ପାରାଦ୍ୱୀପ ୧୭/୦୭/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ-ତିର୍ତୋଲ ଅଂଚଳର ବୟୋଜ୍ୟେଷ୍ଠ କଂଗ୍ରେସ ନେତା ତଥା ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି ପ୍ରସନ୍ନ କୁମାର ଦାସଙ୍କ ୮୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଗତ ୧୫ ଦିନ ଧରି କୋଭିଡ଼ରେ ଆକ୍ରାନ୍ତ ହୋଇ ଚିକିତ୍ସା ନିମନ୍ତେ ଏକ ଘରୋଇ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ତେବେ ପୂର୍ବରୁ ହୃଦରୋଗ ଓ ଫୁସଫୁସ ଜନିତ ରୋଗରେ ଆକ୍ରାନ୍ତ ଥିବାରୁ ତଥା ବୟସାଧିକ ହେତୁ ତାଙ୍କର ଚିକିତ୍ସାରେ କୌଣସି ସୁଫଳ ମିଳି ନ ଥିଲା । ଶେଷରେ ବୁଧବାର ରାତି ଦେଢ଼ଟାରେ ସେ ସବୁଦିନ ପାଇଁ ଆଖି ବୁଜିଥିଲେ । ସ୍ୱର୍ଗତ ଦାସ ୧୯୩୬ ମସିହାରେ ପାରାଦୀପ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆମ୍ବେରୀରେ ଜନ୍ନ ଗ୍ରହଣ କରିଥିଲେ । ଯୁବ ବୟସରୁ ଶ୍ରୀମଦ୍ ବାୟା ବାବା ଓ ଅଭିରାମ ପରମହଂସଙ୍କ ପ୍ରତ୍ୟକ୍ଷ ସଂଷ୍ପର୍ଷରେ ଆସିବା ସହିତ ଦୀର୍ଘବର୍ଷ ଧରି ଆଶ୍ରମରେ କାଳ କାଟିଥିଲେ । ଏକଦା ବାୟାବାବାଙ୍କ ଅନ୍ତରଙ୍ଗ ଶିଷ୍ୟ ଭାବେ ପରିଗଣିତ ହେବାର ସୌଭାଗ୍ୟ ହାସଲ କରିଥିଲେ । ୮୦ ଦଶକରେ କଂଗ୍ରେସ ଦଳ ସହିତ ସାମିଲ୍ ହୋଇ ତତକାଳୀନ ବରିଷ୍ଠ କଂଗ୍ରେସ ନେତା ବସନ୍ତ କୁମାର ବିଶ୍ୱାଳ ଓ ନିତ୍ୟାନନ୍ଦ ସାମନ୍ତରାୟଙ୍କ ସହିତ ତିର୍ତୋଲ କଂଗ୍ରେସ ସଂଗଠନରେ ଅଗେଧାଡ଼ିର ନେତା ଭାବେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଥିଲେ । ଏହି ସମୟ ଭିତରେ ତିର୍ତୋଲ ନିର୍ବାଚନ ମଣ୍ଡଳୀର ଜଣେ ଆଗୁଆ କଂଗ୍ରେସ ନେତା ଭାବେ ବେଶ୍ ଜଣାଶୁଣା ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଭବାନୀ ଦେବୀଙ୍କ ସମେତ ପୁତ୍ର ସାମ୍ବାଦିକ ଅମୀୟ ଦାସ, ଅମ୍ବୁଜ ଦାସ, ପୁତ୍ରବଧୁ ଚନ୍ଦି୍ରକା ଓ ଶର୍ମିଷ୍ଠାଙ୍କ ସମେତ ଝିଅ ଜ୍ୱାଇଁ ଓ ନାତିନାତୁଣୀମାନେ ଊପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ, ପୂର୍ବତନ ଏମପି ରଞ୍ଜିବ ବିଶ୍ୱାଳ, ବାପି ସର୍ଖେଲ, ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡ଼ି ନେତା ଦେବାଶିଷ ସାମନ୍ତରାୟ, ପ୍ରମୋଦ ଜେନାଙ୍କ ସମେତ ଅନେକ ରାଜନେତା ଶୋକ ପ୍ରକାଶ କରିଛନ୍ତି । ଏହାଛଡ଼ା ବିଭିନ୍ନ ସାମାଜିକ ସଂଗଠନ, ରାଜନେତା ଓ ସମାଜସେବୀ ତଥା ବିଭିନ୍ନ ଧର୍ମାନୁଷ୍ଠାନ ପକ୍ଷରୁ ଶୋକ ପ୍ରକାଶ ପାଇଛି । ଓଡ଼ିଶା ସମାଚାର
Check Also
କିଶନନଗର ଥାନା ପରିସରରେ ଆତ୍ମାହୁତି ଘଟଣାରେ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନୋଟିସ
କଟକ , ୨୪ /୬/୨୦୨୨(ଓଡ଼ିଶା ସମାଚାର ): କଟକ ଜିଲା କିଶନନଗର ଥାନା ପରିସରରେ ଦେହରେ ନିଆଁ ଲଗାଇ ଆତ୍ମାହୁତି …