ପାରାଦ୍ୱୀପ,୨୮/୦୭/୨୦୨୧(ଓଡ଼ିଶା ସମାଚାର)-ସମ୍ପ୍ରତି ଦେଶରେ ଡିଜିଟାଲ ଆଧୁନିକତା ପଦ୍ଧତି କୁ ଗୁରୁତ୍ୱ ଦିଆଯାଉଥିବା ବେଳେ, ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ମୋବାଇଲ ନେଟ୍ – ୱାର୍କ ସେବା । କିନ୍ତୁ ବର୍ତମାନ କରୋନା ମହାମାରୀ ସମୟରେ ବିଭିନ୍ନ କମ୍ପାନୀର ଦୁର୍ବଳ ନେଟ୍-ୱାର୍କ ପାଇଁ ସାଧାରଣରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା ନଜରକୁ ଆସିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବର୍ତମାନ ଛାତ୍ରଛାତୀ ମାନେ ଅନଲାଇନ୍ ମାଧ୍ୟମରେ ଅଧ୍ୟୟନ ଓ ପରୀକ୍ଷା ଦେଉଛନ୍ତି । କିନ୍ତୁ ନେଟ୍ – ୱାର୍କ ବିଭ୍ରାଟ ଯୋଗୁଁ ଛାତ୍ରଛାତ୍ରୀ ମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ଏତଦବ୍ୟତୀତ ବର୍ତମାନ ସରକାର କୋଭିଡ୍ ଟୀକାକରଣ ପାଇଁ ଶତ ପ୍ରତିଶତ ଅନଲାଇନ୍ ସ୍ଳଟ ବୁକିଂ ବ୍ୟବସ୍ଥା କରିଛନ୍ତି । ବନ୍ଦର ଓ ଶିଳ୍ପ ସହର ପାରାଦ୍ୱୀପ ଓ ଏହାର ଆଖପାଖ ଅଂଚଳରେ ପ୍ରାୟ ଭାରତ ସଂଚାର ନିଗମ ଲିମିଟେଡ (ବିଏସଏନଏଲ୍) ଓ ଜିଓ ନେଟ୍-ୱାର୍କ ସେବାରେ ବାରମ୍ବାର ବିଭ୍ରାଟ ଯୋଗୁଁ ଟୀକା ସ୍ଳଟ ବୁକିଂରେ ବହୁ ଲୋକ ଟୀକା ବୁକିଂ କରି ନ ପାରି ହତାଶ ହେଉଥିବାର ଦେଖିବାକୁ ମିଳୁଛି । ସହରରେ ତ ଏମିତି, ତେବେ ଗ୍ରାମାଂଚଳ ରେ ଲୋକେ ଗଛ ଓ ଛାତ ଉପରେ ଚଢି ନେଟ-ୱାର୍କ ପାଇଁ ଅପେକ୍ଷା କରୁଥିବାର ଦେଖାଯାଉଛି । ଅନ୍ୟପକ୍ଷରେ ଏହି କମ୍ପାନୀ ମାନେ ଉତମ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି । ତେବେ ଏହା ଉପରେ ସରକାର ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି । ଓଡ଼ିଶା ସମାଚାର