ତାରପୁର, ୧୫/୦୭/୨୦୨୧(ଓଡ଼ିଶା ସମାଚାର)- ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ, ଖାଇବାତେଲ ଓ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶଛୁଆଁ ଦରବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ୍ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ରଘୁନାଥପୁର ବ୍ଲକ୍ କଂଗ୍ରେସ୍ କମିଟି ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଥିଲା । ବ୍ଲକ୍ କଂଗ୍ରେସ୍ କମିଟିର ସଭାପତି ପ୍ରଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ବ୍ଲକ୍ କଂଗ୍ରେସ ଉପସଭାପତି ଆର୍ତତ୍ରାଣ ପଣ୍ଡା, ଜିଲ୍ଲା ଉପସଭାପତି ସର୍ବେଶ୍ୱର ପଣ୍ଡା ଯୋଗଦେଇ କରୋନା ସମୟରେ ମୋଦି ସରକାର ଗରିବ ଜନସାଧାରଣଙ୍କ ବୋଝ ଉପରେ ନଳିତା ବିଡା ସଦୃଶ ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ୍ ଓ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଅହେତୁକ ଦରବୃଦ୍ଧି କରି ଲୋକମାନଙ୍କ ବିଶ୍ୱାସରେ ବିଷ ଦେଇଛନ୍ତି ବୋଲି କହିଥିଲେ । ଏଥିରେ ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ କର୍ମକର୍ତା ଦେବୀ ପ୍ରସାଦ ମହାରଣା ଯୋଗଦେଇ ମୋଦି ସରକାର ଗଣତନ୍ତ୍ରକୁ ହତ୍ୟାକରି ଏକଛତ୍ରବାଦ ଶାସନ ଚଳାଇଛନ୍ତି ବୋଲି କହିଥିଲେ । ଏଥିରେ କଂଗ୍ରେସ୍ର ବରିଷ୍ଠ ନେତା ଦ୍ୱିଜବର ରାଉତ, ପ୍ରଭାସ ପଣ୍ଡା, ବିଜୟ ସ୍ୱାଇଁ, ଶାରଦା ଜେନା, ସାଇପ୍ରଭଞ୍ଜନ ମହାପାତ୍ର, ଚଗଲା ମହାପାତ୍ର, ତ୍ରିଲୋଚନ ରାଉତ, ହେମନ୍ତ ବେହେରା, କିର୍ତୀ ରଞ୍ଜନ ରାୟ, ପ୍ରଦୀପ ନାୟକ, ଭାଗିରଥି ସାହୁ, ଜାଫର ଅଲ୍ଲୀ, ଲକ୍ଷ୍ମୀଧର ଲେଙ୍କା ପ୍ରମୁଖ ଶତାଧିକ କଂଗ୍ରେସ୍ କର୍ମୀ ଯୋଗଦେଇ ବିଜେପି ଓ ବିଜେଡି ସରକାର ବିରୁଦ୍ଧରେ ବିଷୋଦ୍ଗାର କରିଥିଲେ । ଶେଷରେ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ରଘୁନାଥପୁର ବିଡିଓ ଜିତେନ୍ଦ୍ର କୁମାର ନାୟକଙ୍କୁ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର