Sunday , October 1 2023
Home / ବିଶେଷ / ଚିର ନିଦ୍ରାରେ ବର୍ଷିଆନ ସାମ୍ବାଦିକ ଗୋଲକ ଚନ୍ଦ୍ର ସୂତାର

ଚିର ନିଦ୍ରାରେ ବର୍ଷିଆନ ସାମ୍ବାଦିକ ଗୋଲକ ଚନ୍ଦ୍ର ସୂତାର

ମାହାଙ୍ଗା, ୨୮/୦୭/୨୦୨୧ (ଓଡିଶା ସମାଚାର / ଅଭୟ ଜେନା ) -ରାଜ୍ୟର ଜଣେ ଖ୍ୟାତନାମା ସାମ୍ବାଦିକ , ଗ୍ରାମାଞ୍ଚଳର ସାମ୍ବାଦିକ ମାନଙ୍କପାଇଁ ଗଣମାଧ୍ୟମର ଗୁରୁତ୍ୱ ,ଦାୟୀତ୍ୱକୁ ବ୍ୟାପକ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଆସିଥିବା ବର୍ଷିୟାନ ସାମ୍ବାଦିକ ଗୋଲକ ସୁତାରଙ୍କ ର ପରଲୋକ ଘଟିଛି ।
କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାନିଆଜପୁର ଗାଁ ରେ ଥିବା ତାଙ୍କ ପୈତୃକ ବାସଭବନରେ ମଙ୍ଗଳବାର ରାତି ଦୁଇଟା ରେ ଏହି ବର୍ଷିଆନ ସାମ୍ବାଦିକ ଙ୍କ ଦେହାନ୍ତ ଘଟିବା ଖବର ପ୍ରସାରିତ ହେବାପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
ସ୍ୱାଧୀନତା ପୂର୍ବରୁ ସାମ୍ବାଦିକତା କ୍ଷେତ୍ରରେ ପାଦଦେଇଥିବା ସ୍ବର୍ଗତ ଗୋଲକ ଚନ୍ଦ୍ର ଅତ୍ୟନ୍ତ ନିର୍ଭୀକ ଓ ନିଷ୍ଠାପର ଭାବରେ ସମାଜର ସବୁଠାରୁ ତଳ ସ୍ତରରେ ଥିବା ମେହେନତି ମଣିଷ ପାଇଁ ଲେଖନୀ ଚାଳନା କରି ବେଶ ପ୍ରତିଷ୍ଠା ଅର୍ଜ୍ଜନ କରିପାରିଥିଲେ ।
ସକରାତ୍ମକ ସମ୍ବାଦ ପରିବେଷଣ ଉପରେ ସେ ସବୁବେଳେ ଗୁରୁତ୍ୱ ଦେଇଆସୁଥିଲେ । ସେ ଓଡିଶା କର୍ମଜୀବି ସାମ୍ବାଦିକ ସଂଘ ର ରାଜ୍ୟ ଉପସଭାପତି ଥିଲେ । ଏହି ଦିବଂଗତ ପୁରୁଷଙ୍କ ବିୟୋଗରେ ମାହାଙ୍ଗାର ବିଧାୟକ ତଥା ଆଇନି ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିବା ସହ ମାହାଙ୍ଗା ମାଟି ଜଣେ ଯୋଗଜନ୍ମା ପୁରୁଷଙ୍କୁ ହରାଇଲା ବୋଲି କହିଛନ୍ତି । ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଚନ୍ଦ୍ରସାରଥୀ ବେହେରା,ପୂର୍ବତନ ବିଧାୟକ ପ୍ରକାଶ ବେହେରା, ବିଧାୟକ ପ୍ରଶାନ୍ତ ବେହେରା,ଆରଡିସି ଅନିଲ ସାମଲ,ପ୍ରଶାସନିକ ଅଧିକାରୀ, ଜୟନ୍ତ ଦାସ,ମାହାଙ୍ଗା ବ୍ଲକ ଚେୟାରମ୍ୟାନ ଶରତ ନାୟକ, ନିଶ୍ଚିନ୍ତକୋଇଲି ବ୍ଲକ ଚେୟାରମ୍ୟାନ ସବିତା ଓଝା, ଯୁବନେତା ଅଶୋକ ଓଝା, ସମାଜସେବୀ ଚିତ୍ତରଞ୍ଜନ ମହାପାତ୍ର, ସରପଞ୍ଚ ଚିତ୍ତରଞ୍ଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ସୁମନ୍ତ କୁମାର ଜେନା, କଟକ ଜିଲ୍ଲା ଏସୟୁଜେ ସଭାପତି ସାମ୍ବାଦିକ ଅଖିଳେଶ ମହାନ୍ତି, ବରିଷ୍ଠ ସାମ୍ବାଦିକ ଅଭୟ ଜେନା, ଅକ୍ଷୟ ଦାଶ, ରତ୍ନାକର ବାରିକ,ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବାସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଓଡିଶା କର୍ମଜୀବି ସାମ୍ବାଦିକ ସଂଘ ସଧାରଣ ସମ୍ପାଦକ ଜୟାଶିଷ ରାୟ ଗଭୀର ଶୋକ ପ୍ରକାଶ କରି ସମବେଦନା ଜଣାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା । ତାଙ୍କର ୪ଝିଅ ଓ ତିନି ପୁଅ ଅଛନ୍ତି ।
ଏହି ବର୍ଷିଆନ ସାମ୍ବାଦିକ ଙ୍କ ଅନ୍ତିମ ସଂସ୍କାର ଗ୍ରାମ୍ୟ ସ୍ମଶାନରେ ସମ୍ପନ୍ନ ହୋଇଥିଲା ବେଳେ, ସାନଭାଇ ଧୀରେନ୍ଦ୍ର ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ. ବଡ଼ ପୁଅ ବିକ୍ରମ ସୂତାର ମୁଖାଗ୍ନି ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *