ଭୁବନେଶ୍ୱର, ୨୧/୦୭/୨୦୨୧(ଓଡ଼ିଶା ସମାଚାର)- ଭୁବନେଶ୍ୱରକୁ ସବୁଜସୁନ୍ଦର କରିବା ସହ ତଟକା ଫଳ, ପନିପରିବା ଇତ୍ୟାଦି ନିଜ ବାରିରୁ ପାଇବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଧେଶାଳୟ ପକ୍ଷରୁ ‘ମୋ ବାଡ଼ି-ମୋ ବଗିଚା’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମଙ୍ଗଳବାର ଗଙ୍ଗନଗରସ୍ଥିତ କ୍ୱାଟର ନଂ ୨ଆର-୩୨ ପରିସରରେ ଫଳଗଛ ଚାରା ରୋପଣ କରି ଏହାର ଶୁଭାରମ୍ଭ କରିଛନ୍ତି । ଚଳିତ ବର୍ଷ ଉଦ୍ୟାନ କୃଷି ନିର୍ଦ୍ଧେଶାଳୟ ପକ୍ଷରୁ ଭୁବନେଶ୍ୱର ସହରର ଏକ ହଜାର ସରକାରୀ ବାସଭବନରେ ୨ଟି ଆମ୍ବ, ୨ଟି ପଣସ ଓ ୨ଟି ବେଲ ଚାରା ସହ ପନିପରିବା ପୁଡ଼ିଆ ଓ ଖତସାର ଇତ୍ୟାଦି ବଂଟନ କରିବା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଭୁବନେଶ୍ୱରର ସରକାରୀ କ୍ୱାଟରଗୁଡ଼ିକରେ ଥିବା ଖାଲି ଜାଗାରେ ଫଳଗଛ ଲଗାଇବା ଦ୍ୱାରା ପରିବେଶ ସନ୍ତୁଳନ ସହିତ ଗଛର ଛାଇ ଓ ସୁସ୍ୱାଦୁ ଫଳ ପାଇହେବ । ରାଜ୍ୟ ସରକାରଙ୍କ ଏହି ଯୋଜନାରେ ଫଳଗଛ ଚାରା ଯଥା ଆମ୍ବ, ପଣସ ଓ ବେଲ ଚାରା ସହ ପନିପରିବା ମଂଜି କିଟ୍ ଏବଂ ଜୈବିକ ସାର ଓ ଔଷଧ ତଥା ରୋପଣ ବିଧିର ପୁସ୍ତିକା ବିନାମୂଲ୍ୟରେ ଯୋଗାଇଦେବାର ବ୍ୟବସ୍ଥା ରହିଛି ।
ତେଣୁ ସରକାରଙ୍କ ଏହି ପ୍ରୟାସରେ ସମସ୍ତଙ୍କୁ ଭାଗୀଦାର ହେବା ପାଇଁ ମନ୍ତ୍ରୀ ଡ. ସାହୁ ଆହ୍ୱାନ ଦେବା ସହିତ ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରକୁ ସବୁଜସୁନ୍ଦର କରି ଗଢ଼ିତୋଳିବାରେ ସହାୟକ ହେବ ବୋଲି କହିଛନ୍ତି । ଏହି ଅବସରରେ ଜନସାଧାରଣଙ୍କ ମଧ୍ୟରେ ବୃକ୍ଷରୋପଣ ତଥା ଫଳଗଛ ଲଗାଇବା ଦିଗରେ ସଚେତନତା ବୃଦ୍ଧି କରିବା ପାଇଁ ଉଦ୍ୟାନ କୃଷି ନିର୍ଦ୍ଧେଶାଳୟର ପ୍ରଚାରଗାଡ଼ିକୁ ମନ୍ତ୍ରୀ ଡ. ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ନିର୍ଦ୍ଧେଶକ ରୋହିତ କୁମାର ଲେଙ୍କା, ମୃର୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ନିର୍ଦ୍ଧେଶକ ହେମନ୍ତ କୁମାର ପଣ୍ଡାଙ୍କ ସମେତ ଉଦ୍ୟାନ କୃଷି ନିର୍ଦ୍ଧେଶାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର