ଭୁବନେଶ୍ୱର,୧୫/୦୭/୨୦୨୧(ଓଡ଼ିଶା ସମାଚାର)-ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ଦରବୃଦ୍ଧି ହୋଇଛି । ଏହାର ପ୍ରତିବାଦରେ ବିଭିନ୍ନ ବାମ ସଂଗଠନ ପକ୍ଷରୁ ୧୫ ଜୁଲାଇରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ତେବେ ଓଡ଼ିଶା କୃଷକ ସଭା ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛି । ଓଡିଶା କୃଷକ ସଭା ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ ବିଗତ ଏକ ବର୍ଷ ମଧ୍ୟରେ ଡିଜେଲ ଏବଂ ପେଟ୍ରୋଲ ମୂଲ୍ୟ ୬୦ ଥର ବୃଦ୍ଧି ପାଇଛି । କେବଳ ଜୁନ୍ ମାସ ରେ ୧୬ ଥର ବୃଦ୍ଧି ପାଇଛି । ଏହାର ପରିଣାମ ସ୍ୱରୂପ ଦୁଇ ଚକିଆ ଗାଡ଼ି ଚଳାଉଥିବା ସାଧାରଣ ଲୋକଙ୍କଠାରୁ ମଧ୍ୟବିତ ଶ୍ରେଣୀ ପର୍ଯ୍ୟନ୍ତ ଦରବୃଦ୍ଧି ଅସହ୍ୟ ବୋଝ ହୋଇଛି । ସେହିପରି ରନ୍ଧନ ଗ୍ୟାସ ମୂଲ୍ୟବୃଦ୍ଧି ଏକ ବର୍ଷ ମଧ୍ୟରେ ୨୬୦ ଟଙ୍କା ବୃଦ୍ଧି ପାଇଛି । ରନ୍ଧନ ଗ୍ୟାସ ଦରବୃଦ୍ଧି ସାଧାରଣ ଖାଉଟିଙ୍କ ହାଣ୍ଡିଶାଳ ଉପରେ ଗଭୀର ପ୍ରଭାବ ପକାଇଛି । କେନ୍ଦ୍ର ସରକାର ତୁରନ୍ତ ତୈଳଜାତ ସାମଗ୍ରୀକୁ ଜିଏସଟି ପରିସର ଭୁକ୍ତ କରି ଟିକସ ବ୍ୟବସ୍ଥାକୁ ସରଳୀକରଣ କରିବା ବ୍ୟବସ୍ଥା କରୁନାହାଁନ୍ତି । ରାଜ୍ୟ ସରକାର ଭାଟ କ୍ଷେତ୍ରରେ ଲିଟର ପ୍ରତି ସର୍ବନିମ୍ନ ୧୦ ଟଙ୍କା କମାଉନାହାଁନ୍ତି ବୋଲି ଓଡିଶା କୃଷକ ସଭା ପକ୍ଷରୁ କୁହାଯାଇଛି । ଓଡ଼ିଶା ସମାଚାର