ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି କୋଭିଡର ତୃତୀୟ ଲହର ନେଇ ସତର୍କ କରିଛନ୍ତି ।ମୁଖ୍ୟମନ୍ତ୍ରୀ କହିଛନ୍ତି କୋଭିଡର ଦ୍ଵିତୀୟ ଲହରକୁ ମୁକାବିଲା କରିବାରେ ଆପଣମାନେ ଯେପରି ପ୍ରଶାସନକୁ ସହଯୋଗ ଯୋଗାଇ ଦେଲେ, ସେଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଆମ ସମସ୍ତଙ୍କର, ବିଶେଷକରି ଆମର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କର କଠିନ ପରିଶ୍ରମ ଯୋଗୁ ଓଡ଼ିଶା ଆଜି ଭଲ ସ୍ଥିତିରେ ଅଛି।
ହେଲେ ଏ ଯୁଦ୍ଧ ଏବେ ସରି ନାହିଁ। ବିଶ୍ୱର ବିଭିନ୍ନ ଦେଶମାନଙ୍କରେ ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି। ଗତ କିଛି ମାସ ହେଲା ଲକଡାଉନ ଯୋଗୁ ବହୁ ଲୋକଙ୍କ ଜୀବିକା ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଆମେ ଅନଲକ୍ କରିଛୁ। ଜୀବନ ଓ ଜୀବିକା ଉଭୟ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ।
ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି ସତର୍କତାରେ କେବେ ବି ଢିଲା କରିବା ଉଚିତ ନୁହେଁ। ଯଦିଓ ଦୋକାନ ଖୋଲା ରହୁଛି, ତଥାପି ନିହାତି ଦରକାର ନ ହେଲେ ବାହାରକୁ ଯାଆନ୍ତୁ ନାହିଁ। କୌଣସି ଜାଗାରେ, କୌଣସି ପରିସ୍ଥିତିରେ ଭିଡ କରନ୍ତୁ ନାହିଁ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା, ବର୍ତ୍ତମାନ ପରିସ୍ଥିତିରେ ଖୁବ ଜରୁରୀ।
ଆମେ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛୁ। ଲୋକମାନେ ଯଦି କୋଭିଡ ନିୟମକୁ ଠିକ୍ ଭାବେ ପାଳନ ନ କରନ୍ତି ତେବେ ପୁଣିଥରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିବାକୁ ଆମେ ବାଧ୍ୟ ହେବୁ। ଏହାଦ୍ବାରା ବହୁ ଲୋକଙ୍କର ଅସୁବିଧା ହେବ। କିନ୍ତୁ ଯଦି ଆମ ପାଖରେ ଅନ୍ୟ କିଛି ବିକଳ୍ପ ନ ଆସେ, ତେବେ ବାଧ୍ୟ ହୋଇ ଲକଡାଉନ କରିବାକୁ ନିଷ୍ପତ୍ତି ନେବୁ।
ଜୀବନ ମୂଲ୍ୟବାନ। ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଆମକୁ ଦାୟିତ୍ବପୂର୍ଣ୍ଣ ଭାବେ ବ୍ୟବହାର କରିବାକୁ ହେବ। ନିଜର ତଥା ନିଜ ପ୍ରିୟଜନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ। ଓଡ଼ିଶାକୁ ନିରାପଦ ରଖିବା ସହ ଜୀବନଜୀବିକା ଯେପରି ସୁବିଧାରେ ଆଗକୁ ବଢିଚାଲିବ, ସେଥିରେ ସମସ୍ତଙ୍କ ସହଯୋଗ କାମନା କରୁଛି। ଓଡ଼ିଶା ସମାଚାର
ମୁଖ୍ୟମନ୍ତ୍ରୀ କହିଛନ୍ତି :