କେନ୍ଦ୍ରାପଡ଼ା, ୨୪/୦୭/୨୦୨୧(ଓଡ଼ିଶା ସମାଚାର)- ଓଡିଶା ସାହିତ୍ୟ ଏକାଡେମିର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ଓଡିଆ ବକ୍ତୃତା, ଓଡିଆ ଦେଶାତ୍ମବୋଧ କବିତା ଆବୃତି ଓ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଦୃଢ ଆତ୍ମ ବିଶ୍ୱାସ ଦ୍ୱାରା ସଫଳତା ପ୍ରାପ୍ତି ହୋଇଥାଏ । ସଫଳତା ପାଇଁ ଖୁସି ଓ ବିଫଳତାରେ ନିରାଶ ନହୋଇ ନିଜର ପ୍ରଚେଷ୍ଟା ଜାରି ରଖିଲେ ଜୀବନରେ ଆତ୍ମ ତୃପ୍ତି ମିଳିଥାଏ । ଆମ ସାହିତ୍ୟ ଓ ସଂସ୍କୃତି ପ୍ରତି ଛାତ୍ରଛାତ୍ରୀମାନେ ଆଗ୍ରହ ପ୍ରକାଶ କରି ପ୍ରତିଷ୍ଠିତ ସାରସ୍ୱତ ସାଧକ ମାନଙ୍କର କାଳଜୟୀ ସାହିତ୍ୟ ପଠନରେ ବ୍ରତୀ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିସହିତ ବରିଷ୍ଠ ଓ କନିଷ୍ଠ ବର୍ଗରେ ବିଭିନ୍ନ ପ୍ରତିଯୋଗୀତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା ୧୮ଜଣ କୃତି ପ୍ରତିଯୋଗୀଙ୍କୁ ଜିଲ୍ଲାପାଳ ପୁରସ୍କାର ପ୍ରଦାନ କରିଥିଲେ । ଏହି ଉତ୍ସବରେ ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ସାହିତ୍ୟ ଏକାଡେମୀ ସଦସ୍ୟ ସରୋଜ କୁମାର ମହାନ୍ତି, ଜିଲ୍ଲା ବିଜ୍ଞାନ ପରିଦର୍ଶକ ପୀତବାସ ପଣ୍ଡା, ଜିଲ୍ଲା ଭାରପ୍ରାପ୍ତ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଅଲେଖ ଚନ୍ଦ୍ର ଦାଶ ଉତ୍ସବ ପରିଚାଳନା, ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର