ରାଉରକେଲା, ୨୭/୦୭/୨୦୨୧(ଓଡ଼ିଶା ସମାଚାର)- ଷ୍ଟିଲ୍ ସିଟି ରାଉରକେଲାରେ ଏକ ଶିଶୁ ବିକ୍ରି ରାକେଟ ର ପର୍ଦ୍ଦାଫାଶ ହୋଇଛି । ଲକ୍ଷ ଲକ୍ଷ ଟଙ୍କାର ପ୍ରଲୋଭନ ଦେଖାଇ ଗରିବ ପରିବାରର ଶିଶୁ ମାନଙ୍କୁ ଟାର୍ଗେଟ କରୁଛନ୍ତି ଦଲାଲ । ଏନେଇ ପ୍ଲାଣ୍ଟ ସାଇଡ ପୋଲିସ ୮ ଜଣଙ୍କ ନାଁରେ ମାମଲା ରୁଜୁ କରିବା ସହ ୭ ଜଣଙ୍କୁ ଗିରଫ କରିଛି । ଅନ୍ୟ ଜଣେ ଫେରାର ଅଛନ୍ତି । ଗିରଫ ହୋଇଥିବା ୭ ଜଣ ଙ୍କ ମଧ୍ୟରେ ୫ ଜଣ ମହିଳା ରହିଛନ୍ତି ।
ଗିରଫ ମହିଳାମାନେ ଟିମ୍ବର କଲୋନିର ଜଣେ ମହିଳାଙ୍କ ଠାରୁ ୩୦ହଜାର ଟଙ୍କାରେ ଶିଶୁକନ୍ୟାକୁ କିଣୁ ଥିଲାବେଳେ ପୁଲିସ ସେମାନଙ୍କୁ କାବୁ କରିଥିଲା । ସେମାନେ ଗତ ୨୧ତାରିଖରେ ଗାନ୍ଧୀରୋଡ଼ରେ ଜଣେ କୁମାରୀ ମା’ର ନବଜାତ ଶିଶୁ କନ୍ୟାକୁ ୩୦ ହଜାରରେ କିଣି ଅଢେଇ ଲକ୍ଷ ଟଙ୍କାରେ ବିକି ଦେଇଥିଲେ । ପୁଲିସ ସୂଚନାପାଇ ଏହି ମହିଳା ରାକେଟକୁ ଧରିବାକୁ ଚଢ଼ଉ କରିଥିଲେ ମଧ୍ୟ ଅସଫଳ ହୋଇଥିଲା ।
ସମାନ ଢଙ୍ଗର ଆଉ ଏକ ଶିଶୁ କିଣାବିକା କାରବାର ଚାଲିଥିବା ସୂଚନା ପାଇ ସ୍ଥାନୀୟ ଅଞ୍ଚଳର ପୂର୍ଵତନ କାଉନସିଲର ପ୍ରମିଳା ଦାସ ପ୍ଲାଣ୍ଟ ସାଇଟ ଥାନାକୁ ଜଣାଇଥିଲେ । ପ୍ରମିଳାଙ୍କ ସୂଚନା ଆଧାରରେ ପୁଲିସ ଯୋଜନା ତିଆରି କରିଥିଲା । ରାତିରେ ଟିମ୍ବର କଲୋନିରେ ପହଞ୍ଚି ଶିଶୁ କନ୍ୟାକୁ କିଣୁଥିବା ବେଳେ ପୂର୍ବରୁ ଲୁଚି ରହିଥିବା ପୁଲିସ ଟିମ ଘଟଣାସ୍ଥଳରୁ ମହିଳାମାନଙ୍କୁ ଗିରଫ କରିଥିଲା । ସେମାନେ ହେଲେ ଡେଲି ମାର୍କେଟ ଜନତା ନିବାସ ଗଳିର ଅଜୟ ଗର୍ଗଙ୍କ ପତ୍ନୀ ସୀମା ଗର୍ଗ(୪୫), ପ୍ଲାଣ୍ଟସାଇଟ୍ କ୍ରିଷ୍ଣା ହୋଟେଲ ସମ୍ମୁଖରେ ରହୁଥିବା ସଞ୍ଜୟ ଅଗ୍ରୱାଲଙ୍କ ପତ୍ନୀ ସରିତା ଅଗ୍ରୱାଲ (୫୦), ଡିଏଭି ସ୍କୁଲ ଗଳି ସୁପର ମାକ୍ସ ନିକଟରେ ରହୁଥିବା ସୁଶୀଲ ଅଗ୍ରୱାଲଙ୍କ ପତ୍ନୀ ନୀତା ଅଗ୍ରୱାଲ (୪୪), ଗୁରୁଦ୍ୱାର ରୋଡ଼ରେ ରହୁଥିବା ଶମ୍ଭୁପ୍ରସାଦ ଶା’ଙ୍କ ପତ୍ନୀ ଆଶା ଦେବୀ (୩୮) ଓ ବିଶ୍ରା ଡହର ରୋଡ଼ରେ ରହୁଥିବା ପ୍ରେମ ଗୁପ୍ତାଙ୍କ ପତ୍ନୀ ଶିଲା ଗୁପ୍ତା(୩୮)।
ଏସବୁ କାମରେ ସେମାନଙ୍କୁ ସହଯୋଗ କରି ଗିରଫ ହୋଇଥିବା ଦୁଇ ଯୁବକ ହେଲେ ଡିଏଭି ସ୍କୁଲ ଗଳି ସୁପର ମାକ୍ସ ନିକଟରେ ରହୁଥିବା ସୁଶୀଲ ଅଗ୍ରୱାଲଙ୍କ ପୁଅ ନିଖିଲ ଅଗ୍ରୱାଲ (୨୫) ଓ ପାୱାର ହାଉସ୍ ରୋଡ଼ରେ ରହୁଥିବା ସଞ୍ଜୟ ଅଗ୍ରୱାଲଙ୍କ ପୁଅ ସୁମିତ ଅଗ୍ରୱାଲ (୨୧)। ଭଦ୍ର ବେଶରେ ଏମାନେ ଶିଶୁ କିଣାବିକା କାରବାର ଚଳାଇଥିଲେ । ପୁଅ କୁ ୪ ଲକ୍ଷ ଓ ଝିଅକୁ ୩୦ ହଜାର ସେମାନେ ଦେଉଥିଲେ ବୋଲି ସୂଚନା ମିଳିଛି । ଗିରଫ ୭ଜଣ ପୁର୍ବରୁ ପିଲା ଚୋରି ଘଟଣାରେ ଗିରଫ ହୋଇ ଜେଲ ଯାଇ ଜାମିନରେ ଆସିଥିବା ପୋଲିସ ସୂଚନା ଦେଇଛି ।ଓଡ଼ିଶା ସମାଚାର