ଭୁବନେଶ୍ୱର,୨୩/୦୭/୨୦୨୧(ଓଡ଼ିଶା ସମାଚାର)- ଦଳିତ ଓ ଆଦିବାସୀମାନଙ୍କ ଉପରେ ନିର୍ଯ୍ୟାତନା ବଢିଚାଲିଛି । ଏପରିକି ନିର୍ବାଚିତ ପ୍ରତିନିଧିମାନେ ମଧ୍ୟ ଏଥିରୁ ବାଦ୍ ପଡୁନାହାଁନ୍ତି । ଉଦାହରଣ ସ୍ୱରୂପ ଭାପୁର ବ୍ଲକ ପଂଚାୟତ ସମିତି ଅଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କୁ ମାଡ଼ ମାରିବା ଓ କାର୍ଯ୍ୟ ନ କରାଇଦେବା ଅଭିଯୋଗ ଫତେଗଡ଼ ଥାନରେ କରାଯାଇଥିଲେ ମଧ୍ୟ ପୋଲିସ୍ ହାତବାନ୍ଧି ବସିଛି । ଆଦିବାସୀ ମହିଳା ପଂଚାୟତ ଅଧ୍ୟକ୍ଷା ହୋଇଥିବାରୁ ତାଙ୍କ ଉପରେ ନିର୍ଯ୍ୟାତନା କରାଯାଉଛି । ବର୍ତମାନ ସୁଦ୍ଧା ଅଧ୍ୟକ୍ଷାଙ୍କୁ ତାଙ୍କ ଅଫିସ୍ରେ ବସିବାର ସୁଯୋଗ ଦିଆଯାଉନାହିଁ । ଜିଲ୍ଲାପାଳ ଓ ଆରକ୍ଷୀ ଅଧ୍ୟକ୍ଷଙ୍କୁ ଜଣାଇଲେ ମଧ୍ୟ କୌଣସି ଫଳ ମିଳୁନାହିଁ । ଏପରିକି ଅଧ୍ୟକ୍ଷାଙ୍କ ଆଧାର କାର୍ଡ଼ ଓ ଜାତି ପ୍ରମାଣ ପତ୍ର ମଧ୍ୟ ନେଇଯାଇଛନ୍ତି । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳା ଓ ଆଦିବାସୀମାନଙ୍କ ବିକାଶ କଥା କହୁଥିବା ବେଳେ ଏଠି ଜଣେ ଆଦିବାସୀ ମହିଳାଙ୍କ ଉପରେ ମାନସିକ, ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଚୁପ୍ ହୋଇ ବସିରହିଛନ୍ତି ।
ଲୋୟର ପିଏମଜିଠାରେ ଆୟୋଜିତ ଗଣଧାରଣାରେ ଯୋଗଦେଇ ଦଳିତ ଆଦିବାସୀ ନେତାମାନେ କ୍ଷୋଭ ପ୍ରକାଶ କରିବା ସହିତ ତୁରନ୍ତ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଅଧ୍ୟକ୍ଷାଙ୍କ ନାମରେ ଅଣାଯାଉଥିବା ଅନାସ୍ଥା ପ୍ରସ୍ତାବକୁ ରଦ୍ଧ କରିବା ପାଇଁ ନିର୍ଦ୍ଧେଶ ଦେବା ସହିତ ନିର୍ଯ୍ୟାତନା ଦେଉଥିବା ଆସାମୀ ଗୟାଧର ପରିଡ଼ା ଏବଂ ତାଙ୍କ ସହଯୋଗୀମାନଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଧେଶ ଦିଅନ୍ତୁ । ନଚେତ ରାଷ୍ଟ୍ରୀୟ ଦଳିତ ମହାସଭା ଏହି ଆନ୍ଦୋଳନକୁ ବ୍ୟାପକ କରିବ ବୋଲି ରାଜ୍ୟ ସଭାପତି ଅଶୋକ କୁମାର ମଲ୍ଲିକ ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନରେ ଦେବରାଜ ନାୟକ, ସଞ୍ଜୟ ଘଡ଼େଇ, ରୀନାରାଣୀ ନାୟକ, ଫତିମା ବେଗମ, ରବି ସେଠୀ ଓ ବହୁ ଦଳିତ ଆଦିବାସୀ ନେତା ଯୋଗଦେଇ ଦେମାନଙ୍କ ମତାମତ ରଖିଥିଲେ । ଓଡ଼ିଶା ସମାଚାର