କେନ୍ଦ୍ରାପଡ଼ା,୧୯/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ମଢିଆଳ ଗ୍ରାମର ହରିଶ୍ଚନ୍ଦ୍ର ସାହୁଙ୍କ ପୁଅ ହୃଷିକେଶ ସାହୁ(୨୧)ଙ୍କର ଉତରପ୍ରଦେଶର ମଥୁରାରେ ପ୍ରବାସୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ସେ ସେଠାରେ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ନପାଇ ଗତ ରବିବାର ମଥୁରାରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ହୃଷିକେଶଙ୍କ ପରିବାର ଆର୍ଥିକ ଦୁର୍ବଳ ଶ୍ରେଣୀର ହୋଇଥିବାରୁ ତାଙ୍କ ଶବକୁ ମଥୁରାରୁ କେନ୍ଦ୍ରାପଡାକୁ ଆଣିବାକୁ ଅସମର୍ଥ ଥିଲେ । ଏସମ୍ପର୍କରେ ଖବର ପାଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମୃତ ହୃଷିକେଶଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସ୍ୱର୍ଗତ ସାହୁଙ୍କ ଶବ ଏକ ଆମ୍ବୁଲାନ୍ସରେ ମଥୁରାରୁ କେନ୍ଦ୍ରାପଡାକୁ ଆସୁଛି । ଶ୍ରୀ ପଣ୍ଡାଙ୍କ ପକ୍ଷରୁ ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା, ଉପିନ ରାଉତ, ନେହେରୁ ସାହୁ, ବିଜେପି ନେତା ମହମ୍ମଦ ସଲିମ ଖାନ, ନୃସିଂହ ପତ୍ରୀ, ନଗର ଯୁବ ମୋର୍ଚ୍ଚା ସଭାପତି ସନ୍ଦିପନୀ ଆର୍ଯ୍ୟକୁମାର ପ୍ରମୁଖ ମୃତ ହୃଷିକେଶଙ୍କ ଘରେ ପହଂଚି ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର