କେନ୍ଦ୍ରାପଡ଼ା, ୧୩/୦୭/୨୦୨୧(ଓଡ଼ିଶା ସମାଚାର)- ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ଦର ବୃଦ୍ଧିର ପ୍ରତିବାଦରେ ଆସନ୍ତା ୧୫ ଜୁଲାଇରେ ଓଡିଶା ବନ୍ଦକୁ ସମର୍ଥନ କରିବା ପାଇଁ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ(ଏମ୍), ସିପିଆଇ, ସିପିଆଇ(ଏମଏଲ୍) ପକ୍ଷରୁ ଏକ ମିଳିତ ବୈଠକରେ ନିବେଦନ କରାଯାଇଛି । ସ୍ଥାନୀୟ କଂଗ୍ରେସ ଭବନରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ସିପିଆଇ(ଏମ୍) ର ଜିଲ୍ଲା ସଂପାଦକ ଗୟାଧର ଧଳ, ସିପିଆଇର ଜିଲ୍ଲା ସଂପାଦକ ରମଣୀ ରଞ୍ଜନ ରାଉତରାୟ, ସିପିଆଇ (ଏମଏଲ୍)ର ନେତା ପ୍ରକାଶ ମଲିକ, ସିପିଆଇର ବରିଷ୍ଟ ନେତା ବାବାଜୀ ଧଳ, ଆଦିକନ୍ଦ ରାଉଳ, ସିପିଆଇ (ଏମ)ର ବରିଷ୍ଠ ନେତା ମାଧବ ଦାସ, ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ମୁକ୍ତାର ଖାଁ, ଫକିର ଚରଣ ଖଟୁଆ, ପ୍ରକାଶ ପରିଜା, ଲକ୍ଷ୍ମୀଧର ପଲାଇ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ବିଗତ ୧ ବର୍ଷ ମଧ୍ୟରେ ଡିଜେଲ ଓ ପେଟ୍ରୋଲର ମୂଲ୍ୟ ୬୦ ଥର ବୃଦ୍ଧି ପାଇଛି । କେବଳ ଜୁନ୍ ମାସରେ ୧୬ ଥର ବୃଦ୍ଧି ପାଇଛି । ରନ୍ଧନ ଗ୍ୟାସର ମୂଲ୍ୟ ୧ ବର୍ଷ ମଧ୍ୟରେ ୨୬୦ ଟଙ୍କା ବୃଦ୍ଧି ପାଇଛି । ଏହାର ପରିଣାମ ସ୍ୱରୂପ ଦୁଇ ଚକିଆ ଗାଡି ଚଳାଉଥିବା ସାଧାରଣ ଲୋକଙ୍କ ଠାରୁ ମଧ୍ୟବିତ ଶ୍ରେଣୀ ପର୍ଯ୍ୟନ୍ତ ଦର ବୃଦ୍ଧି ଅସହ୍ୟ ବୋଝ ହୋଇଛି । ଡିଜେଲର କ୍ରମାଗତ ମୂଲ୍ୟ ବୃଦ୍ଧି ଯୋଗୁଁ ଅଟୋ, ଟ୍ୟାକ୍ସି, ଟ୍ରକ, ବସ୍ ଇତ୍ୟାଦିର ଯାତ୍ରୀ ପରିବହନ ଏବଂ ମାଲ ପରିବହନ ଖର୍ଚ୍ଚ ଆକାଶ ଛୁଆଁ ଭାବେ ବୃଦ୍ଧି ପାଇଛି । କୃଷି ଉତ୍ପାଦନ ଖର୍ଚ୍ଚ ବହୁଗୁଣ ବୃଦ୍ଧି ପାଇଛି । ରନ୍ଧନ ଗ୍ୟାସର ଦର ବୃଦ୍ଧି ସାଧାରଣ ଖାଉଟୀ ମାନଙ୍କ ହାଣ୍ଡିଶାଳ ଉପରେ ଗଭୀର ପ୍ରଭାବ ପକାଇଛି । କୃଷକ ମାନେ କୃଷିଜାତ ଦ୍ରବ୍ୟ ଗୁଡିକ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ପାଉ ନାହାନ୍ତି । ଏ କ୍ଷେତ୍ରରେ କେନ୍ଦ୍ର ସରକାର ତୁରନ୍ତ ତୈଳଜାତ ସାମଗ୍ରୀ କୁ ଜିଏସଟି ପରିସରଭୁକ୍ତ କରି ଟିକସ ବ୍ୟବସ୍ଥାର ସରଳୀ କରଣ କରିବା ବ୍ୟବସ୍ଥା କରୁ ନାହାନ୍ତି । ରାଜ୍ୟ ସରକାର ଭାଟ କ୍ଷେତ୍ରରେ ଲିଟର ପ୍ରତି ସର୍ବନିମ୍ନ ୧୦ ଟଙ୍କା କମାଉ ନାହାନ୍ତି । ତୈଳ ଦର ବୃଦ୍ଧି ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଲଗାମ ହୀନ ମୂଲ୍ୟ ବୃଦ୍ଧି ଖାଉଟୀ ମାନଙ୍କ ଉପରେ ବେଡି ଉପରେ କୋରଡା ମାଡ ହୋଇଛି । ଏହି ଜନ ବିରୋଧୀ ନୀତିର ପ୍ରତିବାଦ କରିବା ସହିତ ସରକାର ଅବିଳମ୍ବେ ଦର ବୃଦ୍ଧି ପ୍ରତ୍ୟାହାର କରିବା ଦାବିରେ ଆସନ୍ତା ୧୫ ଜୁଲାଇ ୨୦୨୧ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ ଘନ୍ଟିଆ ବନ୍ଦ ଆନ୍ଦୋଳନକୁ ଜିଲ୍ଲାର ସମସ୍ତ ଜନ ସାଧାରଣ ସବୁ ମତେ ସହଯୋଗ, ସମର୍ଥନ ଓ ସଫଳ କରିବା ପାଇଁ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛି । ଓଡ଼ିଶା ସମାଚାର