ରାଉରକେଲା,୨୨/୦୭/୨୦୨୧(ଓଡ଼ିଶା ସମାଚାର)- ବିଜେପି ପାନପୋଷ ସାଙ୍ଗଠନିକ ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି କମଳେଶ ଶାହାଙ୍କ ନେତୃତ୍ୱରେ ବର୍ଦ୍ଧିତ ବିଦୁ୍ୟତ୍ ଶୁଳ୍କ ପ୍ରତ୍ୟାହାର ଦାବିରେ ଏକ ମହମବତୀ ଶୋଭାଯାତ୍ରା ସେକ୍ଟର- ୨୦ ସ୍ଥିତ ହିଲଟପ୍ ଛକ ଠାରୁ କୋଏଲନଗର ହନୁମାନ ମନ୍ଦିର ଛକ ପର୍ଯ୍ୟନ୍ତ କରାଯାଇଥିଲା । ଯୁବମୋର୍ଚ୍ଚା ତରଫରୁ ଏହି ମହମବତୀ ଶୋଭାଯାତ୍ରା ଜରିଆରେ ବିକ୍ଷୋଭ ପ୍ରଦର୍ଶନ ସହ ଜନସାଧାରଣଙ୍କୁ ଜାଗ୍ରତ କରି ଆଗାମୀ ଦିନରେ ଗଣଆନ୍ଦୋଳନ ଗଢି ତୋଳିବା ପାଇଁ ଆହ୍ୱାନ ଦିଆଯାଇଛି । ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି କମଳେଶ ଶାହା, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ରୋଶନ ସାହୁ ପ୍ରମୁଖ ନେତୃବୃନ୍ଦ ରାଜ୍ୟ ସରକାରଙ୍କ ଜନବିରୋଧି ନୀତିକୁ କଡା ସମାଲୋଚନା କରିଥିଲେ । ରାଜ୍ୟ ସରକାର ତୁରନ୍ତ ବର୍ଦ୍ଧିତ ବିଦୁ୍ୟତ୍ ଶୁଳ୍କ ପ୍ରତ୍ୟାହାର କରିବା, ୧୦୦ ୟୁନିଟ୍ ପର୍ଯ୍ୟନ୍ତ ଗୋଟିଏ ଦର ଲାଗୁ କରିବା, ନିରବଚ୍ଛିନ୍ନ ଭାବେ ବିଦୁ୍ୟତ୍ ଯୋଗାଣ କରିବା, ଅଘୋଷିତ ବିଦୁ୍ୟତ୍ କାଟକୁ ସମ୍ପୂର୍ଣ୍ଣ ବନ୍ଦ କରିବା, କୃଷି କ୍ଷେତ୍ର ଓ ଶୀତଳ ଭଣ୍ଡାର ପାଇଁ ବିଦୁ୍ୟତ୍ ଦେୟରେ ସବସିଡ୍ ପ୍ରଦାନ କରିବା, ପୁରୁଣା ବକେୟା ବିଲ୍ ଆଦାୟରେ ଜୁଲମ୍ ବନ୍ଦ କରିବାକୁ ଯୁବମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି । ଯଦି ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ଗଣଆନ୍ଦୋଳନକୁ ତୀବ୍ର କରିବା ଲକ୍ଷ୍ୟରେ ଯୁବମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି । ଏଥିପାଇଁ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ । ଏହି କାର୍ଯ୍ୟକ୍ରମରେ ଶ୍ରୀକାନ୍ତ ରାୟ, ହିରୋଜ ରାୟ, ରାଜେନ୍ଦ୍ର ଗୌଡ, କେଦାର ମହାନ୍ତି, ଅଶ୍ୱିନୀ ବେହୁରା, ବାବୁଲି ପଣ୍ଡା, ରାମ ଅଗ୍ରୱାଲ, ନିଖିଳ ଅଗ୍ରୱାଲ, ତାରକେଶ୍ୱର ସିଂ, ତ୍ରିବିକ୍ରମ ମାଝି, ପାର୍ଥପ୍ରତୀମ ମହାପାତ୍ର, ସୁଶୀଲ ସେଠୀ, ଲକ୍ଷ୍ମୀକାନ୍ତ ଗୌଡ, କମଳକାନ୍ତ ଗୌଡ, ରୋହିତ ମୁଖୀ, ସୁଶାନ୍ତ ଜେନା, ଶୁଭମ ଲୋହାର, ବିଶ୍ୱଜିତ୍ ଗୋପ ପ୍ରମୁଖ ଅଂଶଗ୍ରହଣ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି । ଓଡ଼ିଶା ସମାଚାର