ବାରିପଦା ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ବାରିପଦା ସହର ରେ ଦିନକୁ ଦିନ ହତ୍ୟା, ଚୋରୀ, ଛିନତାଇ, ଲୁଟ, ରାହାଜାନି, ଦୁଷ୍କର୍ମ, ସାଇବର କ୍ରାଇମ, ଚୋରା ନିଶା କାରବାର ଆଦି ବୃଦ୍ଧି ପାଇବାରେ ଲାଗିଛି । ବାରିପଦା ଟାଉନ ଥାନା ସମ୍ମୁଖରେ ଥିବା ହୋମିଓ ଡ୍ରଗ୍ ହାଉସର କବାଟକୁ ଭାଙ୍ଗି କେଶ ଡ୍ରୟାର ଭିତରେ ଥିବା ନଗଦ ଟଙ୍କା ସହ ସିସିଟିିଭି ଓ ସିସି ଟିଭି ସେସିନ ଚୋରୀ ହୋଇଥିବା ବିଷୟକୁ ନେଇ ଡ୍ରଗ୍ ହାଉସର ମାଲିକ ପୂର୍ଣ୍ଣ ଚନ୍ଦ୍ର ଜେନା ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଜୁଲାଇ ୨୯ ରାତି ପ୍ରାୟ ସାଢ଼େ ୯ ସମୟରେ ହୋମିଓ ଡ୍ରଗ ହାଉସର ମାଲିକ ପୂର୍ଣ୍ଣଚନ୍ଦ୍ର ଜେନା ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ପ୍ରତ୍ୟେକ ଦିନ ପରି ୩୦ ତାରିଖ ସକାଳ ସମୟରେ ଦୋକାନ ଖୋଲିଥିଲେ । ଏହି ସମୟରେ ଦୋକାନରେ ତାଲା ପଡ଼ିଥିବା ବେଳେ ତଳ ତାଲା ନିକଟରେ କବାଟ ଭଙ୍ଗା ଯାଇଥିବାର ଦେଖିବାକୁ ପାଇଥିଲେ ଏବଂ ଯେଉଁ ସ୍ଥାନରେ କବାଟ ଭଙ୍ଗା ଯାଇଛି ତା ସମ୍ମୁଖରେ ଥିବା ଜେରକ୍ସ ଦୋକାନର ଏକ କଟ-ଆଉଟ ରହିଥିବାର ଦେଖିବାକୁ ପାଇଥିଲେ । ଦୋକାନର ତାଲା ଖୋଲି ଭିତରକୁ ପ୍ରବେଶ କରି ଡ୍ରୟାର ତାଲା ଭଙ୍ଗାଯିବା ସହ ଭିତରେ ଥିବା ନଗଦ ଟଙ୍କା ଚୋରୀ ହୋଇଥିବାର ଜାଣିବାକୁ ପାଇଥିଲେ । ଏହାପରେ ସିସିଟିଭି ଫୁଟେଜ ଯାଂଚ କରିବାକୁ ଯିବା ବେଳେ ଦୋକାନରେ ଲାଗିଥିବା ସିସି ଟିଭି ଓ ମେସିନ ମଧ୍ୟ ଚୋରୀ ହୋଇଥିବାର ଦେଖିବାକୁ ପାଇଥିଲେ । ବର୍ଷା ହେଉଥିବାରୁ ବ୍ୟାଙ୍କରେ ଟଙ୍କା ଜମା କରିନପାରି କେଶ ଡ୍ରୟାର ଭିତରେ ଜମା ପାଇଁ ରଖିଥିବା ୧ଲକ୍ଷ ୨୦ ହଜାର ଟଙ୍କା ସହ ପୂର୍ବ ଦିନର ସେଲ ଟଙ୍କା ୨୫ ହଜାର ମଧ୍ୟରେ ଏବଂ ବ୍ୟାଙ୍କରୁ ବଦଳ କରାଇବା ପାଇଁ ରଖିଥିବା ଚିରା ଫଟା ନୋଟକୁ ମିଶାଇ ପ୍ରାୟ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ଚୋରୀ ହୋଇଯାଇଥିବାର ଜାଣିବାକୁ ପାଇଥିଲେ ଏବଂ ଉକ୍ତ ଘଟଣାକୁ ନେଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ତେବେ ବାରିପଦା ଟାଉନଥାନା ସମ୍ମୁଖରୁ ଏହି ପ୍ରକାରର ଚୋରୀ ହେବାପୁଲିସକୁ ଅପରାଧୀର ଖୋଲା ଚ୍ୟାଲେଂଜ ବୋଲି ଜନସାଧାରଣରେ ଆଲୋଚନା ହେଉଥିବା ବେଳେ ଏହି ଅପରାଧ ପେଶାଦାର ବାଳଅପରାଧୀର କାର୍ଯ୍ୟ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । କବାଟଟି ପ୍ରାୟ ୬ ଇଂଚ ମଧ୍ୟରେ ଭଙ୍ଗା ଯାଇଥିବା ବେଳେ ଏହା ମଧ୍ୟ ଦେଇ କେବଳ ଛୋଟ ପିଲା ବ୍ୟତୀତ ବଡ଼ ମଣିଷ ପ୍ରବେଶକରିବା ସମ୍ପୂର୍ଣ୍ଣ ଭାବେ ଅସମ୍ଭବ ବୋଲି ଅନୁମାନ କରାଯାଉଛି । କୌଣସି ତାଲିମ ପ୍ରାପ୍ତ ପେଶାଦାର ବାଳ ଅପରାଧୀ ଦ୍ୱାରା ଏହି କାର୍ଯ୍ୟ କରାଯାଇଥିବାର ସଂଦେହ କରାଯାଉଛି । ଜୁଲାଇ ୨୯ ରାତିରେ ଲଗାଣ ବର୍ଷାର ସୁଯୋଗ ନେଇ ଏହି ଚୋରୀ ଘଟାଇଥିବାର କୁହା ଯାଉଛି । ତେବେ ଅଭିଯୋଗ ପାଇବା ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜାରୀ ରଖିଥିବାର ପ୍ରକାଶ । ଓଡ଼ିଶା ସମାଚାର
