କେନ୍ଦ୍ରାପଡ଼ା, ୧୪/୦୭/୨୦୨୧(ଓଡ଼ିଶା ସମାଚାର)- ଜନସଂଖ୍ୟା ଫାଉଣ୍ଡେସନ ଓଡିଶା ପ୍ରଦେଶ ପକ୍ଷରୁ ଲୋକସଭାରେ ଏକ କଠୋର ଏବଂ ଶସକ୍ତ ଜନ୍ମ ନିୟନ୍ତ୍ରଣ ବିଧେୟକ ପାରିତ କରିବା ନିମନ୍ତେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଯେଉଁ ଦେଶରେ ଜନସଂଖ୍ୟାର ସଠିକ ସନ୍ତୁଳନ ଅଛି ସେହି ଦେଶ ଗୁଡିକ ସବୁ କ୍ଷେତ୍ରରେ ଯଥେଷ୍ଟ ଆଗୁଆ ରହିଛି । ପରିବେଶ ସନ୍ତୁଳନ ଠାରୁ ଆରମ୍ଭ କରି ସାମାଜିକ ଓ ଆର୍ଥିକ ବ୍ୟବସ୍ଥାରେ ଅଗ୍ରଗତି ସମେତ ଶିକ୍ଷା, ଚିକିତ୍ସା ଓ ବିଜ୍ଞାନ କ୍ଷେତ୍ରରେ ସେସବୁ ଦେଶ ଗୁଡିକ ବିକଶିତ ସ୍ଥାନରେ ଅଛନ୍ତି । ଏହା ବ୍ୟତିତ ବେକାରୀ ସାମସ୍ୟା ଓ ଆଇନ ଶୃଙ୍ଖଳା ପରିସ୍ଥିତିରେ ମଧ୍ୟ ସ୍ୱଳ୍ପ ଜନସଂଖ୍ୟା ବିଶିଷ୍ଟ ଦେଶ ଗୁଡିକ ଅତ୍ୟନ୍ତ ନିୟନ୍ତ୍ରିତ ଓ ଶୃଙ୍ଖଳିତ ଅବସ୍ଥାରେ ଅଛନ୍ତି । ସ୍ୱାଧୀନତା ସମୟରେ ମାତ୍ର ୩୬କୋଟି ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତ ଏବେ ୧୩୮କୋଟିରୁ ଅଧିକ ଜନସଂଖ୍ୟାରେ ପହଂଚିଲାଣି । ପ୍ରତ୍ୟେକ ମିନିଟରେ ୫୧ଜଣରୁ ଅଧିକ ନବଜାତ ଶିଶୁଙ୍କୁ ଜନ୍ମ ଦେଉଥିବା ଭାରତ ବର୍ତମାନ ଏକ ଭୟଙ୍କର ବିଷ୍ଫୋଟ ପରିସ୍ଥିତି ଦେଇ ଗତି କରୁଛି । ତେଣୁ ଜନସଂଖ୍ୟା ନିୟନ୍ତ୍ରଣ ନିମନ୍ତେ ଲୋକସଭାରେ ଏକ ବିଧେୟକ ଆଣିବା ନିମନ୍ତେ ଜନସଂଖ୍ୟା ଫାଉଣ୍ଡେସନ ଓଡିଶା ପ୍ରଦେଶ ପକ୍ଷରୁ ପବିତ୍ର ପରିଡା, ଉର୍ମିଳା ସେଠୀ, ଅମୃତ ମହାନ୍ତି, ମନିନ୍ଦ୍ର ରାଉତ, ସତ୍ୟଜିତ ସ୍ୱାଇଁ ପ୍ରମୁଖ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର
