ଜଗତସିଂହପୁର, ୦୪/୦୮/୨୦୨୧(ଓଡ଼ିଶା ସମାଚାର)–ଜଗତସିଂହପୁର ଜିଲାରେ ସମ୍ଭାବ୍ୟ ସୁନାମୀର ମୁକାବିଲା ନିମନ୍ତେ ଜିଲା ପ୍ରଶାସନ ଏବଂ ଓସଡମା ତରଫରୁ ଏକ ପ୍ରଶିକ୍ଷଣ ଶିବିର ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍ ଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଯୋଗଦେଇ ଅତିରିକ୍ତ ଜିଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ କହିଲେ ଜଗତସିଂହପୁର ଜିଲ୍ଲାର ସୁନାମୀ ପ୍ରବଣ ଅଂଚଳରେ ଥିବା ଗାଁ ଗୁଡିକୁ ସୁନାମୀ ରେଡିନେସ୍ ପୋଗ୍ରାମରେ ସାମିଲ କରାଯିବା ପାଇଁ ଆଜି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି । ଜଗତସିଂହପୁର ଜିଲାର ନୋଳିଆ ସାହିକୁ ୟୁନେସ୍କୋ ଦ୍ୱାରା ପୂର୍ବରୁ ସୁନାମୀ ପ୍ରବଣ ଗାଁ ଭାବରେ ଚିହ୍ନଟ କରାଯାଇଛି । ଆଗାମୀ ଦିନରେ କୁଜଙ୍ଗ,ବାଲିକୁଦା,ଏରସମା ଓ ପାରାଦ୍ୱୀପ ପୈାର ପରିଷଦର କେତେକ ଗାଁକୁ ସୁନାମୀ ପ୍ରବଣ ଗାଁ ଭାବରେ ଚିହ୍ନଟ କରାଯାଇ ବ୍ୟାପକ ପ୍ରସ୍ତୃତ କରାଯିବ । ଏହି ବୈଠକରେ ଓସଡମାର ମୁଖ୍ୟ ସାଧାରଣ ପରିଚାଳକ ସୁସ୍ମିତା ବେହେରା ଯୋଗଦେଇ ପାୱାର ପଏନ୍ଟ ପ୍ରେଜେନଟେସନ ମାଧ୍ୟମରେ ଉପସ୍ଥିତ ଅଧିକାରୀ,ସ୍ୱେଛାସେବୀ ସଂଗଠନ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଜଗତସିଂହପୁର ଜିଲ୍ଲାର ୩ଟି ବ୍ଲକ ଓ ପାରାଦ୍ୱୀପ ପୌର ପରିଷଦର ୩୩ ଟି ଗାଁକୁ ସୁନାମୀ ପ୍ରବଣ ଗାଁ ଭାବରେ ଚିହ୍ନଟ କରାଯାଇଅଛି । ସେହିସବୁ ଗାଁ ଗୁଡିକର ଲୋକମାନଙ୍କୁ ସଚେତନତା କରାଯିବା ସହ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯିବ । ବିଦ୍ୟାଳୟ ସ୍ତରରେ ପିଲାମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯିବ । ଆସନ୍ତା ଅକ୍ଟୋବର ସୁଦ୍ଧା ସମସ୍ତ ପ୍ରସ୍ତୃତି ସାରିବାକୁ ଶ୍ରାମତୀ ବେହେରା ମତବ୍ୟକ୍ତ କରିଥିଲେ । ସୁନାମୀ ସତର୍କ ସୂଚନା ଆସିବାର ୪ ଘଂଟା ମଧ୍ୟରେ ଲୋକମାନଙ୍କୁ ଆଶ୍ରୟସ୍ଥଳିକୁ ସ୍ଥାନାନ୍ତରିତ କରାଯିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ପ୍ରାକୃତିକ ବିପର୍ଯ୍ୟୟ ବେଳେ ଜିରୋ କାଜୁଆଲଟିକୁ ପ୍ରାଧାନ୍ୟ ଦେବା ପାଇଁ ପରାମର୍ଶ ଦେଇଛନ୍ତି । ତେଣୁ ସୁନାମୀ ବେଳେ ଏହାକୁ ଅଗ୍ରାଧିକାର ଦିଆଯିବ ।
ଏହି ବୈଠକରେ ଏରସମା, ବାଲିକୁଦା, କୁଜଙ୍ଗର ବି.ଡି.ଓ, ବିଭିନ୍ନ ବ୍ଲକର ବି.ଇ.ଓ,ସିଭିଲ ଡିଫେନସ ର କର୍ମକର୍ତା,ଓଡ୍ରାଫର କର୍ମକର୍ତା, ସ୍ୱେଛାସେବୀ ସଂଗଠନ ଶ୍ରଦ୍ଧା, ଜନ୍ମଭୂମି,ସୃଜନୀ,ନବଜ୍ୟୋତି କ୍ଲବ, ରୁସା ଆହ୍ୱାନ କମ୍ବାଇନ,ଅଗ୍ନିଶମ ବିଭାଗର କର୍ମକର୍ତା ଉପସ୍ଥିତ ରହିି ଆଲୋଚନାରେ ଭାଗନେଇ ଥିଲେ । ଏହି ବୈଠକକୁ ଜିଲ୍ଲା ଜରୁରୀ ଅଧିକାରୀ ଶ୍ରୀ ଅଜୟ କୁମାର ମହାନ୍ତି ପରିଚାଳନା କରିଥିଲେ । ଓଡ଼ିଶା ସମାଚାର