କେନ୍ଦ୍ରାପଡ଼ା, ୨୦/୦୭/୨୦୨୧(ଓଡ଼ିଶା ସମାଚାର)- ନାବାର୍ଡର ୪୦ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ରାଜ୍ୟ ସ୍ତରରେ ରାଜଭବନ ପରିସରରେ ଅନୁଷ୍ଠିତ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଓ ନାବାର୍ଡର ମୁଖ୍ୟ ପରିଚାଳକ ଅତିଥି ଭାବେ ଯୋଗଦେଇଥିଲେ । କୋଭିଡ କଟକଣା ଯୋଗୁଁ ଆଭାସି ମାଧ୍ୟମରେ ଏହି ଦିବସ ପାଳନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଲିଡବ୍ୟାଙ୍କ ମ୍ୟାନେଜର ମଳୟ କୁମାର ମିତ୍ର, ନାବାର୍ଡର ଜିଲ୍ଲା ଉନ୍ନୟନ ପରିଚାଳକ ଅଶୋକ କୁମାର ଆଚାର୍ଯ୍ୟ ଯୋଗ ଦେଇଥିଲେ । ସରକାରଙ୍କ ବିଭିନ୍ନ କୃଷି ଭିତିକ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ନାବାର୍ଡ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଗୁଡିକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ପ୍ରଶଂସା କରିବା ସହିତ ଜିଲ୍ଲାର ବିଭିନ୍ନ ଅଂଚଳରେ ଚାଷୀ ଓ ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟାମାନଙ୍କୁ ସ୍ୱାବଲମ୍ବୀ କରିବାରେ ନାବାର୍ଡ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏବଂ ନାବାର୍ଡ ପକ୍ଷରୁ ଗ୍ରାମ୍ୟ ଭିତିଭୂମୀ ସଶକ୍ତିକରଣ ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡିକ ସ୍ୱାଗତଯୋଗ୍ୟ ବୋଲି କହିଥିଲେ । ୪୦ବର୍ଷର ସଫଳତା ପାଇଁ ସେ ନାବାର୍ଡର ସମସ୍ତ କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ରାଜକନିକା ବ୍ଲକର ମତ୍ସ୍ୟଚାଷୀମାନଙ୍କ ଜୀବିକାରେ ଉନ୍ନତି ପାଇଁ ମା’ ଖରାଖାଇ କୃଷି ଉତ୍ପାଦକ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବିନ୍ଦ୍ର କୁମାର ସାହୁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସମାଚାର