ଭୁବନେଶ୍ୱର,୧୫/୦୭/୨୦୨୧(ଓଡ଼ିଶା ସମାଚାର)- ନିଜେ ଚାକିରି ଥିବା ସଂସ୍ଥାରୁ ୩୦ ଲକ୍ଷ ଟଙ୍କା ଠକିଥିବା କର୍ମଚାରୀଙ୍କ ସମେତ ତାଙ୍କ ସହଯୋଗୀକୁ ପୁଲିସ ଗିରଫ କରିଛି । ହାଇଦ୍ରାବାଦସ୍ଥିତ ମଣପୁରମ୍ ଫାଇନାନ୍ସ ସଂସ୍ଥାରୁ ଏହି ଅର୍ଥ ଠକେଇ ହୋଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହିତ ଅନ୍ୟ ୪ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଘାଟିକିଆ ବାସୁଦେବ ମନ୍ଦିର ନିକଟରେ ରହୁଥିବା ଆଦିତ୍ୟ ନାରାୟଣ ମହାପାତ୍ର, ବରମୁଣ୍ଡାର ଲକ୍ଷ୍ମୀଧର ମୁର୍ମୁ, ଖଣ୍ଡଗିରିର ପ୍ରମୋଦ ନାୟକ(୨୩), ଭରତପୁରର ସୌମ୍ୟ ପଟ୍ଟନାୟକ(୨୧), ଘାଟିକିଆର ଦେବାଶିଷ ଓଝା(୨୦) । ଅଭିଯୁକ୍ତଙ୍କ ମଧ୍ୟରେ ଆଦିତ୍ୟ ହିଁ ମୁଖ୍ୟ କାର୍ପଟଦାର ବୋଲି ଜଣାପଡ଼ିଛି । ଅନ୍ୟ ୪ଜଣ ଟଙ୍କା ରଖିବାରେ ସହଯୋଗ କରିଥିଲେ । ତେବେ ସାଇବର ଠକେଇ ଘଟଣାରେ ମଣପୁରମ୍ କମ୍ପାନୀକୁ ଏକ ଶକ୍ତ ଧକ୍କା ଲାଗିଛି । ବିନା ସୁନାବନ୍ଧକରେ କେମିତି ଲୋନ୍ ମଞ୍ଜୁର ହୋଇଛି, ସେନେଇ କମ୍ପାନୀ ଖୋଳତାଡ଼ କରିଛି । ଏମିତିକି ଏଥିରେ କମ୍ପାନୀର କେହି ସାମିଲ ଥିବା କମ୍ପାନୀ ସନ୍ଦେହ କରୁଥିଲା । ଯାହାକି ସତ ହୋଇଛି । ନିଜ କର୍ମଚାରୀ ଶେଷରେ ସାଇବର ଠକ ସାଜି କମ୍ପାନୀକୁ ଚୂନ ଲଗାଇଥିବା ସ୍ପଷ୍ଟ ହୋଇଛି । ମଣପୁରମ୍ ର ବ୍ରହ୍ମପୁର ଶାଖାରେ କାମ କରୁଥିବା ଆଦିତ୍ୟ ନାରାୟଣ ମହାପାତ୍ର ତା’ର ନିଜ ସଂସ୍ଥାର ଅନ୍ୟ ଏକ ଶାଖାରୁ ଏଭଳି ଠକେଇ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସେହି ଅଭିଯୁକ୍ତର ଘର ଭୁବନେଶ୍ୱର ହୋଇଥିବାବେଳେ ସେ ବ୍ରହ୍ମପୁରର ମଣପୁରମ୍ ଶାଖାରେ କାମ କରେ । ତେଣୁ ସେ ନୂଆ ଭାବେ ଆରମ୍ଭ ହୋଇଥିବା ‘ଡୋର୍ ଷ୍ଟେପ୍ ଗୋଲ୍ଡଲୋନ୍’ ଆପ୍ ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଥିଲା । ଏମିତିକି ଆପ୍ ର ବ୍ୟବହାର, କାଗଜପତ୍ର ଭେରିଫିକେସନ୍, ଋଣ ମଞ୍ଜୁରି ସମ୍ପର୍କରେ ପୂରା ଅବଗତ ଥିଲା । ସହଜରେ ଆପ୍ ରେ ଋଣ ମଞ୍ଜୁରି ହୋଇପାରୁଥିବାରୁ ସେ ଏହାର ଅପବ୍ୟବହାର କରିବା ପାଇଁ ଯୋଜନା କରିଥିଲା । ଏନେଇ ସେ ତାଙ୍କ କମ୍ପାନୀ ୱେବସାଇଟ୍ ରୁ ହାଇଦ୍ରାବାଦ ହିମାୟଥନଗର ମଣପୁରମ୍ ଶାଖାର ୨ଜଣ ଅଧିକାରୀଙ୍କ ନମ୍ବର ସଂଗ୍ରହ କରିଥିଲା । ପରେ ସେମାନଙ୍କୁ ଫୋନ୍ କରି ନିଜକୁ ମୁଖ୍ୟଶାଖାର ଅଧିକାରୀ ପରିଚୟ ଦେଇ ଏହି ଠକେଇ କରିଥିଲା ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର