କେନ୍ଦ୍ରାପଡ଼ା, ୧୬/୦୭/୨୦୨୧(ଓଡ଼ିଶା ସମାଚାର)- ନିଜର ଜୀବନ ବିପନ୍ନକରି ନଦୀରେ ବୁଡିଯାଉଥିବା ୪ଜଣ ପିଲାଙ୍କ ଜୀବନ ବଂଚାଇଥିବା ମହିଳାଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯିବାକୁ କେନ୍ଦ୍ରାପଡା ଜିଲ୍ଲା ସଚେତନ ନାଗରିକ ମଂଚ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ହୋଲି ଦିନ ଅପରାହ୍ନରେ କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ବଙ୍ଗାଳପୁର ପଂଚାୟତର ଘୋଡାଦଣ୍ଡା ଗ୍ରାମର ୫ଜଣ ବାଳକ ହୋଲି ଖେଳିସାରି ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ୫ଜଣ ଯାକ ଏକ ଗଣ୍ଡରେ ଫସି ଯାଇଥିଲେ । ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଅଂଚଳର ମମତା ମଳିକ ନିଜ ପିନ୍ଧା ଶାଢିକୁ ଖୋଲି ଗଣ୍ଡ ଭିତରକୁ ପକାଇ ୪ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ଦୁର୍ଭାଗ୍ୟ ବଶତଃ ଜଣେ ବାଳକର ମୃତୁ୍ୟ ଘଟିଥିଲା । ମମତାଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ ପାଇଁ ଆବାହକ ଅଶୋକ କୁମାର ତ୍ରିପାଠୀ,ପ୍ରଦିପ୍ତ କୁମାର ସାମଲ, ଇତିଶ୍ରୀ ପ୍ରିୟଦର୍ଶିନୀ ଭଦ୍ର, ପ୍ରଭାକର ଲେଙ୍କା, ମନୋଜ କୁମାର ପରିଡା, ଗୁଲନଗର ସରପଂଚ ପିତବାସ ବେହେରା ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର