ଗରଦପୁର, ୨୩/୦୭/୨୦୨୧(ଓଡ଼ିଶା ସମାଚାର)- ଦୀର୍ଘଦିନ ଟାଣ ଖରା ହେବା ପରେ ଚାଷ ଜମି ଗୁଡ଼ିକ ସୁଖି ଯାଇଥିଲା । ଚାଷୀ ବର୍ଷାକୁ ଚାହିଁ ଚାହିଁ ହତାଶ ହୋଇ ପଡ଼ିଥିଲେ । ଗତ ଦୁଇ ଦିନ ହେଲା ପାଟକୁରା ଅଂଚଳର ପ୍ରାୟ ସମସ୍ତ ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇଥିବା ଯୋଗୁ ଚାଷୀ ମହଲରେ ଆନନ୍ଦ ପ୍ରକାଶ ପାଇଛି । ପ୍ରକାଶ ଯେ ଗରଦପୁର ବ୍ଲକ୍ ର ବିଭିନ୍ନ ଗ୍ରାମ ଗୁଡ଼ିକର ଚାଷ ଜମି ମାନଙ୍କରେ ବିଆଳି ଧାନ ଫସଲ କରାଯାଇଥିଲା । ବିଆଳି ଧାନ ଫସଲ କରାଯାଇଥିବା ଜମି ଗୁଡ଼ିକରେ ବର୍ଷା ପାଣି ଅଭାବରୁ ଜମିରେ ହୋଇଥିବା ଘାଷ ବଛାଯାଇ ପାରୁନଥିଲାବେଳେ ଚାଷୀମାନେ ଜମିରେ ସାର ପ୍ରୟୋଗ କରିପାରୁନଥିଲେ । ଏହିଭଳି ସାରଦ ଧାନ ଚାଷ କରାଯିବା ପାଇଁ ଥିବା ଜମି ଗୁଡ଼ିକ ବର୍ଷା ଅଭାବରୁ ସୁଖିଲା ପଡ଼ିଥିଲା । ବିଗତ ୧୫ / ୨୦ ଦିନ ପୂର୍ବରୁ ହୋଇଥିବା ବର୍ଷାରେ ଅଳ୍ପ କେତେକ ଖାଲୁଆ ଜମି ଗୁଡ଼ିକ ରେ ପାଣି ହେବାରୁ ଚାଷୀ ହଳ କରି ବେଉଷଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ଅଳ୍ପ କେତେକ ଜମିରେ ରୁଆ ପୋତା ମଧ୍ୟ କରାଯାଇଥିଲା । ମାତ୍ର ପରେ ପରେ ବୈଶାଖର ଟାଣ ଖରା ଭଳି ପରିସ୍ଥିତି ସୃଷ୍ଟି ହୋଇ ଜମି ଗୁଡ଼ିକ ସୁଖି ଯିବା ସହିତ କେତେକ ରୁଆପୋତା ଜମି ଖରାରେ ଫାଟିଯାଇଥିଲା । ଗତ ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାରୁ ଚାଷୀ ମହଲରେ ଆନନ୍ଦ ପ୍ରକାଶ ପାଇଛି । ଏହି ବର୍ଷା ଫଳରେ ଅଟଳି ରହିଥିବା ଚାଷ କାର୍ଯ୍ୟ ଆଗେଇ ପାରିବ ବୋଲି ଚାଷୀ ମନରେ ଆଶାର ସଂଚାର ହୋଇଛି । ଓଡ଼ିଶା ସମାଚାର