କେନ୍ଦ୍ରାପଡ଼ା, ୨୯/୦୭/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବିଲିକଣା ଗ୍ରାମପଂଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)ରେ ନିର୍ମାଣାଧିନ “ପଂଚାୟତ ଭବନ”ର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହେଉଥିବା ପଂଚାୟତବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପଂଚାୟତବାସୀ କନିଷ୍ଠ ଯନ୍ତ୍ରୀ ସଂଘମିତ୍ରା ଦାସଙ୍କୁ ଅଭିଯୋଗ କରିଥିଲେ ବି କୌଣଷି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । କୋଭିଡ ସମୟରେ ସରକାର ଶ୍ରମିକ ମାନଙ୍କ ପାଇଁ ମନରେଗାରେ ଅଧିକରୁ ଅଧିକ ବ୍ୟୟ ବରାଦ କରୁଥିବା ସତ୍ୱେ ଏହି ଯୋଜନା ଦିଗହରା ହୋଇପଡୁଥିବା ଅଭିଯୋଗ ହୋଇଛି । ଜବକାର୍ଡଧାରୀ ଶ୍ରମିକଙ୍କ ବଦଳରେ ମେସିନରେ କାର୍ଯ୍ୟ କରାଯାଉଥିବା, ପଂଚାୟତ ଭବନ ପ୍ରକଳ୍ପରେ ପ୍ରତ୍ୟେକ ପିଲର ନିମନ୍ତେ ଉଦ୍ଧିିଷ୍ଟ ୬ଗୋଟି ୧୨ଏମଏମ୍ ଲୁହା ରଡ ଦିଆଯିବା ପରିବର୍ତେ ୪ଟି ୧୦ଏମଏମ୍ ରଡ ଦିଆଯାଇ ନିର୍ମାଣ କାର୍ଯ୍ୟ କରାଯିବା, ପ୍ରକଳ୍ପର ସୁଚନା ଫଳକ ଏପର୍ଯ୍ୟନ୍ତ ଲଗାଯାଇନଥିବା, ଶ୍ରମିକମାନଙ୍କ ନିମନ୍ତେ ଆଶ୍ରୟସ୍ଥଳି ହୋଇ ନଥିବା, ୬୦ ବର୍ଷରୁ ଉଦ୍ଧ୍ୱର୍ ବୟଷ୍କ ମାନଙ୍କୁ କାଗଜ ପତ୍ରରେ ଶ୍ରମିକ ଦର୍ଶାଯାଇ ସେମାନଙ୍କ ଆକାଉଂଟକୁ ଆସୁଥିବା ଅର୍ଥକୁ ଠିକାଦାର ହଡପ କରୁଥିବା, ପ୍ଲିନ୍ଥ ଲେଭଲ ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟରେ ନିମ୍ନ ମାନର ଏବଂ କମ ସଂଖ୍ୟକ ରଡ ଦିଆଯାଇ କାମ କରାଯାଉଥିବା ବେଳେ ନନ୍ ଟ୍ରେଡ ସିମେଂଟ ର ବ୍ୟବହାର ଓ ନିର୍ଦ୍ଧିଷ୍ଟ ପରିମାଣର ସିମେଂଟ ଓ ବାଲିର ମସଲା ଭାଗ ଦିଆଯାଉନଥିବା ଅଭିଯୋଗ ହୋଇଛି । ୨ ଫୁଟ ଗଭିରରୁ ନିଅଁ ଉଠିବାକୁ ଥିବାବେଳେ ସେହି ପ୍ରକଳ୍ପରେ ତାହା କରାନଯାଇ ଏବଂ ବକ୍ସ ଜାଲି ଦିଆନଯାଇ ପିଲର ଉଠିବା ଓ ପଂଚାୟତର ଜବକାର୍ଡ ଧାରୀଙ୍କ ପରିବର୍ତେ ବାହାର ଲୋକଙ୍କ ଦ୍ୱାରା କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ସଂପୃପ୍ତ କନିଷ୍ଠ ଯନ୍ତ୍ରୀ ପ୍ରକଳ୍ପ ସାଇଡକୁ ନଆସି ଏବଂ କାର୍ଯ୍ୟର ତଦାରଖ ନକରି ବିଲ କରିଦେଉଥିବା ଅଭିଯୋଗ ହୋଇଛି । ଏଣୁ ଏହି ପ୍ରକଳ୍ପର ବିଲ୍ କୁ ବର୍ତମାନ ପାଇଁ ସ୍ଥଗିତ ରଖାଯାଇ ପ୍ରକଳ୍ପର ଅଟ୍ଟକଳ ଅନୁଯାୟୀ କାର୍ଯ୍ୟ ସମ୍ପାଦନ କରାଯିବାକୁ ପଂଚାୟତବାସୀଙ୍କ ପକ୍ଷରୁ ନିରଞ୍ଜନ ପରିଡା, ରବିନ୍ଦ୍ର ପରିଡା, ନିରଞ୍ଜନ ସାହୁ, ଅଛୁତି ପ୍ରଧାନ, ନୃସିଂହ ରାଉତ, ଅଲେଖ ସାହୁ, ଜୀବନ ବେହେରା, ପ୍ରଶାନ୍ତ ରାଉତ, ସବିତା ଭୁୟାଁ, ଭରତ ମଳିକ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗର ନକଲ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ଓ ଭିଜିଲାନ୍ସ ନିର୍ଦ୍ଧେଶକଙ୍କୁ ପଠାଯାଇଥିବା ଅଭିଯୋଗକାରୀ ସୁଚନା ଦେଇଛନ୍ତି । ଓଡ଼ିଶା ସମାଚାର