କେନ୍ଦ୍ରାପଡ଼ା, ୨୦/୦୭/୨୦୨୧(ଓଡ଼ିଶା ସମାଚାର)- ଏକ ମରଣାନ୍ତକ ଆକ୍ରମଣ ଓ ଅସଦାଚରଣ ଘଟଣାରେ ପୋଲିସର ନିଷ୍କ୍ରୀୟତା ପ୍ରତିବାଦରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଘଟଣା ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ସାନବେତରା ଗ୍ରାମର କାର୍ତିକ ସେଠୀଙ୍କ ପତ୍ନୀ ସୁମିତ୍ରା ସେଠୀ ଅଭିଯୋଗ କରିଛନ୍ତି ଯେ ସେହି ଥାନା ଅନ୍ତର୍ଗତ ମାହାଳ ଗ୍ରାମର ଦୂର ସମ୍ପର୍କୀୟ ଦୁର୍ଯେ୍ୟାଧନ ସେଠୀଙ୍କ ମାନସିକ ବିକାର ଗ୍ରସ୍ତ ନାତି ସାଇକେଲ ଯୋଗେ ତାଙ୍କ ଘରେ ପହଂଚି ବୁଲାବୁଲି କରୁଥିଲେ । ଏସମ୍ପର୍କରେ ସୁମିତ୍ରାଙ୍କ ସ୍ୱାମୀ ଦୁର୍ଯେ୍ୟାଧନଙ୍କୁ ଜଣାଇଥିଲେ । ଦୁର୍ଯେ୍ୟାଧନଙ୍କ ପରାମର୍ଶ କ୍ରମେ କାର୍ତିକ ତାଙ୍କ ନାତିକୁ ନେଇ ମାହାଳ ଗ୍ରାମରେ ଛାଡିଦେଇଥିଲେ । କିନ୍ତୁ ସାଇକେଲଟି କାର୍ତିକଙ୍କ ଘରେ ରହିଯାଇଥିଲା । ଏନେଇ ସାନବେତରା ଗ୍ରାମର ୨ଜଣ ଓ ଛକନା ଗ୍ରାମର ଜଣେ ବ୍ୟକ୍ତି ଗତ ୧୭ତାରିଖ ରାତି ୧୨ଟାରେ ସଂପୃକ୍ତ ମାନସିକ ବିକାରଗ୍ରସ୍ତ ପିଲାଟି ସହ ସୁମିତ୍ରାଙ୍କ ଘରେ ପହଂଚି ସାଇକେଲଟିକୁ ନେଇଯାଇଥିଲେ । ପୁଣି ସେହିବ୍ୟକ୍ତିମାନେ ଗତ ୧୮ତାରିଖରେ ସୁମିତ୍ରାଙ୍କ ଘରେ ପହଂଚି ସୁମିତ୍ରା ଓ ତାଙ୍କ ସ୍ୱାମୀ କାର୍ତିକଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଜାତିଆଣ ଆଖେପ କରି ଗାଳି ଗୁଲଜ କରିବା, ପରିବାରର ମହିଳା ସଦସ୍ୟାମାନଙ୍କୁ ଅସଦାଚରଣ କରିବା ସହ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ସେ ପାଟକୁରା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପାଟକୁରା ଥାନା ପୋଲିସ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନଥିବାରୁ ସେହି ପରିବାରଟି ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଛନ୍ତି । ସେମାନଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିଛି । ତେଣୁ ଏଭଳି ପରିସ୍ଥିତିରେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ସହିତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବାକୁ ପୋଲିସକୁ ନିର୍ଦେଶ ଦେବାକୁ ସୁମିତ୍ରା ଓ ତାଙ୍କ ସ୍ୱାମୀ କାର୍ତିକ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର