Monday , March 27 2023
Breaking News
Home / ବିଶେଷ / ୫୬୦କୋଟି ଟଙ୍କା ବ୍ୟୟ ଅଟକଳରେ କୁଜଙ୍ଗଠାରେ ଏକ ବ୍ୟାରେଜ ହେବ

୫୬୦କୋଟି ଟଙ୍କା ବ୍ୟୟ ଅଟକଳରେ କୁଜଙ୍ଗଠାରେ ଏକ ବ୍ୟାରେଜ ହେବ

କେନ୍ଦ୍ରାପଡ଼ା,୨୩/୦୭/୨୦୨୧(ଓଡ଼ିଶା ସମାଚାର)- ୫୬୦କୋଟି ଟଙ୍କା ବ୍ୟୟ ଅଟକଳରେ କୁଜଙ୍ଗଠାରେ ଏକ ବ୍ୟାରେଜ ନିର୍ମାଣ କରାଯିବା ପାଇଁ କେନ୍ଦ୍ରାପଡା ଜିଲ୍ଲାର ୫ଜଣ ବିଧାୟକ ଗୁରୁବାର ଏକ ଭିଡିଓ କନଫରେନ୍ସିଂ ଜରିଆରେ ୫- ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସହ ଆଲୋଚନା କରିଛନ୍ତି । ସେହି ବ୍ୟାରେଜରେ ମହାନଦୀ ପାଣିକୁ ଅଟକାଯାଇ ଜଗତସିଂହପୁର ଜିଲ୍ଲା, କେନ୍ଦ୍ରାପଡା ଜିଲ୍ଲା ଓ କଟକ ଜିଲ୍ଲାର ବ୍ୟାପକ  ଅଣ ଜଳସେଚିତ ଜମିରେ  ଚାଷ କାର୍ଯ୍ୟ କରାଯାଇ ପାରିବ । ଏହି ପରିପ୍ରେକ୍ଷୀରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଓ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ପ୍ରମୁଖ ଏହି ଭିଡିଓକନଫରେନ୍ସିଂ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ । ପରେ ବିଧାୟକମାନେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ବିସ୍ତୃତ ଆଲୋଚନା ପାଇଁ ତାଙ୍କ ଆବାସିକ କାର୍ଯ୍ୟାଳୟକୁ ଯାଇଥିଲେ । ଏହି ଅବସରରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ଏହି ପ୍ରକଳ୍ପ ହେବା ଦ୍ୱାରା ଏହି ଅଂଚଳଗୁଡିକରେ ବର୍ଷ ତମାମ ଚାଷ ଜମିକୁ ଜଳ ଯୋଗାଇ ଦିଆଯିବ, ପିଇବା ପାଣି ପ୍ରକଳ୍ପକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ, ବ୍ୟାରେଜ ନିର୍ମାଣ ହେଲେ ପାରାଦ୍ୱୀପ ସହ ମହାକାଳପଡ଼ାକୁ  ଯୋଗାଯୋଗ ସମ୍ଭବ ହୋଇ ପାରିବ ।  ଆଗାମୀ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠାରେ ଅନ୍ତଃନଦୀ ଜଳାଶୟ ସହାୟକ ହେବ । ଏହି ପ୍ରକଳ୍ପକୁ ମଞ୍ଜୁର କରିବା ପାଇଁ ଜିଲ୍ଲାର ସମସ୍ତ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବରୁ ଅନୁରୋଧ କରିଥିଲେ  । ଓଡ଼ିଶା ସମାଚାର

Leave a Reply

Your email address will not be published.