ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ ଅନୁସୂଚିତ ବର୍ଗଙ୍କ ଉପରେ ନିର୍ଯ୍ୟାତନା ଘଟଣାବଢି ଚାଲୁଥିବା ପରିପ୍ରେକ୍ଷୀରେ ଏସସି,ଏସଟି (ନିର୍ଯ୍ୟାତନା ନିବାରଣ) ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଏକ ଦିନିକିଆ ଅଧିବକ୍ତା ପରାମର୍ଶ ବୈଠକ କଟକସ୍ଥିତ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମାନବ ଅଧିକାର କମିଶନ ସଦସ୍ୟ ଶ୍ରୀ ଅସୀମ ଅମିତାଭ ଦାଶ ଓ ପ୍ରାକ୍ତନ ଖାଦ୍ୟ କମିଶନ ସଦସ୍ୟା ଡ. ସିପ୍ରା ମଲ୍ଲିକ ଏଥିରେ ଅତିଥି ଭାବେ ଯୋଗଦାନ କରି ଆଇନ ଓ ସମ୍ବିଧାନର ସଠିକ ପ୍ରୟୋଗ ନିମନ୍ତେ ସ୍ୱତନ୍ତ୍ରଭାବରେ ଦୃଢ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରିଥିଲେ ଏବଂ ଆଡ଼ଭୋକେଟମାନେ କିଭଳି ସକ୍ରିୟ ଭୂମିକାନେବା ଆବଶ୍ୟକ ସେ ବିଷୟରେ ପରାମର୍ଶ ଦେଇଥିଲେ । ରାଜ୍ୟର ଅଗ୍ରଣୀ ଗଣସଂଗଠନ ଆମ୍ବେଦକର ଲୋହିଆ ବିଚାରମଂଚ ଓ ରାଷ୍ଟ୍ରୀୟ ଦଳିତ ନ୍ୟାୟ ଆନ୍ଦୋଳନର ମିିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ୬ଟି ଜିଲ୍ଲାରୁ ଆଡ଼ଭୋକେଟମାନେ ଯୋଗ ଦେଇ ବିଚାର ବିମର୍ଷରେ ଭାଗ ନେଇଥିଲେ । ବିଚାର ମଂଚର ସଭାପତି ସଂଗ୍ରାମ ମଲିକ ଏଥିରେ ସଭାପତିତ୍ୱ କରି ରାଜ୍ୟରେ ନିର୍ଯ୍ୟାତନା ମାମଲା ବଢି ଚାଲିଥିଲା ବେଳେ ଖୁବ୍ କମ୍ ସଂଖ୍ୟକ ମାମଲାର ବିଚାର ଶେଷ ହେଉଛି ଓ ଅତିନଗଣ୍ୟ ଦୋଷୀ ସାବ୍ୟସ୍ତ ହାର ରହିଛି ବୋଲି ଉଦବେଗ ପ୍ରକାଶ କରିଥିଲେ । ୨୦୧୯ମସିହାର ଏନ.ସି.ଆର.ବି ତଥ୍ୟ ଆଧାରରେ ସେହି ବର୍ଷ ମାତ୍ର ୧୨ଟି ମାମଲାର ରାୟ ପ୍ରକାଶ ପାଇଥିଲା ଯାହା ମଧ୍ୟରୁ ୨ଟି ମାମଲାରେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଅପର ପକ୍ଷରେ ସତର ହଜାରରୁ ଅଧିକ ମାମଲା ଏସସି, ଏସଟି ଆକ୍ଟ ପାଇଁ ଉଦ୍ଧିଷ୍ଟ ସ୍ୱତନ୍ତ୍ର ବିଚାରାଳୟଗୁଡ଼ିକରେ ପଡ଼ିରହିଥିଲା । ଏଣୁ ଦୈନନ୍ଦିନ ଶୁଣାଣୀ କରାଯାଇ ତ୍ୱରିତ ବିଚାର ପାଇଁ ଆଡ଼ଭୋକେଟମାନେ କୋର୍ଟ ନିକଟରେ ଉପସ୍ଥାପନ କରିବାକୁ ଶ୍ରୀ ମଲିକ କହିଥିଲେ । ଏହା ସହିତ ନିର୍ଯ୍ୟାତିତ ଓ ସାକ୍ଷୀମାନଙ୍କର ସମ୍ପର୍କୀୟଙ୍କୁ ସୁରକ୍ଷା, ତଦନ୍ତ ଅନୁସନ୍ଧାନ ଓ ବିଚାର ସମୟରେ ଯାତାୟତ ଖର୍ଚ୍ଚ, ସାମାଜିକ-ଆର୍ଥିକ ଥଇଥାନ ଏବଂ ସ୍ଥାନାନ୍ତରଣ ଆଦି ସମ୍ପର୍କରେ ସ୍ୱତନ୍ତ୍ର କୋର୍ଟର କ୍ଷମତା ରହିଛି ଓ ସେ ସମ୍ପର୍କରେ ପିଟିସନ ଦାଖଲ କରିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ । ଜାତୀୟ ଦଳିତ ନ୍ୟାୟ ଆନ୍ଦୋଳନର ସାଧାରଣ ସମ୍ପାଦକ ଡ. ରାହୁଲ ସିଂ ଏସସି,ଏସଟି ଆକ୍ଟର ସଂଶୋଧନ ଓ ସେଥିରେ ରହିଥିବା ବିଶେଷ ବ୍ୟବସ୍ଥା ଗୁଡ଼ିକ ଉପସ୍ଥାପନା କରିବାସହିତ ଏହି ଆଇନ ଅନ୍ତର୍ଗତ ମାମଲାର ସ୍ୱତନ୍ତ୍ର ସରକାରୀ ଅଭିଯୋଜକ (ସ୍ପେଶାଲ ପି.ପି)ସଠିକ ଭାବରେ ମାମଲା ପରିଚାଳନା ନକରୁଥିଲେ ତାଙ୍କୁ ପରିବର୍ତନ କରି ନିର୍ଯ୍ୟାତିତଙ୍କ ପସନ୍ଦର ସ୍ପେଶାଲ ପି.ପି ସରକାରୀ ଖର୍ଚ୍ଚରେ ନିଯୁକ୍ତି କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଏହି ଅବସରରେ ଦେଶରେଏହି ଆଇନର ପ୍ରୟୋଗର ସ୍ଥିତି ସମ୍ପର୍କରେ ଏକରିପୋର୍ଟ ‘କ୍ୱେଷ୍ଟ ଫର୍ ଜଷ୍ଟିସ୍’ ଉନ୍ମୋଚନକରାଯାଇଥିଲା । ଏଥିରେ ଆଡ଼ଭୋକେଟ ନବୀନ ଗୌତମ, ଆଡ଼ଭୋକେଟ କ୍ଷୀରୋଦ ରାଉତ, ଆଡ଼ଭୋକେଟ ହଳଧର ସେଠୀ, ଆଡ଼ଭୋକେଟ ସେବତୀ ସୋରେନ, ଆଡ଼ଭୋକେଟ ପଦ୍ମାବତୀ ନାୟକ, ଆଡ଼ଭୋକେଟ ଶ୍ରୀଜ୍ୟୋତି ସର ପ୍ରମୁଖ ମତାମତ ରଖିଥିଲେ । ଓଡ଼ିଶା ସମାଚାର