Wednesday , December 1 2021
Breaking News
Home / ବିଶେଷ / ଧର୍ମଜାଗରଣ ସେନାର ସଂଯୋଜକ ବିବେକାନନ୍ଦ ମହାରଣା ପୁଣି ଏକ ଆକ୍ରମଣରୁ ବର୍ତିଗଲେ

ଧର୍ମଜାଗରଣ ସେନାର ସଂଯୋଜକ ବିବେକାନନ୍ଦ ମହାରଣା ପୁଣି ଏକ ଆକ୍ରମଣରୁ ବର୍ତିଗଲେ

କେନ୍ଦ୍ରାପଡ଼ା,୧୫/୦୭/୨୦୨୧(ଓଡ଼ିଶା ସମାଚାର)- ଧର୍ମଜାଗରଣ ସେନାର ସଂଯୋଜକ ତଥା ତିନିମୁହାଣି ବଜାର କମିଟି ସଭାପତି ବିବେକାନନ୍ଦ ମହାରଣା ତାଙ୍କ ସୁରକ୍ଷା କର୍ମୀଙ୍କ ଉଚିତ ପଦକ୍ଷେପ ଯୋଗୁଁ ପୁଣି ଏକ ମରଣାନ୍ତକ ଆକ୍ରମଣରୁ ବର୍ତି ଯାଇଥିବା ଜଣାପଡିଛି । ଘଟଣା ଅନୁଯାଇ ଶ୍ରୀ ମହାରଣା ତାଙ୍କ ରାମନଗରପାଟଣାସ୍ଥିତ ଟ୍ରାକ୍ଟର ସୋ-ରୁମ ର ଉପର ମହଲାରେ ବସିଥିଲେ । ଗତକାଲି ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଦୁଇଜଣ ଦୁର୍ବୃତ ଏକ ବାଇକ ଯୋଗେ ସେଠାରେ ପହଂଚି ଶ୍ରୀ ମହାରଣାଙ୍କୁ ଖୋଜିଥିଲେ । ସେହି ସମୟରେ ସୋରୁମ ମୁଖ୍ୟ ଦ୍ୱାରାରେ ଶ୍ରୀ ମହାରଣାଙ୍କୁ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଇଥିବା ସୁରକ୍ଷା କର୍ମଚାରୀ ମାନସ ମହାନ୍ତି ବସିଥିଲେ । ସୁରକ୍ଷାକର୍ମୀ ସେହି ୨ଜଣଙ୍କୁ ପଚାରିଥିଲେ ଯେ ସେମାନେ କାହିଁକି ଶ୍ରୀ ମହାରଣାଙ୍କୁ ଖୋଜୁଛନ୍ତି । ସେମାନଙ୍କର ଶ୍ରୀ ମହାରଣାଙ୍କ ପାଖରେ କ’ଣ କାମ ଅଛି । ଏଥିରେ ସେ ୨ଜଣ ଉତ୍ୟକ୍ତ ହୋଇ ପାଖରେ ଥିବା ବନ୍ଧୁକ ଦେଖାଇଥିଲେ ସୁରକ୍ଷା କର୍ମୀ ଜଣଙ୍କୁ । ତତକ୍ଷଣାତ ସୁରକ୍ଷା କର୍ମୀ ଜଣଙ୍କ ସେମାନଙ୍କ ହାତରୁ ବନ୍ଧୁକଟିକୁ ଛଡାଇ ନେଇଥିବା ବେଳେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଫଳରେ ସୁରକ୍ଷା କର୍ମୀ ଜଣଙ୍କ ତଳେ ପଡିଯିବାରୁ ୨ଦୁର୍ବୃତ ସେମାନଙ୍କ ବନ୍ଧୁକଟିକୁ ସୁରକ୍ଷାକର୍ମୀଙ୍କ ଠାରୁ ଛଡାଇ ନେଇ କେଇହାତ ପଛକୁ ଫେରିଯାଇ ସୁରକ୍ଷାକର୍ମୀଙ୍କ ଉପରକୁ ବନ୍ଧୁକରୁ ଗୁଳି ଫୁଟାଇଥିଲେ । ତେଣୁ ବାଧ୍ୟ ହୋଇ ସୁରକ୍ଷା କର୍ମୀ ମାନସ ତାଙ୍କ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚଳାଇଥିଲେ । ଫଳରେ ୨ଦୁର୍ବୃତଙ୍କ ମଧ୍ୟରୁ ଜଣେ ସେଥିରେ ଆହତ ହୋଇଥିଲେ । କିନ୍ତୁ ଏହି ସମୟରେ ୨ଦୁର୍ବୃତ ସେଠାରୁ ବାଇକ ଯୋଗେ ଖସି ପଳାଇଯାଇଥିଲେ । ସୋ-ରୁମ ଉପର ମହଲାରେ ଥିବା କର୍ମଚାରୀମାନେ ଗୁଳି ଫୁଟିବା ଶଦ୍ଧ ଶୁଣି ତଳକୁ ଆସିଯାଇଥିଲେ । ଏସମ୍ପର୍କରେ ଖବର ପାଇ ସଦର ଥାନା ଅଧିକାରୀ ପବିତ୍ର ମହାରଣା, ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ପୋଲିସ ଫୋର୍ସ ସହିତ ଏବଂ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ଓ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର ପ୍ରମୁଖ ଘଟଣାସ୍ଥଳରେ ପହଂଚିଥିଲେ । ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଂଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଂଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିଥିଲେ । ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡକର କହିଛନ୍ତି ଯେ ଏହି ଘଟଣା ପରେ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଥାନାକୁ ଖବର ପଠାଯାଇ ଆଲର୍ଟ କରାଯାଇଛି । ଜଗତସିଂହପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାର ସୀମାକୁ ନାକାବନ୍ଦି କରାଯାଇ ପୋଲିସ ପକ୍ଷରୁ ଯାଂଚ ଆରମ୍ଭ ହୋଇଛି । ଖୁବଶୀଘ୍ର ୨ଦୁର୍ବୃତଙ୍କୁ ଗିରଫ କରାଯିବ ବୋଲି ଏସପି ଶ୍ରୀ ମଡକର କହିଛନ୍ତି । ଘଟଣାସ୍ଥଳରେ ୪ଟି ଫୁଟନ୍ତା ଗୁଳିର ଖୋକା ପଡିଥିବା ଦେଖିବାକୁ ମିଳଥିଲା ।
ଏଠାରେ ସୂଚନା ଯୋଗ୍ୟ ଯେ ଗତ ୨୦୧୯ ମସିହା ଜୁଲାଇମାସ ୧୩ତାରିଖ ସନ୍ଧ୍ୟାରେ ଶ୍ରୀ ମହାରଣା ତାଙ୍କ ସୋ-ରୁମରୁ ବାଇକ ଯୋଗେ ତିନିମୁହାଣି ରାମମନ୍ଦିରକୁ ଆସୁଥିବା ବେଳେ ଗୁଲନଗର ଚଟିପୋଲ ନିକଟରେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା । ତାଙ୍କ ପେଟରେ ୨ଟି ଗୁଳି ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡା ଓ ପରେ କଟକ ବଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେହି ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଓଡ଼ିଶା ସମାଚାର

About admin

Check Also

କଣ୍ଡୁରୀ ଚରଣଙ୍କ ଏକାଦଶାହରେ ସ୍ମୃତିସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ପରୋପକାରୀ କଣ୍ଡୁରୀ ଚରଣ ବେହେରାଙ୍କ …

Leave a Reply

Your email address will not be published. Required fields are marked *