକ୍ଷକ(ପି.ସି.ସିଏଫ) ଓ ଜଙ୍ଗଲ ସଚିବଙ୍କୁ ଭେଟି ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି । ଶ୍ରୀ ସେଠୀଙ୍କ ଏହି ପରିଦର୍ଶନ ସମୟରେ ତାଙ୍କ ସହିତ କଂଗ୍ରେସ ନେତା ଭାଗୀରଥି ଜେନା, ଅନନ୍ତ ଚରଣ ସ୍ୱାଇଁ, ସମିତି ସଭ୍ୟ ବାବାଜୀ ଚରଣ ସେନାପତି, ଧିରେନ୍ଦ୍ର କୁମାର ରାଉତ, ପ୍ରମୋଦ କୁମାର ସେନାପତି ଓ ଅର୍ଜୁନ ଚରଣ ସେନାପତି ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ପ୍ରଶାସନ ସେମାନଙ୍କ ଅଭିଯୋଗ ପ୍ରତି କର୍ଣ୍ଣପାତ କରିନଥିବା ଜଣାଇଥିଲେ । ଲୋକେ ବାଉଁଶ ବାଡ ବୁଲାଇ ସେମାନଙ୍କ ତୁଠର ସୁରକ୍ଷା ପାଇଁ ଚେଷ୍ଟାକରି ମଧ୍ୟ କୁମ୍ଭୀର ଦାଉରୁ ସୁରକ୍ଷିତ ମଣୁ ନାହାନ୍ତି ବୋଲି ଅଭିଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.