Monday , September 25 2023
Breaking News
Home / ଶିକ୍ଷା / ତୁଳସୀ ମହିଳା କଲେଜରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ତୁଳସୀ ମହିଳା କଲେଜରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)-ତୁଳସୀ ମହିଳା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଡେଙ୍ଗୁ ସଚେତନତା ପ୍ରସଙ୍ଗ ଉପରେ ଏକ ଆଭାସୀ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ ରଞ୍ଜନ ସାହୁ ପୌରହିତ୍ୟ କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଆଲୋଚନା ଚକ୍ରରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ଡା. ଅନିତା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡେଙ୍ଗୁ ରୋଗର ଲକ୍ଷଣ ଓ ଏହି ରୋଗର ବାହକ ଭୂତାଣୁର ଉତ୍ସ ବିଷୟରେ ସୂଚନା ପ୍ରଦାନ କରିବା ସହିତ ବ୍ୟକ୍ତିଗତ ସ୍ତରରେ କିପରି ସଚେତନତା ମାଧ୍ୟମରେ ରୋଗରୁ ସୁରକ୍ଷା ମିଳିପାରିବ ସେ ସମ୍ପର୍କରେ ସୂଚନା ଦେଇଥିଲେ ।

ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ମିର୍ଜା ବାବର ବେଗ୍ ଯୋଗ ଦେଇ ଡେଙ୍ଗୁର ବିଭିନ୍ନ ଲକ୍ଷଣ, ଏହି ରୋଗର ପ୍ରକାର ଭେଦ, ଚିକିତ୍ସା ପଦ୍ଧତି ଓ ଉପଚାର ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଡେଙ୍ଗୁ ରୋଗର ଭୂତାଣୁ ଏଡିସ୍ ମଶାର ବଂଶ ବୃଦ୍ଧିକୁ କିପରି ରୋକାଯାଇ ପାରିବ, ବ୍ୟକ୍ତିଗତ ଓ ସାମାଜିକ ସ୍ତରରେ ସଚେତନତା ଓ ସତର୍କତା ମାଧ୍ୟମରେ କିପରି ଏହି ରୋଗରୁ ସୁରକ୍ଷା ମିଳିପାରିବ ରାଜ୍ୟ ତଥା ଜିଲ୍ଲାରେ ପ୍ରଶାସନିକ ସ୍ତରରେ ଏହି ରୋଗକୁ ପ୍ରତିହତ କରିବା ପାଇଁ କ’ଣ କ’ଣ ପଦକ୍ଷେପ ନିଆ ଯାଇଛି ସେ ସମ୍ପର୍କରେ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ବିସ୍ତୃତ ଭାବେ ଆଲୋଚନା କରିଥିଲେ । କଲେଜ ଜାତୀୟ ସେବା ଯୋଜନା ଅଧିକାରୀ ଡଃ ମଥୁରୀ ଚରଣ ନାୟକ ଆଲୋଚନା ଚକ୍ରର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ କଲେଜରେ ଏହିଭଳି ଅନେକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଛତ୍ରୀ ତଥା ସ୍ୱେଚ୍ଛାସେବୀମାନଙ୍କ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ପ୍ରୋଗ୍ରାମ ଅଫିସର ଡଃ ପଦ୍ମଜା କବି ଶତପଥୀ ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ଅଧ୍ୟାପିକା ଜୟଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ  । ଏହି କାର୍ଯ୍ୟକ୍ରମରେ ଶତାଧିକ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *