୨୬ ତାରିଖରେ କାରଗିଲ ସହିଦ୍ ସଚ୍ଚିଦାନନ୍ଦଙ୍କ ୨୧ତମ ଶ୍ରଦ୍ଧାଞ୍ଜଳୀ ଦିବସ ପାଳନ ଉପଲକ୍ଷେ………..
କାରଗିଲ ବିଜୟ ଦିବସ ପାଳନକୁ ନେଇ ସାରା ଦେଶରେ ଦେଶପ୍ରେମର ଲହରି ଖେଳି ଯାଇଛି । ସହିଦ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାର ପ୍ରସ୍ତୁତି ଆଗେଇ ଚାଲିଛି । ସହିଦ ପରିବାରର ତ୍ୟାଗ ଅତୁଳନୀୟ ଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ କଣ୍ଡିଆ ଗ୍ରାମର କାରଗିଲ ସହିଦ୍ ସଚ୍ଚିଦାନନ୍ଦ ମଲ୍ଲିକଙ୍କ ପରିବାରର ଅକୁହା କାହାଣୀ ଶୁଣିଲେ ଯେ କୌଣସି ଦେଶପ୍ରେମୀଙ୍କ ଆଖିରେ ଲୁହ ଆସିଯିବ । ୧୯୯୯ ମସିହା ଜୁଲାଇ୨୬ତାରିଖରେ ରାଜକନିକା ବ୍ଲକ ଅନ୍ତର୍ଗତ କଣ୍ଡିଆ ଗ୍ରାମର ସଚ୍ଚିଦାନନ୍ଦ ମଲ୍ଲିକ ପାକିସ୍ଥାନ ବିରୁଦ୍ଧରେ କାରଗିଲରେ ଯୁଦ୍ଧ କରୁଥିବା ବେଳେ ଯୁଦ୍ଧକ୍ଷେତ୍ରରେ ସହିଦ୍ ହୋଇଯାଇଥିଲେ । ସେହି ବର୍ଷଠାରୁ ତାଙ୍କ ଜନ୍ମସ୍ଥାନ କଣ୍ଡିଆରେ କାରଗିଲ ସହିଦ ଦିବସ ପାଳିତ ହୋଇଆସୁଛି । ସହିଦ୍ ସଚ୍ଚିଦାନନ୍ଦଙ୍କ ମରଶରୀରକୁ କାରଗିଲରୁ ଏକ ବିମାନ ଯୋଗେ ଭୂବନେଶ୍ୱରକୁ ଅଣାଯାଇ ସେଠାରୁ ସୈନ୍ୟ ବାହିନୀର ଏକ ସ୍ୱତନ୍ତ୍ର ଗାଡିରେ ତାଙ୍କ ଗ୍ରାମକୁ ଅଣାଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଗ୍ରାମ୍ୟ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ଅନ୍ତିମ ସଂସ୍କାର ସମୟରେ କେନ୍ଦ୍ରାପଡା ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ମଶାନରେ ଉପସ୍ଥିତ ରହି ସଚ୍ଚିଦାନନ୍ଦଙ୍କ ମରଶରୀରକୁ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । କଣ୍ଡିଆଠାରେ ସଚ୍ଚିଦାନନ୍ଦଙ୍କ ସ୍ମୃତି ଉଦେଶ୍ୟରେ ଏକ ସହିଦ ସ୍ତମ୍ଭସ୍ଥାପନ ହେବ ବୋଲି ତକôାଳୀନ ଜିଲ୍ଲାପାଳ ୨୦୦୧ ମସିହା ଜୁଲାଇ ୨୬ତାରିଖରେ ସହିଦ ସଚ୍ଚିଦାନନ୍ଦଙ୍କ ଦ୍ୱିତୀୟ ଶ୍ରାଦ୍ଧ ବର୍ଷିକୀ ପାଳନରେ ଯୋଗଦେବା ଅବସରରେ କଣ୍ଡିଆଠାରେ ସହିଦ୍ ସଚ୍ଚିଦାନନ୍ଦଙ୍କ ସ୍ମୃତି ରକ୍ଷା ଉପଲକ୍ଷେ ଏକ ସ୍ମୃତି ସ୍ତମ୍ଭ ନିର୍ମାଣ ପାଇଁ କଣ୍ଡିଆ ହାଟ ଫାଣ୍ଡି ସମ୍ମୁଖରେ ଥିବା ପଡିଆରେ ସହିଦ ସ୍ତମ୍ଭର ଶିଳାନ୍ୟାସ କରିଥିଲେ । ତାଙ୍କ ସହିତ ତତ୍କାଳୀନ କେନ୍ଦ୍ରାପଡା ସାଂସଦ ପ୍ରଭାତ ସାମନ୍ତରାୟ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ଜିଲ୍ଲାପାଳଙ୍କ ଘୋଷଣା ସତ୍ୱେ ଜିଲ୍ଲାପ୍ରଶାସନ ପକ୍ଷରୁ ସେଥିପାଇଁ କୋଣସି ଅର୍ଥ ବ୍ୟବସ୍ଥା ନ ହେବାରୁ ଗ୍ରାମବାସୀମାନେ ଏକ ସହିଦ୍ ସ୍ମୁତି କମିଟି ଗଠନ କରି ସେହି କମିଟି ଜରିଆରେ ବିଭିନ୍ନ ଅଂଚଳରୁ ଚାନ୍ଦା ସଂଗ୍ରହ କରି ସହିଦ୍ ସ୍ମୃତିସ୍ତମ୍ଭ ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ । କିନ୍ତୁ ଆବଶ୍ୟକ ଅର୍ଥ ଯୋଗାଡ ହୋଇ ନପାରିବାରୁ ସ୍ମୃତିସ୍ତମ୍ଭ ଦୀର୍ଘ ୨୦ବର୍ଷ କାଳ ଅଧାପନ୍ତରିଆଭାବେ ପଡିରହିଲା । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ଏହି ଅର୍ଥାଭାବ ସମ୍ପର୍କରେ କମିଟି ପକ୍ଷରୁ ଅବଗତ କରାଯିବା ପରେ ସେ ତାଙ୍କ ସାଂସଦ ପାଣ୍ଠିରୁ ୨୦ଲକ୍ଷ ଟଙ୍କା ମଞ୍ଜୁର କରିବାରୁ ଅଧାପନ୍ତରିଆ ଭାବେ ପଡି ରହିଥିବା ସହିଦ ସ୍ମୃତିସ୍ତମ୍ଭର ନିର୍ମାଣ କାର୍ଯ୍ୟ ଗତବର୍ଷ ନଭେମ୍ବରମାସରେ ଆରମ୍ଭ ହୋଇ ତିନିମାସ ତଳେ ଶେଷ ହୋଇଛି । ସହିଦ୍ ସ୍ତମ୍ଭର ସୌନ୍ଦର୍ଯ୍ୟ କରଣ ପାଇଁ ସ୍ତମ୍ଭ ଚାରିପାଖରେ ୨୦ଲକ୍ଷ ଟଙ୍କା ବ୍ୟୟରେ ବ୍ଲକ ପକ୍ଷରୁ ଏକ ପାର୍କ ନିର୍ମାଣ କରାଯାଇଛି । କିନ୍ତୁ ନିମ୍ନମାନର କାର୍ଯ୍ୟ ହେତୁ ପାର୍କଟିର ଅବସ୍ଥା ଶୋଚନୀୟ ହୋଇପଡିଥିବା ସ୍ମୃତି କମିଟିର ସଭାପତି ଶିବରାମ ଦାସ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ସହିଦ୍ ସଚ୍ଚିଦାନନ୍ଦଙ୍କ ବିୟୋଗ ପରେ ତାଙ୍କ ପାରିବାରିକ ଅବସ୍ଥା ଶୋଚନୀୟ ହୋଇପଡିଥିଲା । ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ସହିଦ୍ ଙ୍କ ବାପା ଉପେନ୍ଦ୍ର ଏବଂ ମାଆ ମାଳତୀ ମର୍ମାହତ ହୋଇପଡିଥିଲେ । ସଚ୍ଚିଦାନନ୍ଦଙ୍କର ବାପା ଏବଂ ମାଆଙ୍କ ବ୍ୟତୀତ ଦୁଇ ଭାଇ, ପତ୍ନୀ ନିବେଦିତା ଏବଂ ଗୋଟିଏ ଦୁଇବର୍ଷର ପୁଅ ଅଛି । ସଚ୍ଚିଦାନନ୍ଦ ଜିଲ୍ଲାର ପ୍ରଥମ କାରଗିଲ ସହିଦ୍ ହୋଇଥିବାରୁ ତାଙ୍କ ଉରାଧିକାରୀ ପନôୀ ନିବେଦିତାଙ୍କ ୫ଟି ବ୍ୟାଙ୍କ ଆକାଉକୁ ବିଭିନ୍ନ ସୂତ୍ରରୁ ୨୨ଲକ୍ଷ ଟଙ୍କାରୁ ଅଧିକ ସାହାଯ୍ୟ ଆସିଥିଲା । ପୁତ୍ରହରା ବାପା କିମ୍ବା ମାଆଙ୍କୁ ନିବେଦିତା ମିଳିଥିବା ଅର୍ଥରୁ ଗୋଟିଏ ଟଙ୍କା ସୁଦ୍ଧା ନ ଦେବାରୁ ସେମାନେ କେନ୍ଦ୍ରାପଡା କୋର୍ଟରେ ସେହି ଟଙ୍କାରୁ ସେମାନଙ୍କ ଅଂଶ ଦାବିକରି ଏକ ମାମଲା ଦାୟରକରିଥିଲେ । । ସେହି ମାମଲାଟି ଏପର୍ଯ୍ୟନ୍ତ କୋର୍ଟରେ ବିଚାରାଧିନ ରହିଛି । ଏହାମଧ୍ୟରେ ବାପା ଉପେନ୍ଦ୍ରଙ୍କର ୯୦ବର୍ଷ ବୟସରେ ୨୦୧୪ ମସିହାରେ ଏବଂ ମା’ ମାଳତିଙ୍କର ୮୨ବର୍ଷ ବୟସରେ ୨୦୧୯ ମସିହାରେ ମୃତୁ୍ୟ ହୋଇଯାଇଛି । ପୁତ୍ରହରା ବାପା ମାଆ ଅର୍ଥାଭାବରୁ ଔଷଧ ପାଇଁ ଟଙ୍କା ଏବଂ ଉପଯୁକ୍ତ ଚିକିତ୍ସା ନ ପାଇ ହାହୁତାସ ମଧ୍ୟରେ ପ୍ରାଣତ୍ୟାଗ କରିଥିଲେ । ଶେଷ ଜୀବନରେ ପୁତ୍ର ବିୟୋଗ ସେମାନଙ୍କ ପାଇଁ ଅସହ୍ୟ ହୋଇପଡିଥିଲା । ବାପା ମାଆଙ୍କ ମୃତୁ୍ୟପରେ ଅନ୍ୟ ଦୁଇଭାଇ ମଧ୍ୟ ସହିଦ୍ ଙ୍କୁ ମିଳିଥିବା ଟଙ୍କା ଦାବି ନ କରି ମାମଲାରୁ ଓହରି ଯାଇଥିଲେ । ସେମାନଙ୍କର ଯେତିକି ଚାଷ ଜମି ଅଛି ସେ ଜମିରୁ ଉତ୍ପାଦିତ ଫସଲ ବର୍ଷଟିଏ ମଧ୍ୟ ଯାଏନାହିଁ । ତେଣୁ ପରିବାରଟି ଅତି ଦୁଃଖ କଷ୍ଟରେ ଚଳୁଛନ୍ତି । ପାଂଚୋଟି ବ୍ୟାଙ୍କ ରେ୨୨ଲକ୍ଷ ଟଙ୍କା ମଧ୍ୟରୁ କଣ୍ଡିଆସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆରେ ସ୍ଥାୟୀ ଜମାଥିବା ୭ଲକ୍ଷ ଟଙ୍କା ଏବେ ୧୪ଲକ୍ଷ ଟଙ୍କାରେ ପହଁଚିଛି । ସହିଦ୍ ସଚ୍ଚିଦାନନ୍ଦଙ୍କ ପିତ୍ନୀ ନିବେଦିତା ସ୍ୱାମୀଙ୍କ ମୃତୁ୍ୟପରେ ଭୂବନେଶ୍ୱରରେ ରହୁଛନ୍ତି । ସହିଦ୍ କୋଟା ବାବଦକୁ ତାଙ୍କୁ ଗୋଟିଏ ଗ୍ୟାସ ଏଜେନ୍ସି ମିଳିଛି । ତାଙ୍କ ପୁଅ ସୌମ୍ୟରଂଜନ ଇଂଜିନିୟରିଂ ପାଠ ପଢା ଶେଷ କରି ସେହି ଗ୍ୟାସ ଏଜେନ୍ସି ବୁଝାସୁଝା ଦାୟିତ୍ୱରେ ରହିଥିବା ସୂଚନା ମିଳିଛି । କୋର୍ଟ ମାମଲା ଆରମ୍ଭ ହେବା ପୂର୍ବରୁ ନିବେଦିତା ବିଭିନ୍ନ ବ୍ୟାଙ୍କରୁ ବହୁ ଅର୍ଥ ଉଠାଇ ନେଇଥିବା ସହିଦ୍ ସଚ୍ଚିଦାନନ୍ଦଙ୍କ ଭାଇ ନିମାଇଁ ସୂଚନା ଦେଇଛନ୍ତି । ଏଭଳି ଅଭାବନୀୟ ପରିସ୍ଥିତିରେ କାରଗିଲ ସହିଦଙ୍କ ବାପା ମାଆଙ୍କୁ ଦେଶ କେଉଁଭଳି ସମ୍ମାନ ଦେବା କଥା ତାହା ଦିଆଯାଇପାରିଲା ନାହିଁ । ହା ହୁତାସରେ ରୋଗଶଯ୍ୟାରେ ପଡି ସେମାନଙ୍କ ଜୀବନ ଗଲା । ସଚ୍ଚିଦାନନ୍ଦ ଜିଲ୍ଲାର ମାତ୍ର ଜଣେ କାରଗିଲ ସହିଦ୍ ହୋଇଥିବାରୁ ତାଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦେଶପ୍ରେମର ନିର୍ଦଶନ ସ୍ୱରୂପ ଉପଯୁକ୍ତ ସମ୍ମାନ ମଧ୍ୟ ଦିଆଯାଇ ନଥିବା ବୁଦ୍ଧିଜୀବିମାନେ କୁହନ୍ତି ।
-୦-
ଚିତରଞ୍ଜନ ଦାସ, ବରିଷ୍ଠ ସାମ୍ବାଦିକ, କେନ୍ଦ୍ରାପଡା