ନୂଆଦିଲୀ/ ଭୁବନେଶ୍ୱର,୦୨/୦୮/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ରସାବଳୀକୁ ‘ଜି.ଆଇ. ଟ୍ୟାଗ୍’ ଦେବାପାଇଁ ଦାବି କରି ସାଂସଦ ସୁବାସ ସିଂହଙ୍କ ନେତୃତ୍ୱରେ ସାଂସଦ ମୁନ୍ନା ଖାଁ ଓ ସାଂସଦ ମମତା ମହାନ୍ତ ରବିବାର କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ୍ ଙ୍କୁ ପାର୍ଲାମେଂଟ କାର୍ଯ୍ୟାଳୟରେ ଭେଟି ସ୍ମାରକପତ୍ର ଦେଇଛନ୍ତି । ରସାବଳୀ ହେଉଛି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ମୁଖ୍ୟ ପ୍ରସାଦ । ଇତିହାସ କହେ,ଗଙ୍ଗବଂଶ ରାଜତ୍ୱ ଅର୍ଥାତ୍ ୪୦୦ ବର୍ଷ ତଳୁ ରସାବଳୀ ସ୍ୱାଦିଷ୍ଠ ମିଷ୍ଟାନ୍ନ ଭାବେ ସ୍ୱକୀୟ ପରିଚୟ ସୃଷ୍ଟି କରିଛି । ପ୍ରାଚୀନ ଦାଣ୍ଡି ରାମାୟଣ ଏବଂ ଜଗମୋହନ ରାମାୟଣରେ ମଧ୍ୟ ରସାବଳୀ ସମ୍ପର୍କରେ ଅତ୍ୟନ୍ତ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । କେନ୍ଦ୍ରାପଡ଼ାର ଅନେକ ବାସିନ୍ଦା ଏହି ରସାବଳୀ ବିକ୍ରୟ କରି ଗୁଜୁରାଣ ମେଂଟାଉଛନ୍ତି । କଟକର ପ୍ରସିଦ୍ଧ ବାଲିଯାତ୍ରା ସମେତ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରମୁଖ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇ ଏହା ଆଦୃତ ହୋଇପାରିଛି । ଦେଶ ତଥା ବିଦେଶରେ ପ୍ରସିଦ୍ଧି ଲାଭ କରିଥିଲେ ସୁଦ୍ଧା ଏଯାବତ୍ କେନ୍ଦ୍ରପଡ଼ାର ରସାବଳୀକୁ ‘ଜି.ଆଇ.ଟ୍ୟାଗ୍’ ମିଳିନାହିଁ । ‘ଜି.ଆଇ. ଟ୍ୟାଗ୍’ ମିଳିଲେ କେନ୍ଦ୍ରାପଡ଼ାର ରସାବଳୀ ଆହୁରି ଅଧିକ ପରିଚିତ ହେବ । ଦେଶ ଓ ବିଦେଶର ପର୍ଯ୍ୟଟକମାନେ ମଧ୍ୟ ତୁଳସୀକ୍ଷେତ୍ର ପ୍ରତି ଆକର୍ଷିତ ହେବା ସହ ଭିତର କନିକା, ୧୮୦ ବର୍ଷ ପୁରୁଣା ବ୍ରିଟିସ୍ ଅମଳର ହୁକିଟୁଲା ବତିଘର ଏବଂ ବେଙ୍ଗାପସାଗରର ସୁବିସ୍ତିର୍ଣ୍ଣ ଜଳରାଶି ଆଦି ଦେଖିବାକୁ ମନବଳାଇ ଆସିବେ ବୋଲି ବୁଦ୍ଧିଜୀବୀ ତଥା ସାଂସଦମାନେ ଦାବି କରିଛନ୍ତି । ଓଡ଼ିଶା ସମାଚାର