ଗୋଟିଏ ବନ୍ଧୁକ, ଗୋଟିଏ ମାରୁତି କାର, ଗୋଟିଏ ବୋଲେରୋ, ଗୋଟିଏ ଆପାଚି ବାଇକ, ଗୋଟିଏ ପଲସର ବାଇକ ସମେତ ୭ଟି ମୋବାଇଲ ଜବତ
କେନ୍ଦ୍ରାପଡ଼ା,୨୮/୦୭/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଧର୍ମଜାଗରଣ ସେନାର ଯୁଗ୍ମ ସଂଯୋଜକ ତଥା ତିନିମୁହାଣି ବଜାର କମିଟିର ସଭାପତି ବାବୁଲି ଓରଫ ବିବେକାନନ୍ଦ ମହାରଣାଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ କେନ୍ଦ୍ରାପଡା ସଦର ଥାନା ପୋଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବାରିମୂଳ ଉପକାରାଗାରକୁ ପଠାଇ ଦିଆଯାଇଛି । ଏସମ୍ପର୍କରେ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର ସଦର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଆହୂତ କରିଥିଲେ । ଏହି ସମ୍ମିଳନୀରେ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତର ନଦେଇ ଏସପି କେବଳ ନୋ କମେଂଟ୍ସ ବୋଲି କହିଥିଲେ । ଏଭଳି ଉତର ନଦେବା ଓ ନୋ କମେଂଟ୍ସ ଏସପି କହିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେହି ସମ୍ମିଳନୀରେ ଏସପି ସୂଚନା ଦେଇଥିଲେ ଯେ ଚଳିତବର୍ଷ ଜୁଲାଇ ୧୪ତାରିଖରେ ବାବୁଲି ମହାରଣାଙ୍କୁ କେନ୍ଦ୍ରାପଡା – ଇନ୍ଦୁପୁର ରାସ୍ତାରେ ଥିବା ବାବୁଲିର “ସ୍ୱରାଜ” ଟ୍ରାକ୍ଟର ସୋରୁମରେ ଥିବା ବେଳେ ୨ଜଣ ଅଜଣା ଯୁବକ ତାଙ୍କୁ ଦେଖା କରିବାକୁ ଆସିଥିଲେ । କିନ୍ତୁ ବାବୁଲିର ନିରାପତାରକ୍ଷୀ ତାଙ୍କୁ ସନ୍ଦେହ କରି ସୋରୁମ ଫାଟକ ପାଖରେ ଅଟକାଇ ସେମାନେ କାହିଁକି ବାବୁଲିକୁ ଦେଖା କରିବାକୁ ଚାହୁଁଛନ୍ତି ତାହା ଜାଣିବାକୁ ଚାହିଁଥିଲେ । ଏଥିରେ କ୍ଷୁବ୍ଧ ହୋଇ ସେହି ଦୁଇଜଣ ଯୁବକ ନିରାପତାରକ୍ଷୀକୁ ଠେଲାପେଲା କରିବା ସହ ନିରାପତାରକ୍ଷୀଙ୍କ ଉପରକୁ ସେମାନଙ୍କ ମଧ୍ୟରୁ ଜଣେ ନିଜ ପାଖରେ ଥିବା ବନ୍ଧୁକରୁ ଗୁଳି ଚଳାଇବାକୁ ଉଦ୍ୟମ କରିବାରେ ନିରାପତାରକ୍ଷୀ ସେମାନଙ୍କ ଉପରେ ପାଲଟା ଗୁଳି ଚଳାଇଥିଲେ । ଗୋଟିଏ ଗୁଳି ଜଣେ ଅଭିଯୁକ୍ତଙ୍କ ଦେହରେ ବାଜିଥିଲା । ତେଣୁ ସେଠାରୁ ସେମାନେ ଯେଉଁ ବାଇକରେ ଆସିଥିଲେ ସେଥିରେ ପଳାଇଯାଉଥିବା ବେଳେ ବାବୁଲିକୁ ପରିଣତି ଭୋଗ କରିବାକୁ ପଡିବ ବୋଲି ଧମକ ଦେଇଯାଇଥିଲେ । ସୂଚନା ଯୋଗ୍ୟ ଯେ ୨୦୧୯ମସିହାରେ ବାବୁଲି ମହାରଣା ଉପରେ ଗୁଲନଗର ଦଣ୍ଡାମୁଣ୍ଡ ଛକ ନିକଟରେ କେତେକ ଦୁର୍ବୁତ ଗୁଳିକରି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ବାବୁଲିକୁ ଗୁରୁତର ଆହତ ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।
ସେହି ମାମଲାରେ ୧୦ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ତାପର ଠାରୁ ପୋଲିସ ପକ୍ଷରୁ ବାବୁଲିକୁ ଜଣେ ନିରାପତାରକ୍ଷୀ ଯୋଗାଇ ଦିଆଯାଇଥିଲା । ଜୁଲାଇ ୧୪ତାରିଖ ମାମଲାକୁ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡାଙ୍କ ନେତୃତ୍ୱରେ ଗଠିତ ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ପକ୍ଷରୁ ତଦନ୍ତ କରାଯିବା ପରେ ଆଜି ସୁଦ୍ଧା ୫ଜଣଙ୍କୁ ଗିରଫ କରାଯାଇଛି । ସେହି ଗ୍ୟାଙ୍ଗର ଅନ୍ୟମାନଙ୍କୁ ଗିରଫ କରାଯିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ଗୋଟିଏ ମାରୁତି କାର, ଗୋଟିଏ ବୋଲେରୋ, ଗୋଟିଏ ଆପାଚି ବାଇକ, ଗୋଟିଏ ପଲସର ବାଇକ ସମେତ ୭ଟି ମୋବାଇଲ ଜବତ କରାଯାଇଥିବା ସୂଚନା ଦିଆଯାଇଛି । ଜଣେ ଅଭିଯୁକ୍ତ ନିରାପତାରକ୍ଷୀର ଗୁଳିମାଡରେ ଆହତ ହୋଇ ଅସୁରେଶ୍ୱରସ୍ଥିତ ସାହା ଘରୋଇ ହସପିଟାଲରେ ଚିକିତ୍ସିତ ହୋଇଥିବାରୁ ଏବଂ ସଂପୃକ୍ତ ହସପିଟାଲ ଏ ସମ୍ପର୍କରେ ପୋଲିସକୁ ଜଣାଇନଥିବାରୁ ସେହି ଡାକ୍ତରଖାନାକୁ ପୋଲିସ ପକ୍ଷରୁ ସିଲ କରିଦିଆଯାଇଥିବା ସୂଚନା ଦିଆଯାଇଛି । ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ଯେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତିକି, ଆଉ କେତେ ଜଣ ଅଭିଯୁକ୍ତଙ୍କୁ ଗିରଫ ହୋଇନାହାନ୍ତି, ଗୁଳି ବାଜିଥିବା ଅଭିଯୁକ୍ତ ଗିରଫ ହୋଇଛନ୍ତି କି ନାହିଁ, ବାବୁଲି ମହାରଣାଙ୍କୁ ବାରମ୍ବାର ହତ୍ୟା ଉଦ୍ୟମ ପଛରେ କାରଣ କଣ ? କିନ୍ତୁ ଏସବୁ ପ୍ରଶ୍ନକୁ ଏସପି ଏଡାଇ ଯାଇ କେବଳ ନୋ କମେଂଟ୍ସ ବୋଲି କହିଥିଲେ । ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଓଡ଼ିଶା ସମାଚାର