ପାରାଦୀପ,୦୨/୦୮/୨୦୨୧(ଓଡ଼ିଶା ସମାଚାର)-କରୋନା ମହାମାରୀ ର ଦୀର୍ଘ ପ୍ରଭାବରେ ଜଗତସିଂହପୁର ଜିଲ୍ଲାର ବନ୍ଦର ଓ ଶିଳ୍ପ ସହର ପରାଦ୍ୱୀପରେ ବିଭିନ୍ନ ଉନ୍ନୟନ ମୂଳକ ବିକାଶ କାର୍ଯ୍ୟ ପ୍ରକଳ୍ପରେ ନାକରାତ୍ମକ ପ୍ରଭାବ ପକାଇଥିଲେ । ତେବେ ରାଜ୍ୟ ସରକାରଙ୍କ ପ୍ରୟାସରେ ସଂପ୍ରତି ପାରାଦ୍ୱୀପରେ ବିଭିନ୍ନ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କ୍ରମରେ ଶନିବାର ଦିନ ଜଗତସିଂହପୁର ଜିଲ୍ଲପାଳ ସଂଗ୍ରାମ କେଶରୀ ମହାପାତ୍ର ପାରାଦ୍ୱୀପର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିବା ବେଳେ ଗୁଣାତ୍ମକ ଶିକ୍ଷାର ବିକାଶ ଜିଲ୍ଲାର ୨୪ଟି ସ୍କୁଲର ଭିତିଭୂମୀ ଗୁଡିକ ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଅବସରେ ଜିଲ୍ଲାପାଳ ପାରାଦ୍ୱୀପ ମୁନିସିପାଲିଟି ହାଇସ୍କୁଲ ରେ ଦୁଇଟି ସ୍ମାର୍ଟ ଶ୍ରେଣୀ ଗୃହ କାର୍ଯ୍ୟର ଶିଳାନ୍ୟାସ କରିଥିଲେ । ଏତଦବ୍ୟତୀତ ପାରାଦ୍ୱୀପ ସମୁଦ୍ର ବେଳାଭୂମିର ବାଲିରେ ସମୁଦ୍ର ପର୍ଯ୍ୟନ୍ତ କାଠ ପୋଲ ନିର୍ମାଣ ର ନିଷ୍ପତି, ସମୁଦ୍ରକୂଳରେ ଥିବା ବିଜ୍ଞାନ ଉଦ୍ୟାନ ରେ ଅଡିଟୋରିୟମ ଢାଂଚାରେ ଏକ ସ୍ୱତନ୍ତ୍ର ଗୃହ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ, ଭୂତମୁଣ୍ଡାଇ ନିକଟସ୍ଥ ବାହାଦିଆ ଅଂଚଳରେ ସରକାରଙ୍କ ଅନୁମୋଦନ କ୍ରମେ ୩୦ ଏକର ଜମି ଉପରେ ଅତ୍ୟାଧୁନିକ ଟ୍ରକ ଟର୍ମିନାଲ ନିର୍ମାଣ ସମୀକ୍ଷା କରିଥିଲେ । ଦୀର୍ଘଦିନ ହେଲା ପାରାଦ୍ୱୀପ ଅଠରବାଙ୍କୀ ଠାରୁ ପାରାଦ୍ୱୀପ ଗଡ ପର୍ଯ୍ୟନ୍ତ ରାସ୍ତା, ଟର୍ମିନାଲ ଛକ ଠାରୁ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତା, ପିପିଏଲ କାରଖାନା ନିକଟରୁ ପିପିଏଲ ଛକ ପର୍ଯ୍ୟନ୍ତ ରାସ୍ତା ଏବଂ ଆଇଓସିଏଲ ଜିରୋ ପଏନ୍ଟ ଛକ ଠାରୁ ରଙ୍ଗିଆଗଡ ରାସ୍ତା ର ଅବସ୍ତା ଶୋଚନୀୟ ହୋଇପଡିଛି । ଫଳରେ ଦୈନିକ ଛୋଟ ବଡ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଛି । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଏନଏଚଆଇ କର୍ତୃପକ୍ଷ ଏ ସମ୍ପର୍କରେ ପଦକ୍ଷେପ ନେଉନଥିଲେ । ଶନିବାର ଅପରାହ୍ନରେ ଜଗତସିଂହପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମୁନିସିପାଲିଟି ସଭାଗୃହ ରେ ଏକ ସମୀକ୍ଷା ବୈଠକରେ ଆଇଓସିଏଲ, ପିପିଏଲ, ଇଫକୋ, ପାରାଦ୍ୱୀପ ବନ୍ଦର ଓ ଏନଏଚଆଇ ପ୍ରତିନିଧି ମାନଙ୍କ ଉପସ୍ଥିତ ରେ ସମସ୍ତଙ୍କ ସହଯୋଗରେ ସମସ୍ତ ରାସ୍ତାଘାଟର ମରାମତି ଓ ରକ୍ଷଣାବେକ୍ଷଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ତେବେ ଖୁବ ଶୀଘ୍ର ବନ୍ଦର ସହରର ରାସ୍ତା ସମସ୍ୟାର ସମାଧାନା ହେବା ସେଙ୍ଗ ସେଙ୍ଗ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବ ବୋଲି ଜିଲ୍ଲାପାଳ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । ଓଡ଼ିଶା ସମାଚାର