କେନ୍ଦ୍ରାପଡ଼ା, ୨୪/୦୭/୨୦୨୧(ଓଡ଼ିଶା ସମାଚାର)- ୱେବ ଚ୍ୟାନେଲର ସାମ୍ବାଦିକ ଭୀମସେନ ସେଠୀଙ୍କୁ ମାଡମାରିବା ଘଟଣାରେ ପୋଲିସ ବିରୁଦ୍ଧରେ ଅସନ୍ତୋଷର ବହ୍ନି କୁହୁଳିବାରେ ଲାଗିଛି । ମାଡ ମାରିଥିବା ମହିଳା କନଷ୍ଟେବଳ ପିନୁ ନାୟକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଭିନ୍ନ ମହଲରେ ଦାବି ଜୋର ଧରିଛି । ଆକ୍ରମଣ କରିଥିବା ପୋଲିସ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବନ ଦାବି କରାଯାଇଛି । ଅଖିଳ ଭାରତ କଂଗ୍ରେସ କମିଟି ସଭ୍ୟ ତଥା ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଯୁବ ପରିଷଦର ରାଜ୍ୟ ସଭାପତି ହଳଧର ସେଠୀ କହିଛନ୍ତି ପୋଲିସ ତାର ସୀମା ମଧ୍ୟରେ ରହିବା ଆବଶ୍ୟକ । ଆକ୍ରମଣ କରିଥିବା ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ସର୍ବସାଧାରଣରେ ସାମ୍ବାଦିକଙ୍କୁ ମାଡ ମାରିବା ଏକ ଧର୍ତବ୍ୟ ଅପରାଧ । ପୋଲିସ ନିଜର ନୈତିକ ଜ୍ଞାନ ହରାଇଥିବା କହିଛନ୍ତି ଶ୍ରୀ ସେଠୀ । କେନ୍ଦ୍ରାପଡ଼ା ଜିଲ୍ଲାରେ ଏପରି ଘଟଣା ଦୁର୍ଭାଗ୍ୟଜନକ । ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ସେ ପୋଲିସ ମହାନିର୍ଦେଶକ ଓ ମାନବାଧିକାର ସେଲରେ ଅତିରିକ୍ତ ପୋଲିସ ମହାନିର୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି ଶ୍ରୀ ସେଠୀ । ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ ତାଙ୍କ ଫେସବୁକ ପେଜରେ ଉଲ୍ଲେଖ କରିଛନ୍ତି ଯେ ଜଣେ ସାମ୍ବାଦିକଙ୍କୁ ସ୍ପଷ୍ଟ ଦିବାଲୋକରେ ଆକ୍ରମଣ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ପୋଲିସ କର୍ମଚାରୀ ଜଣକ ଅସଭ୍ୟ ଭାବେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି । ତେଣୁ ଏହି ସମୟରେ ଆରକ୍ଷୀ ଅଧିକ୍ଷକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ତାଙ୍କ ଫେସବୁକ ପେଜରେ ଉଲ୍ଲେଖ କରିଛନ୍ତି ଯେ ଆଇନ୍ ରକ୍ଷକ ଆଇନ୍ ଭକ୍ଷକ ହେବା ଅତ୍ୟନ୍ତ ନିନ୍ଦନୀୟ । ତେଣୁ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ସେହିପରି ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ଆଇନ୍ ଜୀବୀ ପ୍ରଦୀପ କୁମାର ଦାଶ ଏହି ଘଟଣାରେ କ୍ରାଇମବ୍ରାଂଚ ତଦନ୍ତ ଦାବି କରିଛନ୍ତି । ସେ କହିଛନ୍ତି ସାମ୍ବାଦିକଙ୍କୁ ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ । ତେଣୁ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ଧରଣୀଧର ନାୟକ ଏହି ଘଟଣାକୁ ନିନ୍ଦା କରିବା ସହିତ କହିଛନ୍ତି ସାମ୍ବାଦିକଙ୍କୁ ଆକ୍ରମଣ ସଭ୍ୟ ସମାଜରେ ଏକ ଅକ୍ଷମଣୀୟ ଓ ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଜଣେ ସାମ୍ବାଦିକଙ୍କୁ ରାଜ ରାସ୍ତାରେ ଆକ୍ରମଣ କରିବା ପାଇଁ କିଏ ଅଧିକାର ଦେଲା । ପୋଲିସ କର୍ମଚାରୀଙ୍କ ଅନେକ ସମୟରେ ଏପରି ଆଚରଣ ପାଇଁ ଉଚ୍ଚତମ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟଳୟ ଅନେକ ସମୟରେ ଭରତ୍ସନା କରିଛନ୍ତି । କୌଣସି ପରିସ୍ଥିତିରେ ପୋଲିସ କାହାରି ଉପରେ ହାତ ଉଠାଇ ପାରିବ ନାହିଁ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି । କିନ୍ତୁ ଏକ୍ଷେତ୍ରରେ ପୋଲିସ ନିଜେ ଅପରାଧୀ ଭଳିି ଆଚରଣ କରିଛି । ସଂପୃକ୍ତ କନେଷ୍ଟବଳଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକ ଭୀମସେନ ସେଠୀଙ୍କୁ ମହିଳା କନଷ୍ଟେବଳ ପିନୁ ନାୟକ ଆକ୍ରମଣ କରିଥିଲେ । ପିନୁ ନାୟକ ବିରୁଦ୍ଧରେ ଶ୍ରୀ ସେଠୀ ସଦର ଥାନାରେ ଅଭିଯୋଗ କରିଥିବା ବେଳେ ଶ୍ରୀ ସେଠୀଙ୍କ ବିରୁଦ୍ଧରେ କନେଷ୍ଟବଳ ପିନୁ ନାୟକ ମଧ୍ୟ ଅଭିଯୋଗ କରିଛନ୍ତି । ସଦର ଥାନା ପୋଲିସ ଦୁଇଟି ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ପବିତ୍ର ମହାରଣା ସୂଚନା ଦେଇଛନ୍ତି । ତେବେ ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ପୋଲିସ କର୍ମଚାରୀ କରିଥିବା ଭୁଲରୁ ଖସିଯାଇପାରିବ ନାହିଁ ବୋଲି କେନ୍ଦ୍ରାପଡ଼ାରେ ଆନ୍ଦୋଳନର ନେତୃତ୍ୱ ନେଇଥିବା ମହେଶ ପାଢୀ କହିଛନ୍ତି । ଓଡ଼ିଶା ସମାଚାର