Friday , September 22 2023
Breaking News
Home / ବିଶେଷ / ନଦୀର ସୁରକ୍ଷା ପାଇଁ “ଓଡିଶା ନଦୀ ସୁରକ୍ଷା ସମିତି”ଗଠିତ

ନଦୀର ସୁରକ୍ଷା ପାଇଁ “ଓଡିଶା ନଦୀ ସୁରକ୍ଷା ସମିତି”ଗଠିତ

ନଦୀ ମରିଗଲେ ମଣିଷ ସମାଜ ମରିଯିବ

ଭୁବନେଶ୍ୱର,୧୫/୦୭/୨୦୨୧(ଓଡ଼ିଶା ସମାଚାର)- ନଦୀ ଆମର ମା । ନଦୀ ସହିତ ମଣିଷର ସର୍ମ୍ପକ ମାନବ ସଭ୍ୟତାର ଆରମ୍ଭ ଦିନରୁ । ହେଲେ ଯେଉଁ ଭଳି ଭାବରେ ନଦୀ ଉପରେ ତଥାକଥିତ ବିକାଶ ନାଁରେ ଅତ୍ୟାଚାର ଚାଲିଛି ଏହା ଅତ୍ୟନ୍ତ ଉଦବେଗଜନକ । ନଦୀ କେବଳ କିଛି ମଧୁର ଜଳର ଧାରା ନୁହେଁ, ବଂର ଏହା ହେଉଛି ମଣିଷ, ଜୀବଜଗତ ଓ ସମଗ୍ର ପ୍ରକୃତିର ଜୀବନ ଧାରା । ନଦୀ ମରିଗଲେ ମଣିଷ ସମାଜ ମରିଯିବ । ଓଡିଶାରେ ନଦୀ ଗୁଡିକର ଅବସ୍ଥା ଆଜି ବଡ ବିପଦ ସଙ୍କୁଳ ଅବସ୍ଥାରେ । ପ୍ରଦୁଷଣ ପାଇଁ କୌଣସି ଗୋଟିଏ ବି ନଦୀର ପାଣି ଆଜି ମଣିଷ ପାଇଁ ବ୍ୟବହୃତ ଯୋଗ୍ୟ ହୋଇ ରହିନାହିଁ । ବିଭିନ୍ନ ଶିଳ୍ପକାରଖାନାର ମଇଳା ପାଣି, ବିଭିନ୍ନ ସହରର ମଇଳା ପାଣିରେ ନଦୀ ଜଳ ଆଜି ନଷ୍ଟ ହୋଇଯାଉଛି । ନଦୀର ସୁରକ୍ଷା ପାଇଁ ଯଦି ଏବେଠାରୁ ଚିନ୍ତା କରାନଯାଏ ତାହେଲେ ଆଗାମୀ ଦିନରେ ନଦୀ ଗୁଡିକ ସେମାନଙ୍କର ଅସ୍ତିତ୍ୱ ଧୀରେ ଧୀରେ ହରାଇବେ ଓ ସମଗ୍ର ଦୁନିଆ ଏକ ବଡ ବିପଦ ଆଡକୁ ମୁହାଁଇବ । ଓଡିଶାରେ ନଦୀମାନଙ୍କର ସୁରକ୍ଷା ପାଇଁ ଗଠନ ହୋଇଛି “ଓଡିଶା ନଦୀ ସୁରକ୍ଷା ସମିତି” ।
ପବିତ୍ର ରଥଯାତ୍ରା ଅବସରରେ କୋଭିଡର ସମ୍ପୂର୍ଣ୍ଣ ଗାଇଡ ଲାଇନ ଭିତରେ “ଓଡିଶା ନଦୀ ସୁରକ୍ଷା ସମିତି”ର ଉଦଘାଟନ ଉତ୍ସବ ଭୁବନେଶ୍ୱର ଠାରେ ନିରାଡମ୍ବର ଭାବରେ ହୋଇଛି । ସମିତିର ସଭାପତି ଭାବରେ ବିଶିଷ୍ଟ କୃଷକ ନେତା ମହେଶ୍ୱର ସାହୁ ମନୋନୀତ ହୋଇଥିବା ବେଳେ ଏହାର ଉପଦେଷ୍ଟା ଭାବରେ ବିଶିଷ୍ଟ ଗବେଷକ ଅନିଲ ଧୀର, ବିଶିଷ୍ଟ ପରିବେଶ ବିତ୍ ବିଶ୍ୱଜିତ ମହାନ୍ତି, ଚଳଚ୍ଚିତ୍ର ତାରକା ଅଶୃମୋଚନ ମହାନ୍ତି, ସାମାଜିକ କାର୍ଯ୍ୟକର୍ତା ସଜ୍ଜନ ଶର୍ମା, ଯୁଧୀଷ୍ଠିର ମହାରଣା, ଶଙ୍କର ପାଣି, ସତ୍ୟନାରାୟନ ମହାକୁଡ, ହୃଷିକେଷ ଜେନା ଓ ମାନସ ଦାସ ରହିଛନ୍ତି । ସେହିପରି ଆବାହକ ଭାବରେ ସମୀର ପାତ୍ର, ସାଧାରଣ ସମ୍ପାଦକ ଭାବରେ ରାମଚନ୍ଦ୍ର ପାତ୍ର, ରହିଥିବା ବେଳେ ଶ୍ରୀରଂଜନ ମଙ୍ଗରାଜଙ୍କୁ ସମିତିର ମୁଖପାତ୍ର ଭାବରେ ଦାୟୀତ୍ୱ ଦିଆଯାଇଛି ।
ଉପସଭାପତି ଭାବରେ ମନୋଜ ବେହେରା, ଅଶୋକ ରଥ, ଶଙ୍ର୍କଷଣ ଜେନା, ଅଜୟ ସାହୁ, ସମ୍ପାଦକ ଭାବରେ ଜନ୍ମଜେୟ ଜେନା, ବିଶ୍ୱଜିତ ସ୍ୱାଇଁ, ଦିବ୍ୟଶଙ୍କର ଭୋଇ, ପ୍ରମୁଖଙ୍କୁ ଦାୟୀତ୍ୱ ଦିଆଯାଇଛି ।
ଏହି ଅନୁଷ୍ଠାନଟି ଆଗାମୀ ଦିନରେ ନଦୀ ସହିତ ଲୋକମାନଙ୍କୁ ଭାବାଗତ ଭାବରେ ଯୋଡିବା ପାଇଁ କାର୍ଯ୍ୟକ୍ରମ ହାତକୁ ନେବ । ସେହିପରି ନଦୀ ଉପରେ ପେଟପାଟଣା ପାଇଁ ନିର୍ଭର କରୁଥିବା କୌଳିକ ପରିବାରମାନେ କିପରି ସେମାନଙ୍କର ବେଉସା ଫେରିପାଇବେ ସେ ଦିଗରେ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନେବ । ସେହିପରି ବିଭିନ୍ନ ଶିଳ୍ପ କାରଖାନାମାନେ ଯେପରି ଭାବରେ ବେଆଇନ ଭାବରେ ନଦୀ ଜଳକୁ ପ୍ରଦୂଷଣ କରୁଛନ୍ତି ତାହାର ବିରୁଦ୍ଧରେ ଉଭୟ ପ୍ରତିବାଦ ଏବଂ ଆଇନଗତ ଲଢାଇ କରାଯିବ ବୋଲି ନିଷ୍ପତି ହୋଇଛି । ତତସହିତ ସହର ପାଖରେ ଥିବା ନଦୀମାନଙ୍କୁ ଯେପରି ଭାବରେ ସରକାର ଆବର୍ଜନା ନାଳୀରେ ପରିଣତ କରୁଛନ୍ତି ଏହା ବିରୁଦ୍ଧରେ ସ୍ୱର ଉତୋଳନ କରାଯିବ ବୋଲି ଏହି ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ଭୁବନେଶ୍ୱରରେ କେବଳ ପଦାଧୀକାରି ମାନେ ଉପସ୍ଥିତ ଥିବାବେଳେ ଅନଲାଇନ ଆପ ଜୁମ ମାଧ୍ୟମରେ ସାରା ରାଜ୍ୟର ସମସ୍ତ ଜିଲ୍ଲାରୁ ବିଭିନ୍ନ ସାମାଜିକ କାର୍ଯ୍ୟକର୍ତା, ପରିବେଶବିତ ଆଦିମାନେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *