Saturday , March 25 2023
Breaking News
Home / ବିଶେଷ / ଗଛତଳେ ଆଶ୍ରୟ ନେଇଥିଲେ ନାବାଳକ-ନାବାଳିକା , ବଜ୍ରପାତ ନେଲା ୩ ଜୀବନ

ଗଛତଳେ ଆଶ୍ରୟ ନେଇଥିଲେ ନାବାଳକ-ନାବାଳିକା , ବଜ୍ରପାତ ନେଲା ୩ ଜୀବନ

ବାରିପଦା, ୧୫/୦୭/୨୦୨୧(ଓଡ଼ିଶା ସମାଚାର)- ଛେଳି ଚରାଇବାକୁ ଯାଇଥିଲେ । ଘଡ଼ଘଡ଼ି ସହ ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ ୩ ଜଣ ନାବାଳକ ଓ ନାବାଳିକା । ଏହି ସମୟରେ ଗଛ ଉପରେ ପଡ଼ିଲା ଚଡ଼କ ଏବଂ ଏଠାରେ ଥିବା ୩ ଜଣ ନାବାଳକ ଓ ନାବାଳିକାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ମୟୂରଭଂଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ବାଘୁଆଶୋଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକମାନେ ହେଲେ ବାବଲୁ ନାଏକ (୧୪), ସୁଜିତ ନାଏକ (୧୪) ଓ ବର୍ଷା ନାଏକ (୧୨) । ସୂଚନା ଅନୁସାରେ ଚାନ୍ଦୁଆ ଥାନା ଅନ୍ତର୍ଗତ ବାଘୁଆଶୋଳ ଗାଁର କାଳୀଚରଣ ନାଏକଙ୍କ ପୁଅ ବାବଲୁ, ରାଧାକାନ୍ତ ନାଏକଙ୍କ ପୁଅ ସୁଜିତ ଓ ଜଗନ୍ନାଥ ନାଏକଙ୍କ ଝିଅ ବର୍ଷା ଗତକାଲି ଅପରାହ୍ନ ସମୟରେ ଛେଳି ଚରାଉଥିଲେ । ଏହି ୩ ଜଣ ପିଲା ଘରଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ପଡ଼ିଆରେ ଛେଳି ଚରାଉଥିଲେ । ସମୟ ପାଖାପାଖି ଦିନ ଗୋଟିଏ ହେବ, ଏତିକି ବେଳେ ଅଚାନକ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ବାବଲୁ, ସୁଜିତ ଓ ବର୍ଷା ପଡ଼ିଆରେ ଥିବା ଏକ ଗଛ ତଳେ ଛିଡ଼ା ହୋଇଥିବା ସମୟରେ ବଜ୍ରପାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତିନି ଅଚେତ ହୋଇଯାଇଥିଲେ ।ବଜ୍ରପାତ ନେଇ ପରିବାର ଲୋକେ ଘଟଣାସ୍ଥଳକୁ ପହଂଚିଥିଲେ । ସେମାନେ ତିନି ଜଣଙ୍କୁ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିନ୍ତୁ ଦୁଃଖର ବଷୟ ଯେ, ଆମ୍ବୁଲାନ୍ସ ଘଟଣାସ୍ଥଳକୁ ପହଂଚିବା ବେଳେକୁ ବାବଲୁ, ସୁଜିତ ଓ ବର୍ଷାଙ୍କର ମୃତ୍ୟୁ ହୋଇସାରିଥିଲା । ଏହି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକ ଖେଳିଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.