କେନ୍ଦ୍ରାପଡ଼ା, ୨୪/୦୭/୨୦୨୧(ଓଡ଼ିଶା ସମାଚାର)- କରୋନା ମହାମାରୀ କଳାକାର ଓ ପାଲାକାରଙ୍କ ଠାରୁ ଜୀବିକା ଛଡେଇ ନେଇଥିବା କହିଛି ଜିଲ୍ଲା କଳା ସଂସ୍କୃତି ସଂଘ । ଅତ୍ୟନ୍ତ ଦୁଃଖ କଷ୍ଟ ଓ ଦୁର୍ଦ୍ଧିନରେ ସେମାନେ କାଳ କାଟୁଛନ୍ତି । ଗତ ଫନି ବାତ୍ୟାରେ ସେମାନଙ୍କୁ କୌଣସି ସରକାରୀ ସହାୟତା ମିଳିନଥିବା ବେଳେ ଦୁଇବର୍ଷ ହେବ କରୋନା ମହାମାରୀ ପାଲାକାରଙ୍କ ଜୀବିକା ସଂପୂର୍ଣ୍ଣ ଛଡାଇ ନେଇଛି । କେତେକ ପାଲାକାରଙ୍କ ଅନ୍ୟ କୌଣସି ରୋଜଗାରର ପନ୍ଥା ନାହିଁ । କେବଳ ପାଲା ଉପରେ ନିର୍ଭର କରି ସେମାନେ ପରିବାର ପ୍ରତିପୋଷଣ କରିଥାନ୍ତି । ଜିଲ୍ଲାର ୧୬୦ଜଣ ପାଲା ଗାୟକ ଓ ଗାୟିକାମାନେ ସରକାରୀ ସ୍ଥରରେ ବ୍ଲକ କଳା ସଂସ୍କୃତି ସଂଘ ଦ୍ୱାରା ପଞ୍ଜିକୃତ ଥିବା ବେଳେ ସେମାନଙ୍କ ସହଯୋଗୀ ୫ଶହ ବାୟକ ଓ ପାଳିଆମାନେ ପଞ୍ଜିକୃତ ହୋଇଛନ୍ତି । ପ୍ରତି ପାଲାକାର ଦଳରେ ୬ଜଣ ରହୁଥିବା ବେଳେ ଜିଲ୍ଲାରେ ୯୬୦ଜଣ ପାଲାକାର ଅଛନ୍ତି । ରାଜ୍ୟ ପାଲାଗାୟକ ପରିଷଦରେ ଏକ ଶହରୁ ଉଦ୍ଧ୍ୱର୍ ପଞ୍ଜିକୃତ ହୋଇଛନ୍ତି । ସେମାନଙ୍କୁ ବିଧାୟକ, ସାଂସଦ, ମନ୍ତ୍ରୀ ବା ଜିଲ୍ଲାପାଳ ସହାନୁଭୁତି ପ୍ରଦର୍ଶନ କରିନାହାନ୍ତି । ଯାହା ଫଳରେ ଅତ୍ୟନ୍ତ ଦୁଃଖ କଷ୍ଟରେ ସେମାନେ କାଳାତିପାତ କରୁଛନ୍ତି । ନିଜ ପରିବାରକୁ ବଂଚାଇ ରଖିବାକୁ ସେମାନେ ରାସ୍ତାକଡରେ ପରିବା ବିକିବା ଠାରୁ ଆରମ୍ଭ କରି ସବୁ କିଛି କରିବାକୁ ପଛାଉ ନାହାନ୍ତି । ତେଣୁ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବାକୁ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଗାୟକ କ୍ଷୀରୋଦ କୁମାର ନାଥ, ଶରତ ଚନ୍ଦ୍ର ସ୍ୱାଇଁ, ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଭାଗବତ ବେହେରା,ସୁରେନ୍ଦ୍ର ଶତପଥୀ, ଲକ୍ଷ୍ମୀପ୍ରିୟା ସ୍ୱାଇଁ, ମଞ୍ଜୁବାଳା ପତି, ବିଷ୍ଣୁ ଚରଣ ଆଚାର୍ଯ୍ୟ, ଶାରଦା ପ୍ରସନ୍ନ ନାଥ, ଗୋପିନାଥ ରଣା, ଚଣ୍ଡେଶ୍ୱର ବେହେରା, ସନାତନ ରଣା, ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ପ୍ରକୃତି ବନ୍ଧୁ ଗାୟକ ଗଗନ ବିହାରୀ ସିଂହ ପ୍ରମୁଖ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର