ରଘୁନାଥପୁର,୨୯/୦୭/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ତଥା କେନ୍ଦ୍ର ସରକାର ଗ୍ରାମାଂଚଳରେ ବାସ କରୁଥିବା ଗରୀବ ସାଧାରଣ ଜନତାଙ୍କ ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ବି ଏହାର ସୁଫଳ ସାଧାରଣ ଜନତା ପାଇପାରୁନାହାନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ଜଗତସିଂହପୁର ଜିଲା ରଘୁନାଥପୁର ବ୍ଲକ୍ ଗ୍ରାମ୍ୟ ଉନ୍ନୟନ ବିଭାଗରେ । ଏହି ବ୍ଲକ୍ ର ଅଧିକାରୀମାନେ ଦୀର୍ଘ ଦିନ ଧରି ଏଠାରେ ଆସ୍ଥାନ ଜମାଇଥିବାବେଳେ ଏଙ୍ଖାକାର ଉନ୍ନୟନ କାର୍ଯ୍ୟ ଖୁବ କମ ଦିନରେ ନଷ୍ଟ ହୋଇଯାଉଛି । ଏହି ବ୍ଲକ୍ ର ଯନ୍ତ୍ରୀମାନେ କାର୍ଯ୍ୟ କ୍ଷେତ୍ରରେ ଉପସ୍ଥିତ ରହୁନଥିବାରୁ କାମର ମାନ ସମ୍ପୂର୍ଣ୍ଣ ନିମ୍ନ ମାନର କରାଯାଉଛି । ଯାହାଦ୍ୱାରା ସ୍ଥାନୀୟ ଲୋକମାନେ କାର୍ଯ୍ୟର ସୁଫଳ ପାଇପାରୁନାହାନ୍ତି । ଏହି ବ୍ଲକ୍ ଉନ୍ନୟନ କାର୍ଯ୍ୟର ବିକଳ ଚିତ୍ର ଦେଖିବାକୁ ମିଳୁଛି ତାରପୁର ପଂଚାୟତରେ । ଏହି ପଂଚାୟତର ୬ ନମ୍ବର ୱାର୍ଡ଼ ଅଛୁତପୁର ଦଳିତସାହି ଠାରୁ କଟକ ପାରାଦୀପ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ମୁଣ୍ଡରେ ରାସ୍ତା ସହ ଏକ କଲଭଟ ଧସିପଡ଼ିଥିବାରୁ ଏଠାରେ ଏକ ବିରାଟ ଗାତ ସୃଷ୍ଟି ହୋଇଛି, ଯାହା ଉପରେ ଲୋକମାନେ ପ୍ରତ୍ୟେକ ଦିନ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି । ସେହିପରି ଏହି ପଂଚାୟତର ୧୪ ନମ୍ବର ୱାଡ଼ର ଭୋଇସାହି ଠାରୁ କଟକ ପାରାଦୀପ ରାଜ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଏହା ଉପରେ ନିର୍ଭର କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଦୁଇଟି ବ୍ୟତିତ ପଂଚାୟତର ପ୍ରାୟ ସମସ୍ତ ରାସ୍ତା କେଉଁଠି ଫାଟି ଆଁ କଲାଣି ତ ଆଉ କେଉଁଠି ଧସି ଗଲାଣି । ଏ ବିଷୟରେ ସ୍ଥାନୀୟ ବାସିନ୍ଦାଙ୍କର ଅଭିଯୋଗ ଯେ ଦାୟିତ୍ୱରେ ଥିବା ଯନ୍ତ୍ରୀ କାର୍ଯ୍ୟ କ୍ଷେତ୍ରକୁ ନଆସି ଅଡଫିସ ରେ ହାତ ଚିକଣ କରି କାର୍ଯ୍ୟାଦେଶର ବିଲ ପାସ କରିଦେଉଥିବାରୁ ପଂଚାୟତରେ ହେଉଥିବା ଉନ୍ନୟନ କାର୍ଯ୍ୟ ନିମ୍ନ ମାନର ହେଉଅଛି । ପଂଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀ ଇନ୍ଦ୍ର ତନୟା ସମାଲଙ୍କୁ ଯୋଗାଯୋଗ କରିବା ସମ୍ଭବ ହୋଇନଥିବାବେଳେ ସ୍ଥାନୀୟ ସରପଂଚ ସରୋଜ କୁମାର ଦାଶଙ୍କ ମତ ନଷ୍ଟ ହୋଇଯାଇଥିବା ରାସ୍ତା ଗୁଡ଼ିକର କାର୍ଯ୍ୟ ମୋ ସମୟରେ ହୋଇନାହିଁ । ତେବେ ଏହାକୁ ଜଗତସିଂହପୁର ଜିଲାପାଳ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଲକ୍ଷ୍ମଣ କୁମାର ଦାଶ,ଶିବ ଚରଣ ଦାଶ,ଯୋଗେନ୍ଦ୍ର ନାୟକ, ଆକ୍ଷିତ ଦାଶ ପ୍ରମୁଖ ଦାବି କରିଛନ୍ତି । ଓଡ଼ିଶା ସମାଚାର