କେନ୍ଦ୍ରାପଡ଼ା, ୧୩/୦୭/୨୦୨୧(ଓଡ଼ିଶା ସମାଚାର)- କରୋନା କଟକଣା ପାଇଁ ଗଡିଲାନି ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ । କିନ୍ତୁ ଜଣେ ଶିଳ୍ପୀ ନିଜ ସୃଜନଶୀଳତାର ଶକ୍ତି ବଳରେ ଗଢିଦେଲେ ମାତ୍ର ୭ଇଂଚର ବ୍ରହ୍ମତାଳଧ୍ୱଜ ରଥ । ପବିତ୍ର ଶ୍ରୀଗୁଣ୍ଡିଚା ଦିନ ଏହି କ୍ଷୁଦ୍ର ବ୍ରହ୍ମତାଳଧ୍ୱଜକୁ ସଂପୂର୍ଣ୍ଣ କରିଛନ୍ତି କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ବଣିଆମାଳ ଗ୍ରାମର ବିଭୁତି ଭୂଷଣ ମହାନ୍ତି । ବିଭୂତିଙ୍କୁ ଏହି କୁନି ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କରିବା ପାଇଁ ୮ଦିନ ସମୟ ଲାଗିଛି । ଅବିକଳ ବ୍ରହ୍ମତାଳଧ୍ୱଜ ରଥ ପରି ନିର୍ମାଣ ହୋଇଛି ଏହି ରଥ । ଏଥିରେ ୧୪ଗୋଟି ଚକ ଲାଗିଛି । ରଥ ନିର୍ମାଣରେ ମାଟି, ପଟିଲି, ଧୂପକାଠି, କପଡା, ତୁଳସୀମାଳି, ଅଠା, ସରୁତାର ପ୍ରଭୃତି ବ୍ୟବହାର ହୋଇଛି । ତିନି ଦିଅଁଙ୍କ ପ୍ରତିମୂର୍ତୀ ଓ ୧୪ଗୋଟି ଚକ ମାଟିରେ ତିଆରି ହୋଇଛି । ସେହିପରି ତୁଳସୀମାଳିରେ ତିଆରି ହୋଇଛି ଦଧିନଉତି । ପଟିଲିରେ ଘୋଡା ତିଆରି ହୋଇଛି । ବିଭିନ୍ନ ରଙ୍ଗରେ ଚିତ୍ରିତ ହୋଇଛି ଏହି କୁନି ବ୍ରହ୍ମତାଳଧ୍ୱଜ । ଦିନରାତି ଏକ କରି ସେ ରଥ ନିର୍ମାଣ କାର୍ଯ୍ୟରେ ଲାଗିଥିଲେ । ଏଥିରେ ପରିବାର ଲୋକଙ୍କ ସହଯୋଗ ଓ ସମର୍ଥନ ବି ବେଶ ମିଳିଥିଲା । ରଥଦାଣ୍ଡରେ ବ୍ରହ୍ମତାଳଧ୍ୱଜ ସିନା ଗଡିଲାନି, ତିନି ଦିଅଁ ସିନା ଦର୍ଶନ ଦେଲେନି । କିନ୍ତୁ ପ୍ରଭୁ ଆଜି ମୋ ରଥରେ ବିରାଜମାନ ହୋଇ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି ବୋଲି ଭକ୍ତି ଗଦ୍ ଗଦ୍ ସ୍ୱରରେ କହନ୍ତି ବିଭୂତି । ବିଭୁତିଙ୍କ ଏହି ରଥ ଦେଖିବାପାଇଁ ପାଖ ପଡୋଶୀଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖାଦେଇଛି । ଓଡ଼ିଶା ସମାଚାର