Wednesday , December 1 2021
Breaking News
Home / ବିଶେଷ / କେନ୍ଦ୍ରାପଡା ଅପରାଧ ଦୁନିଆର ବାଦଶାହା ହାଇଦର ସାମ୍ରାଜ୍ୟର ପତନ – ଜିଲାରେ ପୋଲିସ ପକ୍ଷରୁ ହାଇ ଆଲର୍ଟ

କେନ୍ଦ୍ରାପଡା ଅପରାଧ ଦୁନିଆର ବାଦଶାହା ହାଇଦର ସାମ୍ରାଜ୍ୟର ପତନ – ଜିଲାରେ ପୋଲିସ ପକ୍ଷରୁ ହାଇ ଆଲର୍ଟ

କେନ୍ଦ୍ରାପଡ଼ା, ୨୫/୦୭/୨୦୨୧(ଓଡ଼ିଶା ସମାଚାର)- ଗ୍ୟାଙ୍ଗଷ୍ଟର ସେକ ହାଇଦରର ପୋଲିସ ଏନ୍କାଉଂଟରରେ ମୃତୁ୍ୟ ହେବା ପରେ କେନ୍ଦ୍ରାପଡା ଅପରାଧ ଦୁନିଆର ବାଦଶାହା ହାଇଦର ସାମ୍ରାଜ୍ୟର ପତନ ହୋଇଛି । ଅପରାଧ ଦୁନିଆରେ ଯଦିଚ ହାଇଦରର ପୁଅମାନେ ଲିପ୍ତ ଅଛନ୍ତି କିନ୍ତୁ ପ୍ରକୃତରେ ହାଇଦର ହିଁ ସବୁ ଅପରାଧର ବ୍ଲୁ ପ୍ରିନ୍ଟ ପ୍ରସ୍ତୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲା । ହାଇଦରର ବିନା ଇଙ୍ଗିତରେ କୌଣସି ଅପରାଧ ସଙ୍ଗଠିତ ହେବା ସମ୍ଭବ ନଥିଲା । ଏପରିକି ହାଇଦର ନିଜେ ମଧ୍ୟ ଅନେକ ଅପରାଧ ସଙ୍ଗଠିତ କରୁଥିଲା । ନିଜ ପ୍ରତିଦ୍ୱନ୍ଦିଙ୍କୁ ହଟାଇବା ପାଇଁ ନିଜେ ଗୁଳି ଚଳାଇବାକୁ ପଛାଉ ନଥିଲା । ସୁପାରି ନେଇ ହତ୍ୟାକାଣ୍ଡ ମଧ୍ୟ ଭିଆଉଥିଲା । ହାଇଦର ରାସ୍ତାରେ ଯିଏ କଂଟା ସାଜୁଥିଲା ହାଇଦର ନିଜେ ତାକୁ ରାସ୍ତାରୁ ସଫା କରି ଦେଉଥିଲା । ହାଇଦର ଆତଙ୍କରେ କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପାରାଦ୍ୱୀପ, ଯାଜପୁର, ଜଗତପୁର ଶିଳ୍ପାଂଚଳ ଏପରିକି ରାଜ୍ୟର ଅନ୍ୟ କେତେକ ଜିଲ୍ଲା ମଧ୍ୟ ଆତଙ୍କିତ ହୋଇ ପଡିଥିଲା । ଏପରିକି ଜେଲରେ ଥାଇ ମଧ୍ୟ ସେ ବିଭିନ୍ନ ପ୍ରକାର ଅପରାଧ ଯଥା ଟେଣ୍ଡର ଫିକ୍ସିଂ, ଦାଦା ବଟି ଆଦାୟ, ବ୍ୟବସାୟୀମାନଙ୍କୁ ହତ୍ୟା ଧମକ ପ୍ରଭୃତି କାର୍ଯ୍ୟ କରୁଥିଲା । ହାଇଦରର ମୃତୁ୍ୟ ପରେ କେନ୍ଦ୍ରାପଡ଼ା ସମେତ ଅନ୍ୟ ଜିଲ୍ଲା ଗୁଡିକରେ ତାର ଅପରାଧ ସାମ୍ରାଜ୍ୟ ଏକ ପ୍ରକାର ଶେଷ ହୋଇଛି । ହାଇଦରର ଘର କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ରଣପଡା ଗ୍ରାମରେ । ହାଇଦରର ବାପା ସେକ ଆୟୁବ ରିକ୍ସା ଚଳାଇ ପରିବାର ଚଳାଉଥିଲେ । ହାଇଦର ଯୁବକ ଅବସ୍ଥାରେ ପହଂଚିଲା ପରେ ପରିବାର ଚଳାଇବା ପାଇଁ ପ୍ରଥମେ ରିକ୍ସା ଓ ପରେ ଟ୍ରଲି ଚଳାଇଲା । ହାଇଦର ତା’ର ଟ୍ରଲିରେ ଅନ୍ୟ ଟ୍ରଲିଠାରୁ ଦୁଇଗୁଣ ମାଲ୍ ନେଉଥିବାରୁ ତାହାର ଟ୍ରଲି ଉପରେ ବ୍ୟବସାୟୀଙ୍କର ବହୁ ଚାହିଦା ଥିଲା । ୧୯୯୫ ମସିହାରେ ହାଇଦରର ବଳିଷ୍ଠ ଚେହେରା କେନ୍ଦ୍ରାପଡ଼ାର ଠିକାଦାରମାନଙ୍କୁ ଆକୃଷ୍ଟ କରିଥିଲା । ତାକୁ ଟେଣ୍ଡର ଫିକ୍ସିଂ କାର୍ଯ୍ୟରେ କେତେକ ଠିକାଦାର ଲଗାଇଥିଲେ । ସେବେଠାରୁ ହାଇଦରର ଅପରାଧୀକ ସାମ୍ରାଜ୍ୟ ଆରମ୍ଭ ହୋଇଥିଲା । ଠିକା କାମ ପାଇଁ ତା ପାଖରେ ଠିକାଦାର ମାନଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେଲା । ତା’ ପରେ ସେ ଏକ ଗ୍ୟାଙ୍ଗ ଗଠନ କରି ଠିକାକାମ ପାଇଁ ଯନ୍ତ୍ରୀ ମାନଙ୍କୁ ଧମକ ଚମକ ଦେବା ଆରମ୍ଭ କଲା । ତା ଦ୍ୱାରା ମନୋନୀତ ଠିକାଦାର ମାନଙ୍କୁ ଠିକାକାମ ଦେବାରୁ କେନ୍ଦ୍ରାପଡା ଜିଲାରେ ହାଇଦରର ଚାହିଦା ବୃଦ୍ଧି ପାଇଲା । ଯନ୍ତ୍ରୀମାନେ ତାକୁ ଭୟ କରି ତା’ରି କଥାରେ ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ବିଭିନ୍ନ ପ୍ରକଳ୍ପର ଟେଣ୍ଡର ଦେବାକୁ ବାଧ୍ୟ ହେଉଥିଲେ । ଏହାପରେ ହାଇଦର ରଣପଡା ଗ୍ରାମରେ ଏକ କୋଠାଘର କରିଥିଲା । ସେହି କୋଠାରେ ଦିନକୁ ଦିନ ଠିକାଦାର ମାନଙ୍କ ଭିଡ ଲାଗିଲା । ହାଇଦର ସେକ୍ ସୋଲେ, କୃଷ୍ଣଚନ୍ଦ୍ର ସିଂ, ଧୂମାତର ବଣୁଆ, ଶରତ ବେହେରା, ସେକ୍ ହୁସେନ୍, ଶ୍ରୀକୁମାର ଦାସ, ରାଜେଶ ନାୟକ, ତାହିର ଅଲ୍ଲୀ, ସେକ୍ ନୁରୀ, ସେକ୍ ଜାକୋ, ରାଜା ବେହେରା, ସୁଦାମ ସୁନ୍ଦର ଶତପଥି (ଜଗତସିଂହପୁର) ସେକ ସୁନୁ, ସେକ ମୁକ୍ତାର, ମାଲିକ ସୁଲେମାନ (ପରେ ଗ୍ୟାଙ୍ଗଷ୍ଟର) ବିଜୟ ନାୟକ, ସେକ ସଲିମ (ପିଙ୍କୁ) କୁ ଧରି ଗ୍ୟାଙ୍ଗ ଗଠନ କରିଥିଲା । ସେହି ଗ୍ୟାଙ୍ଗ ଟେଣ୍ଡର ଫିକ୍ସିଂ ସହିତ ଜାତୀୟ ରାଜପଥରେ ରାହାଜାନୀ, ହତ୍ୟା, ଲୁଣ୍ଠନ ଇତ୍ୟାଦି କାର୍ଯ୍ୟ କରୁଥିଲେ । ଏହିସବୁ ବ୍ୟବସାୟରେ ସେକ୍ ହାଇଦର କୋଟିପତି ହୋଇଥିବାବେଳେ ଅନ୍ୟମାନଙ୍କୁ ସେମାନଙ୍କ ଉଚିତ ଭାଗ ନ ମିଳିବାରୁ ତାର ଘନିଷ୍ଟ ସହଯୋଗୀ ମଲ୍ଲିକ ସୁଲେମାନ, ବିଜୟ ନାୟକ ପ୍ରମୁଖ ଗ୍ୟାଙ୍ଗରୁ ବାହାରି ଗ୍ୟାଙ୍ଗଷ୍ଟର ଟିଟୋ ସହ ମିଶି ଅନ୍ୟ ଏକ ଗ୍ୟାଙ୍ଗ ଗଠନ କଲେ । ଏହାଫଳରେ ଗୋଟିଏ ଗ୍ୟାଙ୍ଗ ଦୁଇ ଭାଗରେ ବିଭକ୍ତ ହୋଇ ପରେ ବିଭିନ୍ନ ଠିକାକାମକୁ ନେଇ ସେମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବା ଫଳରେ ଗ୍ୟାଙ୍ଗୱାରର ସୃଷ୍ଟି ହୋଇଥିଲା । ଯାହାଫଳରେ କି ଉଭୟ ପକ୍ଷରୁ ୧୦ରୁ ଅଧିକ ମୁଣ୍ଡ ଗଡିଥିଲା । ହାଇଦରର ଏକଚାଟିଆ କାରବାର ଏବଂ ସ୍ୱେଚ୍ଛଚାରିତାକୁ ସହ୍ୟ ନକରିପାରି ଗ୍ୟାଙ୍ଗର ସଦସ୍ୟମାନେ ୨୦୦୪ରେ ତାକୁ ହତ୍ୟା ଉଦ୍ୟମ କରିଥିଲେ । ହେଲେ ସେ ଗୁରୁତର ଆହତ ହୋଇ ବଂଚି ଯାଇଥିଲା । ୨୦୦୪ରେ ଗୋବରୀନଦୀ ବନ୍ଧରେ ହାଇଦର ଇସାରାରେ ଚାନ୍ଦୋଳର ଜଣେ ଠିକାଦାର ପ୍ରଦୀପ ପରିଡ଼ାଙ୍କୁ ଗୁଳି କରି ହତ୍ୟା ୨୦୦୪ ମସିହାରେ ଭୁବନେଶ୍ୱରରେ ଗ୍ୟାଙ୍ଗଷ୍ଟର ସୁଲେମାନର ବଡଭାଇ ଚୁନାକୁ ଭୁବନେଶ୍ୱରସ୍ଥିତ ଷ୍ଟୁଆର୍ଟ ସ୍କୁଲ ନିକଟରେ ଗୁଳି କରି ହତ୍ୟା କରିଥିଲା । କେନ୍ଦୁଝର ଖଣି ମାଲିକ ରଶ୍ମିରଞ୍ଜନଙ୍କୁ ୨୦୦୭ ମସିହାରେ ଭୁବନେଶ୍ୱରରୁ ଅପହରଣ କରିପରେ ହତ୍ୟା କରିଥିଲା । ହାଇଦରର ତିନିପୁଅ ଏବଂ ତିନି ଜ୍ୱାଇଁ । ପୁଅ ଓ ଜ୍ୱାଇଁମାନେ ତାକୁ ଅପରାଧିକ କାର୍ଯ୍ୟରେ ସହଯୋଗ କରି ଆସୁଥିଲେ । କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ବେଳେ ଗତ ଏପ୍ରିଲ ୧୦ରେ ସେ ଫେରାର ହୋଇ ଯାଇଥିଲା । ହାଇଦ୍ରାବାଦ ଯାଉଥିବା ବେଳେ ପୁଲିସ ଦ୍ୱାରା ଗିରଫ ହୋଇ ଚୌଦ୍ୱାର ଜେଲରେ ଥିଲା । ଶନିବାର ଅପରାହ୍ଣରେ ଚୌଦ୍ୱାର ଜେଲରୁ ତାକୁ ପୋଲିସ ବାରିପଦା ଜେଲ ନେଉଥିବା ବେଳେ ବାଲେଶ୍ୱର ସିମୁଳିଆ ଠାରେ ଖସିପଳାଇଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଏନ୍କାଉରରେ ହାଇଦରର ମୃତୁ୍ୟ ଘଟିଛି ।
ହାଇଦରର ମୃତୁ୍ୟ ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଇନ୍ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି କେନ୍ଦ୍ରାପଡା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନମାନଙ୍କରେ ବନ୍ଧୁକଧାରୀ ପୋଲିସ ମୁତୟନ କରାଯାଇ ଯାଂଚ ଚାଲିଥିବାର ଦେଖାଯାଇଛି । କେନ୍ଦ୍ରାପଡା ମ୍ୟୁନିସପାଲିଟି, ବାରିମୂଳ, କପାଳେଶ୍ବର, ଗୁଲନଗର, ଜାମଧର ପଂଚାୟତ ଅଞ୍ଚଳରେ ଆସନ୍ତା ୩୦ ତାରିଖ ଦିନ ୧୧ଟା ପର୍ୟ୍ୟନ୍ତ ୧୪୪ (୨) ଧାରା ଜାରି କରାଯାଇଛି। ସଂପୃକ୍ତ ଅଞ୍ଚଳରେ କେବଳ ପରିବା ଓ ଗ୍ରୋସରି ଦୋକାନ ସକାଳ ୭ରୁ ଦିନ ୧୧ଯାଏ ଖୋଲା ରହିବ। ହୋଟେଲରେ ପାର୍ସଲ ସେବା ଅନୁମତି ରହିବ। କିନ୍ତୁ ଅନ୍ୟ ଦୋକାନ ବନ୍ଦ ରହିବା ସହିତ ଗାଡି ଚଳାଚଳରେ କଟକଣା ରହିବ। ୫ରୁ ଅଧିକ ଲୋକ ଏକାଠି ହୋଇପାରିବେନି। ହାଇଦର ଏନକାଉଣ୍ଟର ପରେ କୌଣସି ପ୍ରକାର ଶାନ୍ତି ଭଙ୍ଗ ଓ ସାଂପ୍ରଦାୟିକ ଗଣ୍ଡଗୋଳ ଆଶଙ୍କାରେ ଏଭଳି ପଦକ୍ଷେପ ନିଆଯାଇଥିବା କେନ୍ଦ୍ରାପଡା ଜିଲ୍ଲାପାଳ ଜାରି କରିଥିବା ବିଜ୍ଞପ୍ତିରେ ଦର୍ଶାଇଛନ୍ତି।କେନ୍ଦ୍ରାପଡ଼ା ପୌରାଞ୍ଚଳସ୍ଥିତ ହାଇଦରର ଘର ରଣପଡ଼ା ଅଞ୍ଚଳ ପୁଲିସ ଛାଉଣିରେ ପରିଣତ ହୋଇଛି। କୌଣସି ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ଏସଡିପିଓ ରାଜୀବ ଲୋଚନ ପଣ୍ଡା, କେନ୍ଦ୍ରାପଡ଼ା ଟାଉନ ଥାନା ଆଇଆଇସି ଜ୍ୟୋତିରଂଜନ ସାମନ୍ତରାୟଙ୍କ ନେତୃତ୍ବରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସମଗ୍ର ରଣପଡ଼ା ଅଞ୍ଚଳ ଉପରେ ପୁଲିସ ନଜର ରଖିଛି। ଅନ୍ୟପଟେ ଦୁହୁରିଆ, ତିନିମୁହାଣି, ଗରାପୁର ଆଦି ଅଞ୍ଚଳରେ ପୁଲିସ ଜୋରଦାର ଗାଡ଼ି ଯାଞ୍ଚ ଚଳାଇଛି। ସହରର ଏ ସମସ୍ତ ପ୍ରବେଶ ପଥରେ କାର୍ ସମେତ ଅନ୍ୟାନ୍ୟ ଗାଡ଼ି ଯାଞ୍ଚ କରାଯାଉଛି। ଜିଲ୍ଲାର ସବୁ ଥାନା ଅଧିକାରୀମାନେ ଏଠାରେ ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି। ଛକ ଛକରେ ପୁଲିସ ମୁତୟନ କରାଯାଇଛି। ଅନ୍ୟପଟେ ଜିଲ୍ଲାର ଅନ୍ୟ କେତେକ ସମ୍ବେଦନଶୀଳ ଅଞ୍ଚଳ ଉପରେ ପୁଲିସ ନଜର ରଖିଛି। ପାଟକୁରା ଥାନା ମୁସଲମାନ ବହୁଳ ତେଣ୍ଡାକୁଡ଼ା ଅଞ୍ଚଳରେ ୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଆଜି ହାଇଦରର ଶବ ବ୍ୟବଛେଦ କରାଯିବ ।ଓଡ଼ିଶା ସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *