ଭୁବନେଶ୍ୱର,୩୦/୦୭/୨୦୨୧(ଓଡ଼ିଶା ସମାଚାର)- ମାଟ୍ରିକ ଅଫଲାଇନ୍ ପରୀକ୍ଷା ଆଜି ଠାରୁ ଆରମ୍ଭ ହେବ । ରେଗୁଲାରରେ ୬ହଜାର ୫୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିପରି ମଧ୍ୟମାରେ ୬୧ ଜଣ ଏବଂ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେବେ ୮ ହଜାର ୪ଶହ ୯୩ ଜଣ ପରୀକ୍ଷାର୍ଥୀ । ୧୫ ହଜାର ୧୫୧ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ମୋଟ ୫୦୪ଟି ସେଣ୍ଟର କରାଯାଇଛି । ସେଥିରୁ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ୨୭୮ଟି ସେଣ୍ଟର ହୋଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି ।
ସକାଳ ୯ଟାରେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। ଦଶଟାରେ ପରୀକ୍ଷା ଆରମ୍ଭ ହୋଇ ୧୨ଟାରେ ସରିବ। ସବୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା ପହଞ୍ଚି ସାରିଛି । ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କାନିଂ ପରେ ଛାତ୍ରଛାତ୍ରୀ ପରୀକ୍ଷା ହଲକୁ ପ୍ରବେଶ କରିବେ । ପରୀକ୍ଷାରେ ନିୟୋଜିତ ହେବାକୁ ଥିବା ସମସ୍ତ ଶିକ୍ଷକଙ୍କ ଆଣ୍ଟିଜେନ୍ ପରୀକ୍ଷା କରାଯାଇଛି । ପ୍ରତି ପରୀକ୍ଷା କେନ୍ଦ୍ର ପାଇଁ ଅବଜରଭର ନିୟୋଜିତ କରାଯାଇଛି ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ପ୍ରକାଶ କରିଛନ୍ତି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ଫୋନ୍ ନେବା ଉପରେ କଟକଣା ଜାରି କରାଯାଇଛି । କୌଣସି ଶିକ୍ଷକ କିମ୍ବା ଅବଜରଭର ମଧ୍ୟ ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ ।
ସରକାରଙ୍କ ମୂଲ୍ୟାୟନ ପଦ୍ଧତିରେ ସନ୍ତୁଷ୍ଟ ନଥିବା ଛାତ୍ରଛାତ୍ରୀ ଙ୍କ ପାଇଁ ଅଫଲାଇନ ପରୀକ୍ଷା ପାଇଁ ସରକାର ପୂର୍ବରୁ ଘୋଷଣା କରିଥିଲେ । କୋଭିଡ଼ ଗାଇଡ଼ ଲାଇନ୍ ଓ ଏସଓପି କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମିର ଦାଶ କହିଛନ୍ତି । ଓଡ଼ିଶା ସମାଚାର