Friday , September 22 2023
Breaking News
Home / ବିଶେଷ / ମାନବାଧିକାର କମିଶନଙ୍କୁ ଦାବିପତ୍ର ଦେଲେ  ଆକ୍ରମଣର ଶିକାର ଆନ୍ଦୋଳନକାରୀ

ମାନବାଧିକାର କମିଶନଙ୍କୁ ଦାବିପତ୍ର ଦେଲେ  ଆକ୍ରମଣର ଶିକାର ଆନ୍ଦୋଳନକାରୀ

ଭୁବନେଶ୍ୱର,୦୨/୦୮/୨୦୨୧(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ପଂଚାୟତରେ ମନରେଗା ଯୋଜନାରେ  ହୋଇଥିବା ଅର୍ଥ ବାଟମାରଣା, ତୋଷାରପାତ ଓ ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରି ଗତ ୧୫ ଦିନ ହେଲା ଚାଲିଥିବା ଧାରଣା ଉପରେ କିଛି ଦୁର୍ବୃତ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ମନରେଗା ଯୋଜନାରେ କାର୍ଯ୍ୟ କରିଥିବା ଶ୍ରମଜୀବୀମାନଙ୍କୁ ଧାର୍ଯ୍ୟ ପ୍ରାପ୍ୟ ଠାରୁ କମ୍ ମଜୁରୀ ଦେବା, କାମ ନକରିଥିବା ଲୋକଙ୍କୁ ଅର୍ଥ ପ୍ରଦାନ କରିବା, ଭୂତ ଜବକାର୍ଡ଼ ପ୍ରସ୍ତୁତ କରିବା ଏବଂ ମେସିନ୍ ମାଧ୍ୟମରେ କାର୍ଯ୍ୟ କରାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ଓ ହରିଲୁଟ କରିବାର ପ୍ରମାଣ ମିଳିବା ପରେ ଏହାର ପ୍ରତିବାଦରେ କ୍ଷତିଗ୍ରସ୍ତ ଲୋକଙ୍କ ପକ୍ଷରୁ ବ୍ଲକ ଓ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରାଯାଇଥିଲା । ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ବ୍ଲକ ଅଫିସ୍ ସମ୍ମୁଖରେ ଗ୍ରାମବାସୀମାନେ ଧାରଣା ଦେଇଥିଲେ । ଜିଲ୍ଲା ଓ ବ୍ଲକ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବା ତ ଦୂରର କଥା ବରଂ ନୀରବଦ୍ରଷ୍ଟା ସାଜିବାରୁ ହରିଲୁଟ୍ ରେ ସମ୍ପୃକ୍ତ ଅଭିଯୁକ୍ତ ମାନେ ଧାରଣାକାରୀଙ୍କୁ ଏଥିରୁ ଓହରି ନଗଲେ ହତ୍ୟା କରିବାର ଧମକ ଚମକ ଦେଇଥିଲେ । ଏସପିଙ୍କ ସହ ଏଥିନେଇ ଆଲୋଚନା ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଗତ ୨୭ ତାରିଖ ରାତି ୨ଟାରେ ସମ୍ପୃକ୍ତ ଅଭିଯୁକ୍ତମାନେ ଅସାମାଜିକ ଯୁବକମାନଙ୍କୁ ସାଙ୍ଗରେ ଆଣି ଆନ୍ଦୋଳନକାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଅନୁସୂଚିତ ବର୍ଗର ବ୍ୟକ୍ତିମାନଙ୍କୁ ସେମାନଙ୍କ ଜାତି ନେଇ ଆକ୍ଷେପ କରିବା ସହ ମାଡ଼ ମାରିଥିଲେ ଏବଂ ମହିଳା ଆନ୍ଦୋଳନକାରୀଙ୍କ ଉପରେ ଅସଦଆଚରଣର ଉଦ୍ୟମ ମଧ୍ୟ କରିଥିଲେ । ଧାରଣାସ୍ଥଳରେ ଥିବା ଆମ୍ବେଦକରଙ୍କ ଫଟୋକୁ ଭାଙ୍ଗି ପାଦରେ ଦଳିଦେବା ସହ ସେଠାରେ ଥିବା ଚେୟାରଗୁଡ଼ିକୁ ଭାଙ୍ଗିରୁଜି ଦେଇଥିଲେ । ଏସବୁ ସତ୍ୱେ ଜିଲ୍ଲା ପୋଲିସ୍ ପ୍ରଶାସନ ପକ୍ଷରୁ ଘଟଣାକୁ ଗୁରୁତ୍ୱ ନଦେଇ ନାମକୁ ମାତ୍ର ଦୁଇଜଣକୁ ଗିରଫ କରି, ମୁଖ୍ୟ ଆସାମୀଙ୍କୁ ଖୋଲା ଛାଡ଼ିଦେଇ ଘଟଣାକୁ ଚାପିଦେବାକୁ ଉଦ୍ୟମ କରାଗଲା । ଅପରପକ୍ଷରେ ଆକ୍ରମଣକାରୀଙ୍କ ଉପରେ ଅନୁସୂଚିତ ଜାତି ଓ ଜନଜାତି ନିର୍ଯ୍ୟାତନା ଆଇନ ଅନୁଯାୟୀ ଦଫା ଲଗାଇବା ପରିବର୍ତେ ପୋଲିସ ସେମାନଙ୍କୁ ଘଂଟ ଘୋଡ଼ାଇବାକୁ ଚେଷ୍ଟା କରୁଥିବାରୁ ଆଜି ଯୁବ ସମାଜସେବୀ ଅମୀୟ ପାଣ୍ଡବ ଓ ବହୁଜନ ଯୁବଛାତ୍ର ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ଅନିଲ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଆକ୍ରମଣ ଶିକାର ହୋଇଥିବା ପୀଡ଼ିତା ରୀନା କାଣ୍ଡି ଏବଂ ପି୍ରୟଙ୍କା ଭୋଇଙ୍କ ସମେତ ଏକ ୫ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମାନବାଧିକାର କମିଶନର ଅଧ୍ୟକ୍ଷଙ୍କୁ ସାକ୍ଷାତ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆବଦେନ ଓ ଆଲୋଚନା କରିଥିଲେ । ମାନ୍ୟବର କମିଶନ ମଧ୍ୟ ଏହି କେସ୍ କୁ ପଞ୍ଜିକରଣ କରି ଜିଲ୍ଲା ଏସପିଙ୍କୁ ନୋଟିସ୍ କରିବା ସହ ଆସନ୍ତା ସେପ୍ଟେମ୍ବର ୨୬ ତାରିଖକୁ ବିଚାର ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *