ଭୁବନେଶ୍ୱର,୩୦/୦୭/୨୦୨୧(ଓଡ଼ିଶା ସମାଚାର)- ଜେଲ୍ ରେ ପାଠ ପଢ଼ିବେ କଏଦୀ । ମଡେଲ୍ ଜେଲ୍ ମାନୁଆଲ ଅନୁସାରେ ଏ ନେଇ ସମସ୍ତପ୍ରକାର ବ୍ୟବସ୍ଥା କରିବାକୁ ରାଜ୍ୟର ସମସ୍ତ ଜେଲ୍ ସୁପରିନଟେଣ୍ଡେଂଟଙ୍କୁ କାରାଗାର ନିର୍ଦ୍ଧେଶାଳୟ ପକ୍ଷରୁ ଚିଠି ଲେଖାଯାଇଛି ।ମଡେଲ ଜେଲ୍ ମାନୁଆଲ ଅନୁସାରେ, ଶିକ୍ଷାଭିତିଭୂମି ସହ କଏଦୀଙ୍କୁ ସାହାଯ୍ୟ ସହଯୋଗଯୋଗାଇ ଦେବା ପାଇଁ ଶିକ୍ଷା ବିଭାଗ କିମ୍ବା କେନ୍ଦ୍ରୀୟ ମୁକ୍ତ ବିଦ୍ୟାଳୟ କିମ୍ବା କେନ୍ଦ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନସହ ଜେଲ କର୍ତୃପକ୍ଷ ଯୋଗସୂତ୍ର ରକ୍ଷାକରିବେ । କଏଦୀମାନଙ୍କ ସଂସ୍କାର ପାଇଁ କିପରି ସାମାଜିକ, ବୌଦ୍ଧିକ, ସାଂସ୍କୃତିକ,ଆଧ୍ୟାତ୍ମିକ ଶିକ୍ଷା ପାଇ ପାରିବେ ତା’ଉପରେ ପଦକ୍ଷେପ ନେବା ପାଇଁ କୁହାଯାଇଛି । ପ୍ରିଜନ୍ ଲାଇବ୍ରେରି ବାଧ୍ୟତାମୂଳକ ଭାବେ ଖୋଲିବା ପାଇଁ କୁହାଯାଇଛି । ଜେଲ ରେ ପାଠ ପଢ଼ା ସୁପରନିଟେଣ୍ଡେଂଟ ଓ କାରାଗାର କଲ୍ୟାଣ ଅଧିକାରୀଙ୍କର ମୁଖ୍ୟ କାମ ହେବ । ପାଠପଢ଼ା କାର୍ଯ୍ୟକ୍ରମର ସଫଳତା ବା ବିଫଳତା ଅନୁସାରେ କର୍ତୃପକ୍ଷଙ୍କ ପ୍ରଦର୍ଶନର ମୂଲ୍ୟାୟନ କରାଯିବ । ଶିକ୍ଷା କାର୍ଯ୍ୟକ୍ରମ ଗୁଡ଼ିକ ଶିକ୍ଷିତ କଏଦୀ, ନିୟମିତ ଶିକ୍ଷକ ଏବଂ ଏନଜିଓ ଦ୍ୱାରା ଭୌତିକ ଏବଂ ସ୍ୱାସ୍ଥ୍ୟଗତ ଶିକ୍ଷା, ବିଦ୍ୟାଳୟ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷା ଦିଆଯିବା ଦରକାର ।ସେହିପରି ପୁସ୍ତକ ଓ ଶିକ୍ଷା ପାଇଁ ଆବଶ୍ୟକ ଅନ୍ୟ ସାମଗ୍ରୀ ପାଇଁ ଶିକ୍ଷା ବିଭାଗ, ମୁକ୍ତ ବିଶ୍ୱବିଦ୍ୟାଳୟ ଏବଂ ଏନଜିଓ ସହ ନିୟମିତ ଯୋଗାଯୋଗରେ ରହିବା ପାଇଁଜେଲ୍ କର୍ତୃପକ୍ଷମାନଙ୍କୁ କୁହାଯାଇଛି ।ଓଡ଼ିଶା ସମାଚାର