Friday , June 2 2023
Breaking News
Home / ଶିକ୍ଷା / ଘରୋଇ ସ୍କୁଲରେ ପ୍ରଶିକ୍ଷଣ ନେବେ ସରକାରୀ ଶିକ୍ଷକ

ଘରୋଇ ସ୍କୁଲରେ ପ୍ରଶିକ୍ଷଣ ନେବେ ସରକାରୀ ଶିକ୍ଷକ

ଭୁବନେଶ୍ୱର,୨୩/୦୭/୨୦୨୧(ଓଡ଼ିଶା ସମାଚାର)- ଏଣିକି ଘରୋଇ ସ୍କୁଲରେ ପାଠପଢ଼ିବେ ସରକାରୀ ସ୍କୁଲ ଶିକ୍ଷକ । ଏଭଳି ପଦକ୍ଷେପ ନେଉଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ପିଲାଙ୍କୁ କିପରି ସହଜ ଓ ସରଳ ଭାବେ ଶିକ୍ଷାଦାନ କରାଯିବ ସେନେଇ ସରକାରୀ ସ୍କୁଲ ଶିକ୍ଷକଙ୍କୁ ଘରୋଇ ସ୍କୁଲ ଶିକ୍ଷକ ପ୍ରଶିକ୍ଷଣ ଦେବେ । ରାଜ୍ୟର ଘରୋଇ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ପାଠପଢ଼ା ଶୈଳୀ ଏବଂ ଶିକ୍ଷାଦାନ ପ୍ରଣାଳୀ ସମ୍ପର୍କରେ ସରକାରୀ ସ୍କୁଲର ଶିକ୍ଷକଙ୍କୁ ଅବଗତ କରାଗଲେ ଶିକ୍ଷାର ମାନରେ ଉନ୍ନତ ହୋଇପାରିବ ବୋଲି ଆକଳନ କରାଯାଇଛି । ସରକାରୀ ସ୍କୁଲଗୁଡିକରେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ କୋର୍ସ ଶେଷ ହେଉଥିବା ବେଳେ ଦକ୍ଷ ଶିକ୍ଷକ ମଧ୍ୟ ନିଯୁକ୍ତ ହୋଇଛନ୍ତି । ତଥାପି ରେଜଲ୍ଟରେ ସରକାରୀ ସ୍କୁଲ ଭଲ ପ୍ରଦର୍ଶନ ନକରିବା ଚିନ୍ତାର କାରଣ ହେଉଛି । କେଉଁ ପଦ୍ଧତିରେ ଘରୋଇ ସ୍କୁଲଗୁଡିକରେ ପାଠପଢ଼ା ହେଉଛି ଏବଂ ସମ୍ପୃକ୍ତ ସ୍କୁଲରେ ପିଲାଙ୍କୁ କେଉଁ ଢାଂଚାରେ ଶିକ୍ଷାଦାନ ହେଉଛି ସେହି ପ୍ରଶିକ୍ଷଣ ସରକାରୀ ସ୍କୁଲ ଶିକ୍ଷକଙ୍କୁ ମଧ୍ୟ ପ୍ରଦାନ କରାଯିବ । ରାଜ୍ୟରେ ପ୍ରାଥମିକ ଶିକ୍ଷା ଲାଗି ୧ଲକ୍ଷ ୩୦ହଜାର ୫୧୬ ଏବଂ ଉଚ୍ଚପ୍ରାଥମିକ ଶିକ୍ଷା ଲାଗି ୬୬ହଜାର ୮୧୦ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ଏହି ପ୍ରଶିକ୍ଷଣ ବ୍ୟବସ୍ଥାରେ କେବଳ ପ୍ରାଥମିକ ଶିକ୍ଷକଙ୍କୁ ସାମିଲ କରାଯିବ । ରାଜ୍ୟରେ ଜିଲ୍ଲାୱାରୀ ଏହି ପ୍ରଶିକ୍ଷଣ ଦିଆଯିବ । ପ୍ରଶିକ୍ଷଣ ଲାଗି ସମସ୍ତ ଖର୍ଚ୍ଚ ସ୍କୁଲ ଓ ଗଣଶିକ୍ଷା ବିଭାଗ ବହନ କରିବ । ପ୍ରଶିକ୍ଷଣ ଶେଷ ହେବା ପରେ ଟେଷ୍ଟ ରିପୋର୍ଟ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ଏବଂ ସ୍କୁଲ ପରିଚାଳନା କମିଟିର ସଭାପତି ପ୍ରଦାନ କରିବେ । ଦୈନିକ ୮ଘଂଟା ଧରି ପ୍ରଶିକ୍ଷଣ ଦିଆଯିବ । ପ୍ରଶିକ୍ଷଣ ସହିତ ଘରୋଇ ସ୍କୁଲଗୁଡିକରେ ପିଲାଙ୍କ ସହିତ ଆଲୋଚନା ଏବଂ ସ୍କୁଲରେ ଶିକ୍ଷକ ଓ ପିଲାଙ୍କ ମଧ୍ୟରେ କିପରି ସମ୍ପର୍କ ରହୁଛି ସେ ସମ୍ପର୍କରେ ମଧ୍ୟ ଅବଗତ ହେବେ । ଏହି ବ୍ୟବସ୍ଥାରେ ସରକାରୀ ସ୍କୁଲରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତନ ହେବାର ସମ୍ଭାବନା ରହିଛି ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜଣାପଡିଛି । ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମାତୃଭାଷା, ଗଣିତ ଏବଂ ଇଂରାଜୀ ବିଷୟରେ ଦକ୍ଷତାକୁ ଯାଂଚ କରାଯାଇ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାକୁ ରାଜ୍ୟ ସରକାର ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ରାଜ୍ୟରେ ଏକ ଅଭିନବ ପ୍ରୟାସ ମଧ୍ୟରେ ପିଲାଙ୍କ ଜ୍ଞାନ ଏବଂ ଶିକ୍ଷକଙ୍କ ଶିକ୍ଷାଦାନ ସମ୍ପର୍କରେ ସରକାର ଅବଗତ ହେବା ଲାଗି ସ୍ୱତନ୍ତ୍ର ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହୋଇଛି । ରାଜ୍ୟ ସରକାର ଏବଂ ନିତି ଆୟୋଗର ମିଳିତ ସହଯୋଗରେ ରାଜ୍ୟର କଳାହାଣ୍ଡି, କଟକ ଏବଂ ଝାରସୁଗୁଡାରେ ‘ଲର୍ଣ୍ଣିଂ ଆଉଟକମ୍ ଟେଷ୍ଟ’ ପ୍ରକଳ୍ପ ଆରମ୍ଭ ହୋଇଛି । ଏହି ପ୍ରକଳ୍ପକୁ ବିସିଜି ତଥା ବୋଷ୍ଟନ୍ କନସଲ୍ଟିଂ ଗ୍ରୁପ୍ ସହାୟତା ଯୋଗାଉଛି । ଏହି ଟେଷ୍ଟ୍ର ସମ୍ପୃକ୍ତ ପ୍ରତ୍ୟେକ ଜିଲ୍ଲାରୁ ପ୍ରାୟ ୭୫ରୁ ୯୦ ସ୍କୁଲ ସାମିଲ ହୋଇଛି । ପ୍ରତ୍ୟେକ ସ୍କୁଲର ତୃତୀୟ, ପଂଚମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଏହି ଟେଷ୍ଟ୍ ରେ ସାମିଲ ହୋଇଛନ୍ତି । ଏଭଳି ପ୍ରଶିକ୍ଷଣ ପାଇଁ ପ୍ରାୟ ୪୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.