କେନ୍ଦ୍ରାପଡ଼ା, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ୟୁରିଆ ସାରର ଘୋର ଅଭାବ ପରିଲକ୍ଷିତ ହୋଇଛି । କେନ୍ଦ୍ରାପଡା ଜିଲ୍ଲାରେ ୩୦ ହଜାର ମେଟ୍ରିକଟନ ୟୁରିଆ ସାରର ଆବଶ୍ୟକ ଥିବା ବେଳେ ଗତ ମଇଁ ଓ ଜୁନ ମାସରେ ଜିଲ୍ଲାକୁ ବସ୍ତାଟିଏ ବି ୟୁରିଆ ସାର ଆସିନଥିଲା । ଚଳିତ ଜୁଲାଇମାସରେ ମାତ୍ର ୨ଶହ ମେଟ୍ରିକଟନ ୟୁରିଆ ସାର ଜିଲ୍ଲାକୁ ଆସିଥିବା ସୂଚନା ମିଳିଛି । ଜିଲ୍ଲାରେ ୟୁରିଆ ସାରର ଅଭାବ ଯୋଗୁଁ ପ୍ରାୟ ସ୍ଥାନରେ ୟୁରିଆ ସାରର କଳାବଜାରୀ ଆରମ୍ଭ ହୋଇଯାଇଛି । ଏକ ବସ୍ତା ୟୁରିଆ ସାରର ଦାମ ୩ଶହ ଟଙ୍କା ହୋଇଥିବା ବେଳେ ତାହା ୬ଶହ ଟଙ୍କାରେ ବିକ୍ରୀ ହେଉଛି । ୟୁରିଆ ସାରକୁ ଅଧିକୃତ ଦୋକାନୀ ଓ ସମବାୟ ସମିତି ଗୁଡିକ ଟ୍ୟାଗ କରିଦେଇଛନ୍ତି । ଜଣେ ଚାଷୀ ଏକବସ୍ତା ଡିଏପି ସାର ନେଲେ ତାଙ୍କୁ ବସ୍ତାଏ ୟୁରିଆ ସାର ମିଳିବ । ଏକବସ୍ତା ଡିଏପି ସାରର ଦାମ ୧୫ଶହ ଟଙ୍କା ରହିଛି । ୩ଶହ ଟଙ୍କାର ଏକବସ୍ତା ୟୁରିଆ ସାର କିଣିବା ପାଇଁ ଚାଷୀଟିଏ ବାଧ୍ୟ ହୋଇ ୧୫ଶହ ଟଙ୍କା ଦେଇ ଡିଏପି ସାର ବସ୍ତାଏ କିଣିଲେ ଯାଇ ତାକୁ ୟୁରିଆ ସାର ବସ୍ତାଏ ମିଳିପାରିବ । ୟୁରିଆ ସାର ମିଳୁନଥିବା ଯୋଗୁଁ ଇଫକୋ ୩ଶହ ଟଙ୍କା ମୂଲ୍ୟର ଏକଶହ ମିଲିଲିଟର ଏକ ନାନୋ ୟୁରିଆ ଲିକୁଇଡ ବଜାରକୁ ଛାଡିଛି । ଏହି ଲିକୁଇଡକୁ ଚାଷଜମିରେ ପ୍ରୟୋଗ କରିବା ପାଇଁ ୬ଡ୍ରମ ପାଣିରେ ଲିକୁଇଡକୁ ମିଶାଯାଇ ଚାଷଜମିରେ ପକାଯିବ । ଏଥିନିମନ୍ତେ ଦୁଇଟି ମୂଲିଆ ଓ ଗୋଟିଏ ସ୍ପ୍ରେୟାର ମେସିନର ଆବଶ୍ୟକତା ରହିଛି । ତେଣୁ ଏଭଳି ପରିସ୍ଥିତିରେ ଜିଲ୍ଲାରେ ଚାଷୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପରିମାଣର ୟୁରିୟା ସାର ଯୋଗାଇଦେବାକୁ ଚାଷୀମାନଙ୍କ ପକ୍ଷରୁ ଫକିର ଚରଣ ଖଟୁଆ, ବିଧୁଭୂଷଣ ମହାପାତ୍ର, ନିରଞ୍ଜନ ପରିଡା, ପୂର୍ଣ୍ଣଚନ୍ଦ୍ର ଭଦ୍ର ପ୍ରମୁଖ ଦାବି କରିଛନ୍ତି । ଏସମ୍ପର୍କରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶିବ ପ୍ରସାଦ ମଲ୍ଲିକଙ୍କ ମତାମତ ଲୋଡିବାରେ ସେ କହିଥିଲେ ଯେ ଜିଲ୍ଲାରେ ୟୁରିଆ ସାରର ଆଉ ଆବଶ୍ୟକତା ନାହିଁ । ଗୋଟିଏ ପଟେ ଚାଷିମାନେ ୟୁରିଆ ସାରର ଘୋର ଅଭାବ ରହିଥିବା ଓ ଚାଷୀମାନେ ଏହି ସାର ନପାଇ ବହୁ ସମସ୍ୟାର ସମ୍ମୁଖିନ ହେଉଥିବା ସମ୍ପର୍କରେ ଅଭିଯୋଗ କରୁଥିବା ବେଳେ ଅନ୍ୟ ପକ୍ଷରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ମଲ୍ଲିକଙ୍କ ଏଭଳି ମତାମତ ଆଶ୍ଚର୍ଯ୍ୟ ଚକିତ କରିଛି । ଓଡ଼ିଶା ସମାଚାର