ଭୁବନେଶ୍ୱର,୨୮/୦୭/୨୦୨୧(ଓଡ଼ିଶା ସମାଚାର)- ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟା ରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗର ତଥା ସଂଲଗ୍ନ ବାଂଲାଦେଶରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହା ଫଳରେ ଆସନ୍ତା ୩୦ ତାରିଖ ଯାଏ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଉତ୍ତର ଓଡ଼ିଶା ଜିଲ୍ଲାଗୁଡିକର ଅଧିକାଂଶ ସ୍ଥାନ ଏବଂ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିଭଳି ଅନୁଗୁଳ, ଡେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଧା ଓ ସମ୍ବଲପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ସମୟରେ ଉତ୍ତର ବଙ୍ଗୋପସାଗର ଏବଂ ଉପକୂଳ ଓଡ଼ିଶାରେ ଘଣ୍ଟାକୁ ୪୦ ରୁ ୫୦ କିମି ବେଗରେ ପବନ ବହିପାରେ । ଗଭୀର ସମୁଦ୍ର ମଧ୍ୟକୁ ମାଛ ଧରିବା ପାଇଁ ଯିବାକୁ ମତ୍ସଜୀବୀମାନଙ୍କୁ ବାରଣ କରାଯାଇଛି । ତଳିଆ ଅଞ୍ଚଳ ଜଳମଗ୍ନ ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି ।
ଏ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲପାଳମାନଙ୍କୁ ସତର୍କ କରାଇଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ୟ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆସନ୍ତାକାଲି କେଉଁଝର, ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ସମ୍ବଲପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଢେଙ୍କାନାଳ ଓ କଟକରେ ପ୍ରବଳ ବର୍ଷା ହେବ । ସେହିପରି ୩୦ ତାରିଖରେ ସୁନ୍ଦରଗଡ, କେଉଁଝର, ମୟୁରଭଞ୍ଜରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଦେବଗଡ, ଅନୁଗୁଳ, ସମ୍ବଲପୁର, ସୋନପୁର, ବରଗଡ଼, ଝାରସୁଗୁଡା, ଢେଙ୍କାନାଳରେ ପ୍ରବଳ ବର୍ଷା ହୋଇପାରେ । ଓଡ଼ିଶା ସମାଚାର