କେନ୍ଦ୍ରାପଡ଼ା, ୨୬/୦୭/୨୦୨୧(ଓଡ଼ିଶା ସମାଚାର)- ଗ୍ୟାଙ୍ଗଷ୍ଟର ହାଇଦରକୁ ପୋଲିସ ସୁରକ୍ଷା ବଳୟ ଭିତରେ ବାଲେଶ୍ୱର ଡାକ୍ତରଖାନାରୁ ଅଣାଯାଇ ରବିବାର ରାତି ପ୍ରାୟ ୯ଟା ସମୟରେ କେନ୍ଦ୍ରାପଡ଼ାରେ ପହଂଚିଥିଲା । କେନ୍ଦ୍ରାପଡାରେ ହାଇଦରର ଶବ ପହଂଚିବା ପରେ କଡ଼ା ପୋଲିସ ସୁରକ୍ଷା ବଳୟ ମଧ୍ୟରେ ରଣପଡା କବରସ୍ଥାନରେ ତାର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ହାଇଦରର ପରିବାର ଲୋକଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ସହରକୁ ଥିବା ବିଭିନ୍ନ ପ୍ରବେଶ ପଥରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । କେନ୍ଦାପଡ଼ା ସହରର ରଣପଡ଼ା ପୋଲ ନିକଟରେ ରାସ୍ତାକୁ ପୋଲିସ ସିଲ କରିଦେଇଥିଲା । କେନ୍ଦ୍ରାଂଚଳ ପୋଲିସ ଆଇଜି ନରସିଂହ ଭୋଳ ଓ ଏସପି ସନ୍ଦୀପ ସମ୍ପଦ ମଡ଼କରଙ୍କ ଉପସ୍ଥିତିରେ ହାଇଦରକୁ କବର ଦିଆଯାଇଥିଲା । କବର ସ୍ଥାନକୁ ଜଣେ ମୌଲବୀଙ୍କ ସମେତ ୧୦ ଜଣ ସମ୍ପର୍କୀୟଙ୍କୁ ଯିବାକୁ ଅନୁମତି ମିଳିଥିଲା । ଇସଲାମ ପରମ୍ପରା ଅନୁଯାୟୀ ଜନାଜା ପାଠ କରାଯାଇ ହାଇଦରକୁ କବର ଦିଆଯାଇଥିଲା । ଏନକାଉନ୍ଟର ପରେ ମୃତଦେହ ଆଣିବା ପାଇଁ କେନ୍ଦ୍ରାପଡାରୁ ହାଇଦରର ପତ୍ନୀ ହସିନା ବିବି ଓ ଦୁଇ ବୋହୁଙ୍କ ସମେତ ୨ଜଣ ସମ୍ପର୍କୀୟ ପୁରୁଷ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ ।
ସେଠାରେ ରବିବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ପରିବାର ଲୋକେ ମୃତଦେହ ଧରି କେନ୍ଦ୍ରାପଡ଼ାକୁ ଫେରିଥିଲେ । କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳ ରବିବାର କେନ୍ଦ୍ରାପଡ଼ାରେ ପହଂଚି ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ଏସପି ସନ୍ଦୀପ ସମ୍ପଦ ମଡ଼କରଙ୍କ ସହ ଆଇନ୍ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଶାନ୍ତି ଶୃଙ୍ଖଳାର ସହ କିପରି ହାଇଦରର ମୃତଦେହ କେନ୍ଦ୍ରାପଡ଼ାରେ ପହଂଚିବ, କିପରି ଶାନ୍ତି ଶୃଙ୍ଖଳାର ସହ ଶେଷକୃତ୍ୟ ସମ୍ପନ୍ନ ହେବ, ଆବଶ୍ୟକତା ଅନୁଯାଇ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି କି ନାହିଁ ତାହା ସମୀକ୍ଷା କରିଥିଲେ । ଏଥିସହ ହାଇଦର ଘର ନିକଟକୁ ଯାଇ ସେଠାରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରି କବର ସ୍ଥାନକୁ ଯାଇ ପାରିପାଶ୍ୱିର୍କ ଅବସ୍ଥା ଯାଂଚ କରିଥିଲେ ।
କେନ୍ଦ୍ରାପଡ଼ାରେ ହାଇଦରର ଶେଷକୃତ୍ୟ ସମ୍ପନ୍ନ ନିମନ୍ତେ ୩ଜଣ ମାଜିଷ୍ଟ୍ରେଟ୍, ୧୦ଜଣ ଇନ୍ସପେକ୍ଟର, ୫ ଜଣ ଡିଏସପି ଓ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସହରର ପ୍ରବେଶ ପଥ ଦୁହୁରିଆ ସମେତ ଗରାପୁର ଡାକବଙ୍ଗଳା ଛକ, ବାଇପାସ ରାସ୍ତା, ତିନିମୁହାଣୀ, ପୁରୁଣା ବସଷ୍ଟାଣ୍ଡ, ହାଇଦରର ଘର ନିକଟ ରଣପଡ଼ା ପ୍ରଭୃତି ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସରକାରଙ୍କ ନିର୍ଦେଶ ଅନୁଯାୟୀ ୨୬ ତାରିଖରେ ରାଜ୍ୟବ୍ୟାପୀ ବିଦ୍ୟାଳୟ ଖୋଲିବାକୁ ଥିବାବେଳେ ସହରର୧୪୪ ଧାରା ଜାରି ହୋଇଥିବା ସ୍ଥାନ ଗୁଡିକରେ ଥିବା ବିଦ୍ୟାଳୟଗୁଡିକ ଖୋଲିବ ନାହିଁ ବୋଲି ଜିଲାପାଳ ନିର୍ଦେଶ ଦେଇଛନ୍ତି । ଓଡ଼ିଶା ସମାଚାର