Saturday , June 3 2023
Breaking News
Home / ବିଶେଷ / ପୂଜ୍ୟା ରମାଦେବୀଙ୍କ ୩୬ତମ ଶ୍ରାଦ୍ଧୋତ୍ସବ ପାଳିତ

ପୂଜ୍ୟା ରମାଦେବୀଙ୍କ ୩୬ତମ ଶ୍ରାଦ୍ଧୋତ୍ସବ ପାଳିତ

ଭୁବନେଶ୍ୱର,୨୨/୦୭/୨୦୨୧(ଓଡ଼ିଶା ସମାଚାର)-ଓଡ଼ିଶା ତଥା ଭାରତ ବର୍ଷରେ ନାରୀ ଜାଗରଣର କର୍ଣ୍ଣଧାର, ସେବା, କରୁଣା, ସଂସ୍କାର ଓ ତ୍ୟାଗର ମୂର୍ତିମନ୍ତ ପ୍ରତୀକ ପୂଜ୍ୟା ମା’ ରମାଦେବୀଙ୍କ ୩୬ତମ ଶ୍ରାଦ୍ଧୋତ୍ସବ ଆଜି ପ୍ରତୁ୍ୟଷରୁ ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରସ୍ଥ ତାଙ୍କ ପ୍ରତିମୂର୍ତି ନିକଟରେ ସରକାରଙ୍କ ପ୍ରଦର୍ଶିତ କୋଭିଡ୍ ନିୟମ ଅନୁପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷା କରାଯାଇ ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସମୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆୟୁକ୍ତ ତଥା ଶାସନ ସଚିବ ଡଃ ସୁରେଶ ଚନ୍ଦ୍ର ଦଳେଇ, ନିର୍ଦ୍ଧେଶକ ରଞ୍ଜନ କୁମାର ଦାସ, ବିଧାୟକ ରମେଶ ଚନ୍ଦ୍ର ସାଏ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡଃ ଅପରାଜିତା ଚୌଧୁରୀ, ଡଃ ଚଣ୍ଡୀ ଚରଣ ରଥ, ସୁଶୀଲ ପଟ୍ଟନାୟକ, ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସମିତି ପକ୍ଷରୁ ରବି ନାରାୟଣ ନନ୍ଦ, ପ୍ରବୀର ମହାନ୍ତି, ସତ୍ୟବ୍ରତ ଜେନା, ମନୋରଞ୍ଜନ ନାୟକ, କବିତା ସୁବୁଦ୍ଧି, ଜ୍ୟୋତିର୍ମୟୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ମା’ ରମାଦେବୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ ଉତ୍କଳ ଗୌରବ ମଧୁବାବୁଙ୍କ କନିଷ୍ଠ ଭ୍ରାତା ଗୋପାଳ ବଲ୍ଲଭଙ୍କ କନ୍ୟା ରାମଦେବୀ ଜାତୀୟତାବାଦୀ ଆନ୍ଦୋଳନ ନେତା ଗୋକୁଳାନନ୍ଦ ଚୌଧୁରୀଙ୍କ ଜ୍ୟେଷ୍ଠ ପୁତ୍ର ଋଷିପ୍ରତିମ ଗୋପବନ୍ଧୁ ଚୌଧୁରୀଙ୍କୁ ବିବାହ କରି ସ୍ୱାମୀଙ୍କ ଅନୁଗାମୀ ଭାବେ ଜାତୀୟତାବାଦୀ ଆନ୍ଦୋଳନରେ ଯୋଗଦାନ କରିବା ସହିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ହରିଜନ ପଦଯାତ୍ରାରେ ନିଜକୁ ସାମିଲ୍ କରିଥିଲେ । ମୌଳିକ ଶିକ୍ଷା, ନାରୀ ଶିକ୍ଷାର ବିକାଶ, ସର୍ବୋଦୟ ଆନ୍ଦୋଳନରେ ନିଜକୁ ସାମିଲ୍ କରି ନିର୍ବାଚନ ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ରମେଶ ଚନ୍ଦ୍ର ସାଏ, କୁଳପତି ଡଃ ଅପରାଜିତା ଚୌଧୁରୀ ଓ ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହଙ୍କୁ ସାମିଲ୍ ସଂଗଠନ ତରଫରୁ ମା’ ରମାଦେବୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନୁସଚିବ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.